ଶାରଦୀୟ ଦୁର୍ଗାପୂଜା ଅନୁଚିନ୍ତା

ମାଁ ତୁମେ ଆସୁଅଛ 
ନୀଳ ନଭେ ଆରୋହିଶ,
ଭାସମାନ ଶୁଭ୍ର ବାରିଦ ବିମାନେ,
ଗଳାରେ ଲମ୍ବାଇ ତବ, 
ଶୁଭ୍ର ବଳାହକ ପଂକ୍ତିର ଗଜରା ହାର,
ସ୍ରୋତସ୍ବିନୀ କୂଳେ ସ୍ଥିତ ସଦ୍ୟ ବିକଶିତ,
କାଶତଣ୍ଡୀ କରେ ତବ ଚାମର ବ୍ୟଜନ।୧।
ତବ ଶୁଭ ଆଗମନୀ ବାର୍ତ୍ତା,
ପ୍ରଚାର କରୁଛି ଏ ଭୁବନେ, 
ନବ ବିକଚ ଝରା ଶେଫାଳି ର ଭୁରୁ ଭୁରୁ ଗନ୍ଧ,
ସଜାଇ ହେଲାଣି ନିଜେ ଶୁଭ୍ରତନ୍ବୀ ଶରଦ ସୁନ୍ଦରୀ, 
କରି ପରିଧାନ ଶସ୍ୟ ସବୁଜିମା ପଟ୍ଟ ବସ୍ତ୍ର,
ବିମଣ୍ଡିତ କରି ତାର ଘନ କୃଷ୍ଣ କୁଞ୍ଚିତ କବରୀ,
ବନେ ଉପବନେ ବିକଶିତ, 
ନାନା ଜାତି ସୁବାସିତ କୁସୁମ ର ହାର। ୨।
ତବ ଉପହାର ପାଇଁ କରି ଆୟୋଜନ 
ପୁଷ୍କରିଣୀ ସୁନିର୍ମଳ ଜଳେ 
ସଦ୍ୟ ବିକଶିତ ପଦ୍ମିନୀ,ସରୋଜିନୀ,
ସବୁଜ ସୁଷମା ଭରା ନିଘଞ୍ଚ କାନନେ,
ବିହଙ୍ଗମ କାକଳି ର ସମବେତ ସ୍ବର, 
ଗାୟନ କରିବେ ତବ ସ୍ବାଗତ ସଂଗୀତ,
ବନେ ଉପବନେ ବିକଶିତ,
ସୁବାଶିତ କୁସୁମ ଉପରେ,
ଉଡିବୁଲି ମହୁମାଛି ଗଣ, 
ବୀଣା ବାଦନ କରିବେ ଗୁଣୁ ଗୁଣୁ ସ୍ବରେ,
ଉନ୍ମତ୍ତ ଭୃଙ୍ଗ କରିବେ ବେହେଲା ବାଦନ,
ହୋଇ ମତୁଆଲା ପୁଷ୍ପ ମଧୁ ଆସ୍ବାଦନେ।୩।
ମାନବ ସମାଜ ଆଜି ଅହୋରାତ୍ର ରତ,
ସଜାଇବାକୁ ତବ ପୂଜା ଉପାସନା ର ମଣ୍ଡପ, 
ପ୍ରବେଶ କରିବ ଆସି ମୃତ୍ତିକା ନିର୍ମିତ 
ତବ ପ୍ରତିମା ଭିତରେ, 
ଦଶ ଭୂଜେ ଦଶ ପ୍ରହରଣ ତୁମ୍ଭେ ଧରି, 
ତ୍ରୀଶୁଳ ବିଦ୍ଧ କରିବ,
ମୃତ୍ତିକା ନିର୍ମିତ ମହିଷା ଅସୁର ର ବକ୍ଷେ,
ରକ୍ତ ବୋହୁ ଥିବ ତା ବକ୍ଷର ଶୁଳ ବିଦ୍ଧ କ୍ଷତୁ,
ମୁଖୁ ବାନ୍ତି କରୁଥିବ ଅଜସ୍ର ଶୋଣିତ, 
ନେତ୍ରେ ଦେଖି ମହିଷାର ସେ ବିଭତ୍ସ ହତ୍ୟାକାଣ୍ଡ ଦୃଶ୍ୟ, 
ଜଳି ଉଠିବ ପ୍ରତିହିଂସା ର ଦାବାଗ୍ନୀ, 
ମହିଷା ଅସୁର ଅନୁଚର ନର ପିଶାଚଙ୍କ ଠାରେ, 
କ୍ରୋଧ ଜର୍ଜରିତ ହୋଇ ନେବେ ପ୍ରତିଶୋଧ,
ତବ ନୀରିହ ସରଳ ଭଗ୍ନୀ ଙ୍କ ଉପରେ,
ଘଟାଇଣ ପାଶବିକ ଧର୍ଷଣ ଆଉ ,
ଅମାନୁଷିକ ବର୍ବର ହତ୍ୟା କାଣ୍ଡ।୪।
ବ୍ରହ୍ମାବରେ ପରା ହୋଇ ବଳିୟାନ  
ସେ ଶୁମ୍ଭ ନିଶୁମ୍ଭ  ତୁମ୍ଭଙ୍କୁ ଚାହିଁଣ ଥିଲେ,
କରିବାକୁ ସେମାନଙ୍କ ଅଙ୍କର ଶାୟିନୀ,
ହେଲେ ଆଜି ଜନତାଙ୍କ ନିର୍ବାଚନ ମତଦାନ ବରେ, 
ହୋଇ ବଳିୟାନ ମହିଷାର ଅନୁଚର, 
କେତେକ ରାଜନେତା ଏ ସମାଜେ ,
ବଳପୂର୍ବକ କରିଣ ଅପହରଣ ,
ତୁମ ଅସହାୟ ନିରୀହ ଭଗ୍ନୀଙ୍କୁ,
ବଳାତ୍କାରେ ସଜାଇ ତାଙ୍କ ଶଯ୍ୟାର ସଙ୍ଗିନୀ,
ଧରା ପଡିଗଲେ ତାଙ୍କ ପୈଶାଚିକ କାର୍ଯ୍ୟ,
ଦେଇଥାନ୍ତି ଶତ ଶଯ୍ୟା ନାୟିକା ର ଆଖ୍ୟା,
ସମାଜକୁ ଦେଖାଇଣ ନିଜ ପବିତ୍ର ତା।୫। 
ପୂଜା ମଣ୍ଡପ କୁ ତୁମେ ଆସିବା ପୂର୍ବରୁ, 
କୁନ୍ଦୁଲି କୁ ଥରେ ଯାଇ ଦେଖି ଆସ ମାତା, 
ବୁଝି ଯାଅ ତୁମ ଭଗ୍ନୀ ମମତା ମେହେର ହତ୍ୟାକାଣ୍ଡ ,
କିପରି ନର ପିଶାଚଙ୍କ ଧର୍ଷଣ ଆଉ ହତ୍ୟାର ,
ଶିକାର ହୋଇଛନ୍ତି ତବ ଦୁଇ ନୀରିହ ଭଗିନୀ,
ତେଣୁ ଭାବୁ ବରଷକ ଥରେ  ପୂଜାମଣ୍ଡପେ ବିରାଜି,
ଦେଖାଇ ମହୀଷାସୁର ନୀଧନ ର ଦୃଶ୍ୟ, 
ତୁମେ ହି ଉସୁକାଉଛ ଏହି ସମାଜରେ, 
ନାରୀ ବଳାତ୍କାର,ଧର୍ଷଣ ଆଉ ହତ୍ୟା  । ୬। 
ଗୋ ଜନନୀ! 
ତବ ଶାରଦୀୟ ପୂଜା ଶୁଭ ଅବସରେ,
କୃତାଞ୍ଜଳୀ ପୁଟେ କରୁ କାତର ପ୍ରାର୍ଥନା, 
ସମାଜୁ ବିନାଶ କର, 
ପୈଶାଚିକ ପ୍ରବୃତ୍ତି ରୂପି ମହିଷା ଅସୁର ,
ମଦ୍ୟ, ମାତ୍ସର୍ଯ୍ୟ,ହିଂସା,ଦ୍ବେଷ,
ନାରୀ ନିର୍ଯ୍ୟାତନା,ଧର୍ଷଣ,ଆଉ,ହତ୍ୟା
ଭଳି ଆସୁରିକ ପ୍ରବୃତ୍ତି କୁ କରନ୍ତୁ ବିନାଶ,
ଖଣ୍ଡ ଖଣ୍ଡ କରି ତବ ଶାଣିତ ଖଡଗେ,
‘ମାତୃବତ୍ ପର ଦାରେଷୁ ‘ମନ୍ତ୍ରେ ସର୍ବେ ହୁଅନ୍ତୁ ଉଦବୁଦ୍ଧ , 
ସତ୍ୟ, ଶାନ୍ତି, ଦୟା, କ୍ଷମା, ବିରାଜୁ ସମଗ୍ର ଭୁବନେ।୭। 
କମ୍ଭୁଧର ସୁନା 
ବାଘମାରୀ ,ବୀରମହାରାଜପୁର
ସୁବର୍ଣ୍ଣପୁର। 
ମୋ. ୯୫୫୬୧୯୯୦୬୦

One thought on “ଶାରଦୀୟ ଦୁର୍ଗାପୂଜା ଅନୁଚିନ୍ତା

Leave a Reply

Your email address will not be published. Required fields are marked *