ମୋ ବୋଉ

ସେତେବେଳେ ଆମର ଜନ୍ମମାଟି କୃଷ୍ଣ ଶରଣ ପୂର ଶାସନରେ ସପରିବାର ରହୁଥିଲୁ। ଆମ ଗାଆଁରେ ଘରକୁ ଘର ଲାଗି ରେଲ ଡାବା ଭଲି ଘର ହୋଇଥାଏ। ସମସ୍ତଙ୍କ ଚାଳକୁ ଚାଳ ଲାଗି ରହିଥାଏ। ପ୍ରତ୍ୟେକଙ୍କ କାନ୍ଥର ଦୁଇ ପାର୍ଶ୍ଵରେ ଗୋଟିଏ ଗୋଟିଏ ଜଳାବାଟ ବା ଗଳାବାଟ ଥାଏ। ପ୍ରତ୍ୟେକ ପରିବାର ପରସ୍ପର ମଧ୍ୟରେ ସୁସମ୍ପର୍କ ରହିବା ପାଇଁ ତଥା ହଠାତ୍ କୌଣସି ଜିନିଷର ଅଭାବରେ ଦେବା ନେବା ପାଇଁ ବ୍ୟବହାର କରାଯାଇଥାଏ। ସେହି ଜଳାବାଟ ମଧ୍ୟରେ ଶାଗ, ତରକାରୀ, ମିଠା ପିଠା ଠୁ ଆରମ୍ଭ କରି ଚାଉଳ ଡାଲି ମଧ୍ୟ ଦେବା ନେବା ହୁଏ। କେତେକ ଆବଶ୍ୟକ ଜିନିଷ ମଧ୍ୟ ମାପ କରି ଘରର ମହିଳାମାନେ ଧାର ଉଧାର ନେବା ଦେବା କରୁଥିଲେ। ଏପରିକି ଲୁଣ, ଚିନି, ଚାଉଳ, ଡାଲି, କିରାସିନି ପ୍ରଭୃତି ଧାର ଦେବା ଓ ସେ ମାପରେ ନେବା ହେଉଥାଏ। ନୂଆଁ ବୋହୂମାନେ ଏହି ଜଳାବାଟ ମଧ୍ୟରେ ଲଇଁ ରହି ଦୁଃଖସୁଖ ମଧ୍ୟ ହୁଅନ୍ତି।
ଆମ ପଡ଼ିଶା ଘରେ ଜଣେ ଗରିବ ବ୍ରାହ୍ମଣ ମାତ୍ର ପଚିଶି ଟଙ୍କାରେ ଭଡ଼ାକୁ ରହୁଥାନ୍ତି। ତାଙ୍କର ବଡ଼ ପରିବାର ହୋଇଥାଏ। ପୁଅ ଚାରିଟି ଓ ଝିଅ ଚାରିଟି। ତା ସହିତ ବୁଢ଼ା ବାପା ଓ ବୁଢ଼ୀ ମାଆ। ଏମାନେ ସ୍ବାମୀ ଓ ସ୍ତ୍ରୀ କୁ ମିଶାଇ ବାର ଜଣ। ସେ ବିଭିନ୍ନ ଗାଆଁ କୁ ଗାଆଁ ଯାଇ ବ୍ରାହ୍ମଣୀଆ କର୍ମ କରି ପେଟ ପୋଷନ୍ତି। କାହାର ଜାତକ ଦେଖା ତ କାହାର ପୁରାଣ, ଭାଗବତ, ବ୍ରତ ଓଷା ପଢି ଭଲ ଦି ପଇସା ଆଣନ୍ତି। ଅନେକ ଯଜମାନମାନେ ଛଞ୍ଚା ଆକାରରେ ଚାଉଳ, ଡାଲି, ପନିପରିବା ସହ ଦକ୍ଷିଣା ଆକାରରେ ଟଙ୍କା ପଇସା ଦିଅନ୍ତି। ତାଙ୍କର ପରିବାର ଚଳିବା ପରେ ଟଙ୍କା ବଳକା ହୁଏ ନାହିଁ କି ଅଭାବ ହୁଏ ନାହିଁ। ରୋଜଗାର ଦେଖି ଖର୍ଚ୍ଚ କରନ୍ତି। ଘର ଚଳିବା ଓ ପିଲାଙ୍କ ପଢ଼ାପଢ଼ିରେ ଖର୍ଚ୍ଚ ପରେ ବଳକା ହେଲେ ଝିଅମାନଙ୍କ ଭବିଷ୍ୟତ ପାଇଁ ସଞ୍ଜୟ କରନ୍ତି। ଯେତେ ଅଭାବ ହେଲେ ମଧ୍ୟ କାହାକୁ ହାତ ପତାଇ ମାଗନ୍ତି ନାହିଁ।
ଦିନକର କଥା। ମୋ ବୋଉ କଣ ଭାବିଲେ କେଜାଣି, ସେହି ଜଳାବାଟ ଦେଇ ସେ ପଡିଶା ଘର ମାଉସୀଙ୍କୁ ଲୁଣ ଗିନାଟିଏ ଧାର ଦେବାକୁ କହିଲେ। ମାଉସୀ ମଧ୍ୟ “ହଁ ଅଛି” କହି ଗିନାଏ ଲୁଣ ଦେଲେ। ନନା ସେତେବେଳେ ଚୌକିରେ ବସି ଖବରକାଗଜ ପଢୁଥାନ୍ତି। ଚଷମା ଉପର ଦେଇ ଅନାଇ ମୋ ବୋଉକୁ ଡାକି ରାଗରେ କହିଲେ, “ହଇଲୋ, କାଲି ପରା ମାସିକ ରେସନ ଜିନିଷ ଆସିଛି। ସେଥିରେ ତିନି କିଲୋଗ୍ରାମ୍ ଲୁଣ ଅଣା ହୋଇଛି। ତୁ କାହିଁକି ତାଙ୍କ ଘରକୁ ଲୁଣ ଧାର ମାଗିଲୁ। ତାଙ୍କୁ ଲୁଣ ମାଗିବା କ’ଣ ଦରକାର ଥିଲା?”
ବୋଉ ନନାଙ୍କୁ ଠାରି କହିଲା, “ପାଟି କର ନାହିଁ। ପଡ଼ିଶାଘର ଶୁଣିଲେ ଖରାପ ଭାବିବେ। କହିବେ, ଲୁଣ ଘରେ ଥାଇ ମଧ୍ୟ ମାଗୁଛନ୍ତି।”
ନନା ଟିକେ ବିରକ୍ତ ହୋଇ ସ୍ଥିର ରହିଗଲେ। ସେଇଠୁ ବୋଉ ନନାଙ୍କ ପାଖକୁ ଆସି କହିଲା, ” ମୁଁ ଜାଣିଛି ଆମର ଲୁଣ ଅଛି। ତଥାପି ମୁଁ ଜାଣିଶୁଣି ତାଙ୍କୁ ମାଗିଲି। ସେମାନେ ଅତି ଗରିବ। ମୁଁ ମାଗିବା ଉଦ୍ଦେଶ୍ୟ ଯେ ଆମେ ସାମାନ୍ୟ ଲୁଣ ଟିକେ ତାଙ୍କ ଠାରୁ ଧାର ମାଗି ଆଣିଲୁ। ଅର୍ଥାତ୍ ସେମାନେ ମଧ୍ୟ ଭାବନ୍ତୁ ଯେ, ଆମେ ମଧ୍ୟ ଗରିବ ଅଟୁ। ସେମାନେ ଭବିଷ୍ୟତରେ ଆମକୁ ଅଭାବ ବେଳେ କିଛି ମାଗନ୍ତୁ। ହଇରାଣ ହୋଇ ଅଭାବରେ ନ ରୁହନ୍ତୁ। କି ଆମକୁ ମାଗିବା ପାଇଁ ଲାଜ ନ କରନ୍ତୁ। ପଡୋଶୀ ହୋଇ ରହିଲେ ସମୟ ପଡ଼ିଲେ ଦରକାରୀ ଜିନିଷ ମାଗଯାଚ ହୋଇଥାଏ। ଏହା ଦ୍ବାରା ସମ୍ପର୍କ ବଢ଼ିବା ସହିତ ଆନ୍ତରିକତା ଆସେ।”
ନନା କହିଲେ, “ବାଃ ଭାରି ସୁନ୍ଦର ଓ ଆନନ୍ଦର କଥା।”
ଆମେ ସବୁ ପାଖରେ ଥାଇ ଶୁଣୁଥିଲୁ।
ଆମକୁ ନନା କହିଲେ, “ଏମିତି ଏକ ଖୁବ୍ ସୁନ୍ଦର ସମାଜ ତମର ବୋଉ ଗଢିବାରେ ସିଦ୍ଧହସ୍ତ। ଏଣୁ ବୋଉ (ମାଆ) ହିଁ ସମଗ୍ର ସୃଷ୍ଟି କୁ ବଦଳାଇ ପାରେ।”

ଗଗନ କୁମାର ଦାଶ

ଶୁଭଙ୍କର ନିବାସ
ମାଁ ମାଣିକେଶ୍ଵରୀ ମନ୍ଦିର ସାହି
ମୋହନା ଗଜପତି

Leave a Reply

Your email address will not be published. Required fields are marked *