ମୋ’ ଗାଆଁ,
ମୋ’ ଗାଆଁ ପରି
ଆଉ ରହିନାହିଁ,
ସହର ହୋଇଯାଇଛି…!
ଗାଁ ରାସ୍ତା
ମାଟିରୁ ସିମେଣ୍ଟିଆ ପାଲଟିସାରିଛି,
ସ୍ଥାନେ ସ୍ଥାନେ
ଦାନ୍ତ ନେଫାଡି ଅକ୍ଷାସ କରୁଛି…!
ଗାଁ ମାଟି ଘର
କୋଠା ହୋଇସାରିଛି,
କାନ୍ଥରେ ଲେଖାଥିବା
ଆବାସ ଯୋଜନାର ଇତିବୃତ୍ତି
ସ୍ଥିତାବସ୍ଥାର ଡିଣ୍ଡିମ ପିଟୁଛି…!
ମୋ’ ଗାଆଁର ଭାଗବତ ଘର,
କ୍ଲବ୍ ଘର ରୂପନେଇ
ଯୁଆନଙ୍କ ଆଡ୍ଡା ପାଲଟିଛି,
ବୁଢ଼ାବୁଢ଼ୀ ବାପାମାଆଙ୍କ ଅବସ୍ଥା
କୀଟ ପାଲଟୁଛି…!
ଝିଅବୋହୂଙ୍କ ସ୍କୁଟି ଚଲା ଦୃଶ୍ୟ
ସିନେମା ପରି ଲାଗୁଛି,
ଓଢ଼ଣା ବଦଳରେ
ସାରା ମୁହଁ ଓଢଣୀ ଢାଙ୍କୁଛି…!
ଗାଁ ଖେତ ଖଳା ଆମ୍ବତୋଟା
ଡଙ୍ଗର ନଲିଆ
ଭୂଗୋଳ ପୋଥିପତ୍ରରୁ
କେଉଁ କାଳୁ ହଜିସାରିଛି,
ପରିବେଶ ଖାଁ ଖାଁ ଲାଗୁଛି,
ସବୁଆଡ
ଆଇଁଷିଆ ଗନ୍ଧରେ ଫାଟୁଛି…!
ଗାଁ ଭୋଜିଭାତେ
ତଳେ ବସି ଖାଇବାର ମଜା
ଏ ମନ ଝୁରୁଛି,
ଠିଆ ଠିଆ
ମାଗିମାଗି ଖିଆ ପାଲା,
ବଫେ ରୂପେ ଏବେ
ସମସ୍ତଙ୍କୁ କିମିଆ କରିଛି…!
ଅପସଂସ୍କୃତିର ଝଲକରେ
ମୋ’ ଗାଆଁ ଚେହେରା ଝଲସୁଛି,
ସମସ୍ତେ ଲାଗୁଛନ୍ତି ଅଜଣା ଅଜଣା,
ସବୁକିଛି ବଦଳି ସାରିଛି,
ଏବେ ମୋ’ ଗାଆଁର ଅସ୍ତିତ୍ବ ହଜିଛି,
ହାଡକଙ୍କାଳ ତା’ର ସହର ଖାଉଛି…!
କୈଳାସ ମହାରଣା