ରାସ୍ତାର ପଥର

ଅନେକ ଅସଫଳ କାହାଣୀର ନାୟକ ମଧ୍ୟ
ଏଇ ରାସ୍ତାରେ ତାଙ୍କ ପାଦ ଚିହ୍ନ ଛାଡ଼ିଛନ୍ତି
ଯାହାକୁ ତୁମେ ସଫଳତାର ରାସ୍ତା ବୋଲି କହୁଛ

ଭୋର୍ ରୁ ଅନ୍ନଦାତା ଟିଏ ଏହି ରାସ୍ତାରେ ଯାଇଥିଲା
ମରୁଡ଼ି ସହ ଯୁଝୁଥିବା ଫସଲ ନିକଟକୁ
ଭିକ୍ଷୁକ ମଧ୍ୟ ବାରମ୍ବାର ଧାଏଁ ଏହି ରାସ୍ତାରେ
ଏକ ଆଶା ନେଇ, ପେଟର ଭୋକ ମେଣ୍ଟେଇବାକୁ

ଅପେକ୍ଷା କେତେ ଯେ ଦୀର୍ଘ ଜାଣିନଥିଲା ସେ ପ୍ରେମିକା
ଆକାଶର ବକ୍ଷକୁ ମାପିବା ପାଇଁ ବାହାରିଥିଲା
ଏଇ ଅବାହୁଡା଼ ପଥରେ
କମାର ଲୁହାକୁ ଗରମ କରି ଆକୃତି ପରିବର୍ତ୍ତନ କରୁଥିଲା
ତା ଘର ଦେଇ ଯାଇଥିବା ଏହି ରାସ୍ତା କଡ଼ରେ
ହେଲେ ତା ଭାଗ୍ୟ ନିଖୋଜ ଥିଲା ଏହି ରାସ୍ତାରେ

ଏମିତି ଅନେକ ଅସଫଳ ବୃତ୍ତାନ୍ତ
ରାସ୍ତା କଡ଼ରେ ଥିବା ମଶାଣିର ଆଶ୍ରା ନେଇଛନ୍ତି
ଏବେ ପୁଣି ପ୍ରସସ୍ତ ହେଉଛି ସେହି ରାସ୍ତା
ପୋତା ହେଲାଣି ମାଇଲଖୁଣ୍ଟ ଟିଏ ତା କଡ଼ରେ
ସମସ୍ତ ସ୍ବପ୍ନକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାର
ନିର୍ଭର ପ୍ରତିଶ୍ରୁତି ଦେଇ ।।

ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର

Leave a Reply

Your email address will not be published. Required fields are marked *