ଆନ୍ତରିକ ଭକ୍ତି ନାହିଁ ଯଦି
ଖୋଜିଲେ ପାଇବା କେଉଁଠୁ ?
ଅବଶ୍ୟ ଇଚ୍ଛା ଓ ଇଚ୍ଛା ମଧ୍ୟରେ
ରହିଛି ପାର୍ଥକ୍ୟ ବୋଲି
ତୃଷ୍ନା,କାମନା,ବୁଦ୍ଧି,ଶାସ୍ତ୍ର ଓ ମୂର୍ତ୍ତିକୁ ନେଇ
ଚାଲିଛି ସଂଘର୍ଷ,
ଛାଟିପିଟି ହେଲେବି
ମନରେ ବିଶ୍ୱାସ ଜମୁନି
“ବାୟୁ ଏକ ପ୍ରଶ୍ୱାସ ମାତ୍ର”।
ଅଭିବ୍ୟକ୍ତିର କାର୍ଯ୍ୟ କ’ଣ
ପଚାରିଲେ କହିବାକି?
ମାଂସପେଶୀର ଶକ୍ତି ଆମ କାର୍ଯ୍ୟ ।
ମସ୍ତିଷ୍କର ଉଚ୍ଚ ବିଚାରରେ
ଶ୍ରବଣ କରିବା ଓ ହୃଦୟ ମସ୍ତିଷ୍କ ଜିଣି
ଶରୀରର ଶିରା ପ୍ରଶିରା ଓ ପ୍ରତିଟି ରକ୍ତ ବିନ୍ଦୁରେ
ମିଶିଲେତ
ଶରୀର ରନ୍ଧ୍ର ଖୋଜିବା ।
ବିଚାରର କାଠଗଡାରେ
ଠିଆ ହୋଇ କାହିଁକି ଚିତ୍କାର ଜାଣି ହେଉନି
ଏଠାରୁ ଟିକିଏ ସେଠାରୁ ଟିକିଏ ନେଇ
ମୂହୁର୍ତ୍ତକ ଉତ୍ତେଜିତ ସ୍ନାୟୁ
ସେତିକିରେ ଶେଷକି ଜାଣିବି ହୁଏନା ।
ଅବଶ୍ୟ ମାନିବାକୁ ହେବ
ଅନ୍ତଃକରଣର ପରିପୂର୍ଣ୍ଣତା ଭିତରୁ
ମୁହଁର ଭାଷା ଉଚ୍ଚାରିତ ନହେଲେ
ପରିପୂର୍ଣ୍ଣତାର ହାତ କ’ଣ ବୁଲିପାରେ !
ଠିକ ଅଛି
ସ୍ୱାତୀ ନକ୍ଷତ୍ରର ଆରୋହଣ ବର୍ଷାକୁ
ଅପେକ୍ଷା କରିବା
ବିନ୍ଦୁଟିଏ ପଡିଲେତ
ଶାମୁକା ଭିତରୁ ମୁକ୍ତା ଖୋଜିବା ।
ଅବଶ୍ୟ ଖୋଜିଲେ ପାଇବା
‘ମାଗ,ଏବଂ ଏହା ତୁମକୁ ଦିଆଯିବ,
ଖୋଜ, ପାଇଯିବ
କବାଟ ଉପରେ ଠକ୍ ଠକ୍ କର
କବାଟ ଖୋଲିବ
ଏହା କ’ଣ ଶିଖାଇବାକୁ ହେବ ?
କେବଳ
ଇଚ୍ଛା ଓ ଇଚ୍ଛା ମଧ୍ୟରେ ରହିଥିବା ପାର୍ଥକ୍ୟକୁ
ଏବେ ବୁଝିବାକୁ ହେବ ।
ଡା.ରାଜାରାମ ଷଡଙ୍ଗୀ