ମୋ ଗାଁ

ଯାହାର କୋଳେ ଜନମ ମୋର
ଯେଉଁଠି ଲେଖା ମୋ ଷଠି ଘର
ଯାହା ମାଟିରେ ପାଦ ରଖି
ଦେଖିଲି ଏ ଦୁନିଆ
ସେଇ ମୋର ଗାଁ……

ଯାହାର ପାଣି ଅମୃତ ସମ
ମେଣ୍ଟାଏ ତୃଷ୍ଣା ଶତତ ମମ
ଯାହା ପବନେ ଶୁଭଇ ଲୋରୀ
ସତେ କୁହୁକ ଛୁଆଁ
ସେଇ ମୋର ଗାଁ……

ଯେଉଁଠି ନିତି ସକାଳ ଆସେ
ସୁନା ରଙ୍ଗର ମୁରୁଜ ବିଞ୍ଚେ
କାକଳି ସୁରେ
ସଜଳ ହୁଏ ସେ ଛୋଟ ଦୁନିଆ
ସେଇ ମୋର ଗାଁ……

ସଞ୍ଜ ହେଲେ ଘର ଆଗରେ
ତୁଳସୀ ମୂଳେ ପ୍ରଦୀପ ଜଳେ
ନୀରବି ଯାଏ ରାତି ଅନ୍ଧାରେ
ମନ ଆପଣା ଛାଆଁ
ସେଇ ମୋର ଗାଁ……

ଗାଁ ଶେଷରେ ଶିବ ମନ୍ଦିର
ମହକି ଉଠେ ବଉଳ ଫୁଲ
ତା ପୋଖରୀ ପଦ୍ମ କଳିରେ
ଲେଖଇ କେତେ ନାଆଁ
ସେଇମୋର ଗାଁ……

ଯା ପାଦ ଧୋଇ ନିଇତି ବହେ
ଦୟା ନଦୀ ତା କାହାଣୀ କୁହେ
କେତେ ଜୀବନ ଜୀବିକା ପାଇଁ
ପାତି ଦିଏ ତା ହିଆ
ସେଇ ମୋ ଛୋଟ ଗାଁ….

ଯାହାର କ୍ଷେତ ସବୁଜିମାରେ
ବିଷାଦ ମନ ଆନନ୍ଦେ ଭରେ
ଧାଡ଼ି ଧାଡ଼ି କା ସୋରିଷ ଫୁଲ
ଛନ୍ଦ ତୋଳେ ଆହା
ସେଇ ମୋର ଗାଁ……

ଯେଉଁ ମାଟିର ପୁନେଇ ପର୍ବ
ବୋଉର ପିଠା ଭାରି ସୁଆଦ
ସବୁ ମନରେ ସ୍ନେହ ସରାଗ
କୂଳ ଲଂଘେ ଆହା
ସେଇ ମୋର ଗାଁ…..

ଛୋଟିଆ ମୋର ଏ ଗାଁ ଭୁଇଁ
ପୋଥି ପତରେ ତା ନାଆଁ ନାହିଁ
ଅଭିପ୍ସା ଦିନେ ଜୀବନ ଶେସେ
ଜଳିବ ଚିତା ନିଆଁ
ଏଇ ମୋର ଗାଁ…..।।

ବିଦ୍ୟୁତ୍ ଲତା ସାହୁ

(ସମ୍ବଲପୁର)

Leave a Reply

Your email address will not be published. Required fields are marked *