ମୋର ଗାଁ

ବୁଲିଯିବା ଆସ ମୋ ଜନମ ଭୂଇଁକୁ
ମନଲାଖି ଗାଆଁଟିଏ
ପରିବେଶ ତାର ଅତ୍ୟନ୍ତ ସୁନ୍ଦର
ହୃଦୟକୁ ମୋହିନିଏ।

ସବୁଜ କ୍ଷେତରେ ସୁନାର ଫସଲ
ମହମହ ହୋଇ ବାସେ
ବନ ଉପଵନ ଫୁଲେ ଫଳେ ଭରା
ମନ ସହଜେ ହରଷେ।

ଗାଆଁ ଦୁଇପାଖେ ଦୁଇଗୋଟି ନଈ
କଳ କଳ ନାଦେ ବହି
ଦୁଃଖ ସହି ନିଜେ ସୁଖ ବାଣ୍ଟିଥାନ୍ତି
ମିଠା ମିଠା କଥା କହି।

ଗାଆଁର ମଝିରେ କାଳିଆ ଠାକୁର
ଶୋଭା ପାଆନ୍ତି ମନ୍ଦିରେ
ସୁଖେ ଦୁଃଖେ ଅବା ବିପଦେ ସମ୍ପଦେ
ରହନ୍ତି ପ୍ରଭୁ ସାଥିରେ।

ଗୀତ ନାଚ ଖେଳ ଗାଆଁ ପଡ଼ିଆରେ
ହୋଇଥାଏ ସଞ୍ଜବେଳେ
ଛୋଟ ପିଲାଠାରୁ ବୃଦ୍ଧ ବୃଦ୍ଧା ସର୍ଵେ
ରୁଣ୍ଡ ସେଠି ଏକାବେଳେ।

ସରଳ ଜୀବନ ଗାଆଁ ଲୋକଙ୍କର
ନଥାଏ ଗର୍ବ ମନରେ
ନରଖି ଛଳନା ଅବା ପ୍ରତାରଣା
ଭାବେ ଥାନ୍ତି ଆପଣାରେ।

ପୂଜା ପାରବଣେ ଏକାଠି ହୋଇଣ
ପାଳନ୍ତି ସଭିଏଁ ମିଶି
ପରସ୍ପର ଠାରେ ସ୍ନେହ ଅନୁରାଗ
ଦିଅନ୍ତି ଆପେ ପରଶି।

ତା ମାଟି ପବନ ଦେଇଅଛି ବଳ
ହସ ଦେଇଛି ଅଧରେ
ଗୋପଦାଣ୍ଡ ଧୂଳି ସରାଗରେ ବୋଳି
ସୁଖ ଦେଇଛି ଶରୀରେ।

ବାଲ୍ୟ ଚପଳତା ସହିଛି ଏ ମାଟି
ସହିଛି ଅଳି ଅର୍ଦ୍ଦଳି
ସ୍ନେହ କରୁଣାରୁ କରିନାହିଁ ଊଣା
ମଆଠାରୁ ସିଏ ବଳି।

ଜନମ ମାଟିରେ ନଇଁଯାଏ ମଥା
ପୋଛି ତାର ଧୂଳି ମୁଣ୍ଡେ
ଶପଥ କରେ ମୁଁ ସେବାରେ ରହିବି
ଜୀବ ଥିବା ଯାଏ ପିଣ୍ଡେ।

ଅନୁପମା ବିଶ୍ଵାଳ

ସମ୍ବଲପୁର

Leave a Reply

Your email address will not be published. Required fields are marked *