ମୁକ୍ତିର ପଥ

ଭାଙ୍ଗି ପଡିଥିବା ଖଣ୍ଡେ ଆକାଶକୁ
ଜଣେ ଆଉଜି ରହି
ଏକ ଲୟରେ ଚାହିଁ ରହିଥିଲା
ଆଉ ଖଣ୍ଡେ ଆକାଶକୁ
ସବୁକିଛି ଦୃଶ୍ୟମାନ ତଥାପି
ସବୁଠି କେବଳ କୋଳାହଳ

ଅନେକ ମଲା ଶରୀର
ଉଠିବା ପାଇଁ ଅପେକ୍ଷାରତ
ସେମାନଙ୍କ ଜୀବଦ୍ଦଶାରେ କରିଥିବା
ପାପ ପୂଣ୍ୟର ହିସାବ ଦେବାକୁ
ନର୍କ କିମ୍ବା ସ୍ୱର୍ଗ ପ୍ରାପ୍ତି ପାଇଁ

ସମସ୍ତ କୋଳାହଳ ମଧ୍ୟରେ
ଦୃଷ୍ଟି ଅଢ଼ୁଆଳରେ ରହିଥିବା
ଏକ ଶିଶୁର ନିଷ୍ପାପ ଚକ୍ଷୁ କିନ୍ତୁ
ଠହରେଇ ନେଇଥିଲା ସୃଷ୍ଟିକର୍ତ୍ତାଙ୍କ ଠିକଣାକୁ

ଗୋପନରେ ଯାଇ ପଚାରିଥିଲା ପ୍ରଶ୍ନଟିଏ
ସେଠି ତୁମେ କାହିଁକି ନାହଁ ବୋଲି ?
ସୃଷ୍ଟିକର୍ତ୍ତା ନିରୁପାୟ ଏଥର
କି ବା ଉତ୍ତର ଦେବେ !

ତୁମେ ତ ସୃଷ୍ଟିର ପ୍ରତି କଣରେ ଅଛ
ସମସ୍ତ ମଣିଷଙ୍କ ଆତ୍ମାରେ ଅଛ
ହଁ ତୁମେ ତ ସେମାନଙ୍କୁ ସୃଷ୍ଟି କରିଛ
ତେବେ ଏ ମଣିଷ ବେଶଧାରୀମାନେ କିଏ ?
ନା ଭିନ୍ନ ଭିନ୍ନ କିଛି ମଣିଷ ସୃଷ୍ଟି କରିଛ
ସେମାନଙ୍କ ଉପରେ କ’ଣ ତୁମର ଅକ୍ତିଆର ନାହିଁ
ଏଥର ସେ ଉତ୍ତର ଚାହିଁଥିଲା ସୃଷ୍ଟିକର୍ତ୍ତାଙ୍କ ଠାରୁ

ଚମତ୍କାର ତୁମେ କର ମୋର ବିଶ୍ବାସ ଅଛି
ଆବିଷ୍କାର ତୁମେ କର ମୋର ଭରସା ଅଛି
ସଂସ୍କାର ତୁମେ ଆଣ ମୋର ଆସ୍ଥା ଅଛି
ସୃଷ୍ଟିର ଆଦ୍ୟ ଓ ପ୍ରାନ୍ତ ତୁମେ
ତେବେ ତୁମେ ଏବେ ନୀରବ କାହିଁକି ?

ଏଥର କଣ ଆଉ ନାଆଟିଏ ଗଢିବନି
ମହିମଣ୍ଡଳକୁ ରକ୍ଷା କରିବାପାଇଁ
କାହାକୁ ନେବ ସେଥିରେ
ତୁମେ ତ କହିଛ
ମୋର ନା ତ ଆରମ୍ଭ ଅଛି ନା ଶେଷ
ନା ମୋହ ଅଛି
ନା ଅଛି ବାଛ ବିଚାର
ହଁ ମୁଁ ଜାଣେ ତୁମେ ସର୍ବକ୍ଷମାର ଅଧିକାରୀ

କ୍ଷମା ତୁମେ ହିଁ ଦେଇପାର
ତେବେ ଏତେ ବିଳମ୍ବ କାହିଁକି ?
ଦେଇଦିଅ ସମସ୍ତଙ୍କୁ ଅଯାଚିତ ଭାବେ
ହେ ବିଶ୍ବ ନିୟନ୍ତା ଏତିକି ମୋର ଗୁହାରୀ

ସୃଷ୍ଟିକର୍ତ୍ତା କେବଳ ହସିଥିଲେ ଏଥର
ସମାଜରେ ଯାହା ଘଟୁଛି
ମୋର ବିଚାର ନୁହେଁ
ସତ୍ୟ, ଶାନ୍ତି, ଦୟା, କ୍ଷମା ହିଁ
ମୋ ସୃଷ୍ଟିର ଆଧାର
ହେ ମାନବ ଶୁଣ ଏଥର ମୋ ହୃଦୟର ସ୍ବର

ମୁଁ କେବଳ ସଂରଚନା କରିଛି
ରୂପ, ଆକାର , ନାଁ ସବୁ ତୁମର
ବ୍ରହ୍ମାଣ୍ଡ ତୁମ ହସ୍ତେ ପ୍ରଦାନ କରିଛି
ସ୍ବର୍ଗ ଓ ନର୍କର କଳାକୃତି ତୁମର
ମୁଁ ଜନ୍ମ ଓ ମୃତ୍ୟୁ ଦେଇଛି
ଜୀବନ ବଞ୍ଚିବାର କଳା ଶିକ୍ଷା ହେଇଛି
ଗ୍ରହଣ କରିବାର ଇଚ୍ଛା ତୁମର

ମୁଁ ସତ୍ୟ ପଥ ଟିଏ ପ୍ରଦାନ କରିଛି
ଏତେ ସବୁ ଅସଂଖ୍ୟ ରାସ୍ତା ତୁମର
ମୁଁ ତୁମକୁ ଭଲ ପାଇବାର ଦୀକ୍ଷା ଦେଇଛି
ଅହଂ, ଅଭିମାନ, ଇର୍ଷା ଲୋଭ ସବୁ ତୁମର

ମୁଁ ତ ସବୁ ଦେଇଥିଲି ତୁମକୁ
ତାକୁ ସାଇତି ରଖିବା ଦାୟିତ୍ବ ତୁମର
କିଛି ତ କର୍ତ୍ତବ୍ୟ ପାଳନ କର
ହଁ ଏ ଚିତ୍କାର ସେପାଖରେ
ରହିଛି ମୋକ୍ଷର ଦ୍ଵାର
ଯାହା ସର୍ବଦା ଉନ୍ମୁକ୍ତ
ସେ ପଥ ଲଭିବା ପାଇଁ
କେବଳ ସତ୍‌କର୍ମ ହିଁ ଅଟେ ଆଧାର ।।

ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *