ସେଇ ଶିରାଳ ହାତର ଛତ୍ରଛାୟା ତଳେ ଶ୍ରୀମନ୍ତର ବାଲ୍ୟ ଜୀବନ ନିରାପଦରେ ଅତିବାହିତ ହୋଇ ଯାଇଥିଲା । ସବୁବେଳେ ଅକ୍ଲାନ୍ତ ପରିଶ୍ରମ କଲେ ବି ସେ ହାତ ଦୁଇଟି କେବେ ଥକି ଯାଉ ନଥିଲା । କେବେ କେମିତି ସେ ବିଶ୍ରାମ ନେଉ ନଥିଲା ତା’ ନୁହେଁ, ତଥାପି ସେ କଙ୍କାଳସାର ମଣିଷଟିକୁ ଶୋଇବାର ମୁଁ କେବେ ଦେଖିନଥିଲି। ସକାଳୁ ମୁଁ ଉଠିଲା ବେଳକୁ ସେ ତାର ନିତ୍ୟ କର୍ମ ସାରି ପୂଜା ଘରେ ବସି ଆଖି ବୁଜି ପ୍ରାର୍ଥନା କରୁଥିଲା। ଆଉ ମୁଁ ଶୋଇଲା ବେଳକୁ ତା’ର ରୋଷେଇ ଘର କାମ ସରିନଥିଲା। ମୁଁ ହେତୁ ପିଲାଦିନୁ ତାକୁ ଶୋଇବାର ଦେଖି ନ ଥିଲି । ଆଜି କ’ଣ ସେ ସତରେ ହାଲିଆ ହୋଇଗଲା। ଜୀବନ ବୋଝଟା କେତେଦିନ ଏକୁଟିଆ ମୁଣ୍ଡେଇ ଥାଆନ୍ତା ଯେ ? ଏକଲା ମଣିଷ, ବାପାଙ୍କ ଚେହେରା ବି ତା’ର ମନେ ନାହିଁ। ସେ କେମିତି ଏ ଅଭାଗୀଟାକୁ ଏକୁଟିଆ ଛାଡ଼ିଗଲେ ? ସେ ନିଷ୍ଠୁର ଥିଲେ କି ଆଉ ? ନାଁ ତ ମା’ କହୁଥିଲା ବାପା ଭାରି ଭଲଲୋକ ଥିଲେ, ମାଛିକୁ ମ କହୁନଥିଲେ। ହେଲେ ନିଜ ସ୍ତ୍ରୀକୁ ଏମିତି ଏକୁଟିଆ କରିଯିବା ଅସଙ୍ଗତ ନୁହେଁ ? ସେ କ’ଣ କରିବେ ଯେ ? ମୃତ୍ୟୁ ଆଗରେ ତ କାହାରି ଜୋର୍ ଚଳେ ନାହିଁ। ମା’ କହୁଥିଲା ମଲା ବେଳକୁ ତାଙ୍କ ଆଖିରେ ଦୁଇ ଧାର ଲୁହ ଥିଲା। କେଜାଣି ଜୀବନ ସଙ୍ଗିନୀକୁ ନିଃସଙ୍ଗ କରି ଦେଉଥିବାରୁ ସେ ହୁଏତ କାନ୍ଦୁଥିଲେ । ମା’ ଆଖିରେ କିନ୍ତୁ ଆଦୌ ଲୁହ ନାହିଁ, ମା’ କ’ଣ ତେବେ ତାକୁ ଛାଡ଼ି ଯାଉଛି ବୋଲି ତା’ର ଦୁଃଖ ନାହିଁ ? ହଁ ମୁହଁଟା କିନ୍ତୁ କାନ୍ଦୁରା ଦିଶୁଛି। ଶ୍ରୀମନ୍ତ ନିର୍ବାକ ହୋଇ ଅନେଇ ରହିଥିଲା।
ମା’ କାହାକୁ ଅପ୍ରିୟ ନୁହେଁ। ତଥାପି କେଜାଣି କେମିତି ବାହାହେଲା ପରେ ସେ ତା’ର ଦୁଃଖିନୀ ମା’ଠୁ ଏତେ ଦିନ ଧରି ଦୂରେଇ ରହିପାରିଥିଲା। କ’ଣ କରିବ ? ମା ନିଜେ ସେହିନ ତାକୁ ତା’ ପରିବାରକୁ ରାଉରକେଲା ନେଇ ଯିବାକୁ କହିଲା। ଶ୍ରୀମନ୍ତ ଜାଣିଥିଲା ମା’ର ସେ ଅନ୍ତରର କଥା ନୁହେଁ, ଛାତିକୁ ପଥର କରି ଯେଉଁ ପୁଅକୁ ସେ ମଣିଷ କଲା ତାକୁ ନିଜଠୁ ଦୂରେଇ ଦେବା ସହଜ ନୁହେଁ। ତଥାପି ତାର ପାରିବାରିକ ଶାନ୍ତି ପାଇଁ ସବୁ ଧୈର୍ଯ୍ୟକୁ ଏକାଠି କରି ସେଦିନ ମା’ ରୋକଠୋକ୍ ଶୁଣାଇ ଦେଲା ଶାନ୍ତିକୁ ରାଉରକେଲା ନେଇ ଯିବାକୁ । ଶାନ୍ତିର ଆଗରେ ସେ ସବୁ କଥାରେ ହଁ ମରିଲା ସିନା କିନ୍ତୁ ମା’ ପାଖରେ ଶ୍ରୀମନ୍ତ ଅଳିକଲା, ତା’ ସାଙ୍ଗରେ ରାଉରକେଲା ଯିବାକୁ । ମା’ କିନ୍ତୁ ଜମିବାଡ଼ି ଆଉ ଭିଟାମାଟିର ଆଳ ଦେଖାଇ ଶ୍ରୀମନ୍ତର କଥାକୁ ଏଡ଼େଇ ଦେଲା। ମା’ ଜାଣିଥିଲା ଶାନ୍ତିର ମନକୁ, ତା’ ସ୍ଵପ୍ନକୁ ସେ ନିଜ ପରି ବେରଙ୍ଗ କରିବାକୁ ଚାହିଁ ନଥିଲା । ଅଯଥା ହାତଗୋଡ଼ ଚଳୁଥିବା ସତ୍ତ୍ୱେ କାହାରି ମୁଣ୍ଡରେ ସେ ବୋଝ ହେବାକୁ ଚାହୁଁ ନ ଥିଲା। ଯେତେବେଳେ ଶାନ୍ତିର ପିଲାମନ ବଦଳିଯିବ ସେତେବେଳେ ବଳେ ସେ ମା’କୁ ରାଉରକେଲା ନେବାକୁ ଆସିବ। ଏ ବିଶ୍ୱାସ ମୋର ରହିଲା, କାରଣ ସେ ସରଳ ମଣିଷଟି ସାରା ଦୁନିଆକୁ ନିଜ ନିକିତିରେ ତଉଳୁଥିଲା। ଟୁକୁନାର ଜନ୍ମ ପରେ ଶାନ୍ତି ମା’ କୁ କାକୁତି ମୀନତି ହୋଇ କ୍ଵାର୍ଟର୍ସକୁ ନେଇ ଆସିଲା। ମା’ ହେଲାପରେ ମା’ର ହୃଦୟକୁ ଚିହ୍ନିପାରିବାରୁ ନୁହେଁ ଛୋଟ ଛୁଆ ର ଲାଳନ ପାଳନ ଶାଶୂଙ୍କ ହାତରେ କରେଇବାକୁ । ମା’ ରାଉରକେଲା ଆସିଲା ସତ , କିନ୍ତୁ ସେଇ ଦମ୍ଭିଲାର ମଣିଷର ଦମ୍ଭ ଗାଁରେ ହିଁ ରହିଗଲା । ମା’ ଗାଁରେ ବାପ ମଲାଦିନୁ କେବେ କାହା ସହିତ କଥାବାର୍ତ୍ତା କରେ ନାହି । ଶ୍ରୀମନ୍ତକୁ ବାଦ୍ ଦେଲେ ବାଡ଼ିର କାହା ସହିତ କଥାବାର୍ତ୍ତା କରେ ନାହିଁ । ଶ୍ରୀମନ୍ତକୁ ବାଦ୍ ଦେଲେ ବାଡ଼ିର ଗଛଲତା ଥିଲେ ତାର ଆପଣାର । ସେମାନଙ୍କ ପାଖରେ ଦିନସାରା ଅବସର ସମୟ କଟେଇ ଦିଏ । ସେ ଠିକ୍ ଜାଣିଥିଲା ଏଇ ଦୁଇ ଗୋଡ଼ିଆ ଜନ୍ତୁଗୁଡ଼ାକ ସବୁଠୁ ଅସହିଷ୍ଣୁ । କେବେ କେବେ ଖାଲି ସମୟରେ ମା’ ପୁଅ ଏକାଠି ବସିଲେ ମା’ ଗପୁଥିଲା ତା’ ଘଟଣାବହୁଳ ଜୀବନର କିଛିଟା ଅଭୁଲା ସ୍ମୃତି । ବାପା ମରିଗଲା ପରେ ସବୁ ଆପଣାର ଲୋକ କେମିତି ଦିନ କେଇଟାରେ ପର ହୋଇଗଲେ। ଖାଲି ବର୍ଷକର ପୁଅର ମୁହଁକୁ ଅନେଇ ସେ ବଞ୍ଚିବ ଓ ପିଲାକୁ ମଣିଷ କରିବାରେ ନିଷ୍ପତ୍ତି ନେଇ ସେ ଜୀବନର ସବୁ ବାଧାବିଘ୍ନ ସହିତ ସଂଗ୍ରାମ କରିଗଲା । ଏ ଦୁନିଆ ଭାରି ସ୍ଵାର୍ଥପର । କାହାକୁ ନିଜ ଗୋଡ଼ରେ ଠିଆ ହେବାର ଦେଖିଲେ ସହି ପାରେ ନାହିଁ କି ବିପଦରେ ପଡ଼ିଲେ ସାହାଯ୍ୟ ବି କରେ ନାହିଁ। ଘର ଆଉ ଡିହ ଖଣ୍ଡକ ଛାଡ଼ିଦେଲେ ମା’ ପାଖରେ ସମ୍ବଳ ବୋଲି କିଛି ନଥିଲା। ସେ କିନ୍ତୁ ନଇଁ ଯିବାର ମଣିଷ ନୁହେଁ। ଜମି ଖଣ୍ଡକ କର ଦେଇ କରୁଆ ଯାହା ଦିଏ ସେଥିରେ ଦୁଃଖକଷ୍ଟରେ ମା’ ପୁଅର ଭରଣପୋଷଣ ହୋଇଯାଏ । ମା’ ମୋର ପୂରା କାଉଁରି କାଠି । ସେଇ ହାଡ଼ୁଆ ଦିହର ହାଡ଼ ଭିତରେ ସ୍ଵାଭିମାନ ଖୁନ୍ଦି ହୋଇ ରହିଥିଲା । ଘର ପଛର ଖାଲି ଜାଗାରେ ଦିନରାତି ସେ ଲାଗିଥାଏ। ସବୁଦିନ ସେଥିରୁ ତାଙ୍କ ଖାଇବା ମୁତାବକ ତ ପନିପରିବା ବି ମିଳିଯାଏ । ଶ୍ରୀମନ୍ତ ବାଡ଼ିକାମରେ ସାହାଯ୍ୟ କରିବାକୁ ଗଲେ ମା’ କହେ ପାଠ ପଢ଼ି ଭଲ ଚାକିରୀ ଖଣ୍ଡେ କଲେ ଗାଁ ଲୋକଙ୍କ ଆଗରେ ତାର ଟେକ ରହିବ। କେଜାଣି ତା’ର ବୟସ କେତେ ହେବ ? ମା’ତ ମା ସବୁଠୁ ବଡ଼ , ତାର ପୁଣି ବୟସ କ’ଣ? ଶ୍ରୀମନ୍ତ ଦେଖିଲା ଦିନୁ ମା’ର ସେଇ ହାଡ଼ୁଆ ଚେହେରା ସେମିତି ରହିଥିଲା । କିଛି ପରିବର୍ତ୍ତନ ନାହିଁ । ଆଗ ସେ ସବୁ ଠିକ୍ ଦେଖିପାରୁ ଥିଲା। ଏବେ ସେ ଆଉ ଠିକ୍ ଭାବେ ଦେଖିପାରୁ ନାହିଁ । ବୟସର ପ୍ରଭାବ ବୋଧହୁଏ ରାଉରକେଲାକୁ ଆସିଲା ଦିନୁ କ୍ଵାର୍ଟର୍ସ ଗେଟ୍ ପାଖରେ ଟୁକୁନାକୁ କାଖରେ ଧରି ମା’ ଅପେକ୍ଷା କରି ରହେ ଶ୍ରୀମନ୍ତର ଫେରିବା ବେଳକୁ । ଅଫିସ୍ ଫେରନ୍ତା ପୁଅକୁ ଦେଖିଲେ ତା’ ମନ କୁଣ୍ଢେମୋଟ ହୋଇଯାଏ । କିନ୍ତୁ ତାକୁ ମା’ ପ୍ରକାଶ କରେ ନାହିଁ । ସେଇଟା ତାର ପୁରୁଣା ଅଭ୍ୟାସ। ଦୁଃଖସୁଖକୁ ନୀରବରେ ଅନୁଭବ କରିବାର ଅଭ୍ୟାସ ତାର ଆଜୀବନ ରହିଥିଲା। ଶାନ୍ତିକୁ ମା’ର ଏ ଅଭ୍ୟାସ ଆଦୌ ଭଲ ଲାଗେ ନାହିଁ। ସେ ମା କୁ ଶୁଣେଇ ଶୁଣେଇ କହେ , ସେଇ ସ୍ଵାଭିମାନୀ ମଣିଷଟି ସହଜରେ କିନ୍ତୁ କାହାରି ହାତମୁଠାରେ ଆସିବାର ନୁହେଁ। ମା’ କାହାକୁ କିଛି କହେ ନାହିଁ ସିନା ସବୁ କିନ୍ତୁ ବୁଝିପାରେ । ପାଠ ପଢ଼ିନାହିଁ ସିନା ଚରିତ୍ରକୁ ସେ ନିର୍ଭୁଲ ଭାବରେ ପଢ଼ିପାରେ ।
ଗାଁ’ରୁ ଆସିଲା ଦିନୁ ତା’ର ଦେହ ଅସୁସ୍ଥ ହୋଇଗଲା । ସେ ଧଡ଼ିଆ ଦିହଟାର ମନ ଦୁର୍ବଳ ହେବାକୁ ଲାଗିଲା । ଗାଁ ଲୋକଙ୍କ ସହିତ ସେ ଅଧିକା ମିଳାମିଶା କରୁ ନଥିଲେ ବି ସେମାନଙ୍କୁ ବୋଧେ ସେ ମନେ ମନେ ଝୁରିଲା । ଭିଟାମାଟିର ମୋହ କ’ଣ ସହଜରେ ଛାଡ଼ିହୁଏ ? ମନର କଥା ମନରେ ମାରିଲା ହେଲେ ଦେହ ବି ଦୁର୍ବଳ ହେବାକୁ ଲାଗିଲା । ତା’ ମୁହଁଟା ଏବେ ସବୁବେଳେ କାନ୍ଦୁରା କାନ୍ଦୁରା ଦିଶୁଥିଲା। ରାତିରେ ଶୋଇଲା ବେଳକୁ ବି ସେ ବେଳେବେଳେ କ’ଣ ଗୁଡ଼ାଏ ବିଳିବିଳାଏ। ଗାଁ’ର ସେ ବୁଢ଼ୀ ମଣିଷଟା ସହରୀ ଚାଲିଚଳଣରେ ଅଣନିଃଶ୍ବାସୀ ହୋଇଗଲା,ଛଟପଟ ହେଲା , ଯେତେ ଭଲ ଭଲ ଖାଇବା, ପିନ୍ଧିବା ଦେଲେ ବି ଗାଁର ଶାଗ ଲୁଣ, ଭାତ ଆଉ ଭଙ୍ଗାରୁଜା ଘରଡିହକୁ ଝୁରି ହେଲା। ମିୟଣ୍ଡ୍ ଲାଇଟ୍ ତାକୁ ଭଲ ଲାଗିଲା ନାହିଁ । ଗାଁର ସେ ଡିବି ଆଳୁଅକୁ ସେ ଖୋଜିଲା । ଗାଁର ତେଳ ପିଚ୍ ପିଚ୍ ମଳିମୁଣ୍ଡିଆମାନେ ତାକୁ ଏଠିକାର ସହରୀ ଚକଚାକ୍ ମଣିଷମାନଙ୍କଠାରୁ ଅଧିକ ଆତ୍ମୀୟ ମନେ ହେଲେ । କ୍ଵାର୍ଟର୍ସର ପକ୍କା ଘରର ପଲଙ୍କ ତାକୁ ଭଲ ଲାଗିଲା ନାହିଁ ସେ ଖୋଜିଲା ଗାଁର ବାଡ଼ିପଟ ଆମ୍ବଗଛ ତଳର ଦଉଡ଼ିଆ ଖଟକୁ । ଏମିତି ବା କେତେଦିନ ? ତା’ର ଅସୁସ୍ଥତା ଦିନକୁ ଦିନ ବଢ଼ିବାରେ ଲାଗିଲା । କିଏ ତା’ର ସେବା ଶୁଶ୍ରୂଷା କରିବ ? ଏଇ ଅବାଗିଆ ଶାଶୂ ବୁଢ଼ୀକୁ ସେବା କରିବାର ସମୟ ଶାନ୍ତି ପାଖରେ ନାହିଁ। ହସ୍ପିଟାଲରେ ନେଇ ଭର୍ତ୍ତି କରିଦେଲେ । ହସ୍ପିଟାଲ୍ ବେଡ୍ରେ ଦୁର୍ବଳ ଶରୀରଟା ଦିନ ରାତି ପଡ଼ି ରହିଲା। ମୃତ୍ୟୁକୁ ସେ ଖୋଜୁଥିଲା । ତା’ ବି ତାକୁ ମିଳିଲା ଚାରି ଦିନ ପରେ। ଚାରିଦିନ ଭିତରେ ଯେତେବେଳେ ଶ୍ରୀମନ୍ତ ଆସେ ମା’ ଗାଁକୁ ଯିବାକୁ କହେ । କିନ୍ତୁ ଶ୍ରୀମନ୍ତ ହସ୍ପିଟାଲରୁ ଛାଡ଼ିଲେ ମା’କୁ ଗାଁକୁ ନେଇଯିବାର ପ୍ରତିଶ୍ରୁତି ଦେଇଥିଲା। ସେ କ’ଣ ଜାଣିଥିଲା ମା’ ଏତେଶୀଘ୍ର ମରିଯିବ ବୋଲି। ମା’ ର ମଲା ଦେହଟାକୁ ସେ ଗାଁ’କୁ ନେଇଗଲା । ବାପାଙ୍କ ଚିତା ଯେଉଁଠି କେଉଁ କେତେ ଦିନ ଆଗରୁ ଜଳି ଯାଇଥିଲା ସେଠି ଆଜି ମା’ର ଶରୀରଟା ବି ପାଉଁଶ ହୋଇଯିବ। ମଶାଣି ଭୂଇଁରେ ମା’ର ସେହି ଶିରାଳ ହାତ ଦୁଇଟାକୁ ମୋଡ଼ିଦେଇ କାଠଲଦି ଦେଲା ବେଳକୁ ଶ୍ରୀମନ୍ତ ଆଖିରୁ ଅମାନିଆ ଲୁହ ଗଡ଼ିଗଲା ସେ କହୁଥିଲା ନାଁ ନାଁ ମାଁକୁ ମୋର କଷ୍ଟ ହେବ ।କାନ ପାଖରେ ପ୍ରତି ଧ୍ଵନିତ ହେଉଥିଲା-
ମାଟିର ଏ ଦେହ ଦିନେ ମିଶିଯିବ ମାଟିରେ ମୋର ମୋର ବୋଲି କରୁ ତୁଚ୍ଛାଟାରେ ପାଟିରେ…………..।
ଡକ୍ଟର ସଙ୍ଗୀତା ନାଏକ (ପୁରୋହିତ)
ସମ୍ବଲପୁର
ଯୋଗାଯୋଗ -୭୯୭୮୮୬୪୬୧୨