ଶାନ୍ତି – ବିଶ୍ଵର ସ୍ପନ୍ଦନ

ହେ ଶାନ୍ତି !
ଲୁଚିଛ କି ତୁମେ ଅମରାବତୀରେ ?
ନା ଅଳଙ୍କୃତ କରିଛ ଅଳକାପୁରୀକୁ ?
ନିଃସ୍ଵ ଏ ବିଶ୍ୱ ଆଜି ତୁମ ବିରହେ ଜର୍ଜରିତ,
ଆସ, ଆଲିଙ୍ଗନ କର ଏ ମୁମୂର୍ଷୁ ଜଗତକୁ ।

ବିଶ୍ଵ ବକ୍ଷେ ଆଜି କାଲି,
ହିଂସା, ରକ୍ତପାତ, ରୁଧିରର ହୋଲି
ଶତ୍ରୁର ଚିତାଗ୍ନିରେ ପାଳିତ ହୁଏ ଦୀପାବଳୀ ।
ଓହ୍ଲେଇ ଆସ ଥରେ ଏ ପ୍ରେମଶୂନ୍ୟ ଦେଶେ
ଦେଖାଇ ଦିଅ ତୁମ ଶ୍ୱେତ ପ୍ରଶାନ୍ତ ରୂପ,
ଶିଖାଇ ଦିଅ ମାନବକୁ ମୈତ୍ରୀର ମହାମନ୍ତ୍ର ।

ତୁମେ ଆସିଲେ ସଞ୍ଚରିବ ନବ ଉର୍ଜ୍ଜା
ଲହୁ ଲୁହାଣ ଏ ଧରା ହୋଇଉଠିବ ସତେଜ,
ଭ୍ରାତୃତ୍ଵର ଡୋରୀରେ ବାନ୍ଧି ହେବେ
ଭାରତ-ପାକିସ୍ତାନ, ଋଷିଆ-ୟୁକ୍ରେନ, ଇସ୍ରାଏଲ-ପାଲେଷ୍ଟାଇନ
ଥମିବ ଆସନ୍ନ ବିଶ୍ବଯୁଦ୍ଧ, ରକ୍ତପାତ ଓ ବିସ୍ଫୋରଣ ।

ଆସ, ଆଉ ଥରେ ସ୍ପନ୍ଦିତ ହୁଅ
ବିଶ୍ବର ହୃଦୟରେ,
ଧମନୀ ଦେଇ ପ୍ରତିଟି ଶିରା ପ୍ରଶିରାରେ ବହୁ
ତୁମ ଅସ୍ତିତ୍ବର ତରଳୀକୃତ ରୂପ ।
ପ୍ରତିଟି ଅଙ୍ଗ ପାଉ ତୁମ ସୌହାର୍ଦ୍ଦ୍ୟର ସନ୍ଦେଶ
ହେଉ ବିଶ୍ବଶାନ୍ତିର ଶୁଭାରମ୍ଭ ।

ମର୍ମସ୍ପର୍ଶୀ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *