ମା

ମା.. କେବଳ ମାଆ!
ଯେତେ ଚାହିଁଲେ ବି ଲେଖି ହେବନାହିଁ
ତା’ ଜାଗାରେ
ଆଉ କାହାର ନାଆଁ।

ତାର ଗାଳି
ବଡ଼ ଦାଣ୍ଡର ଧୂଳି
କାନି ପଣତ
ଶିରୀମନ୍ଦିର ର ନେତ।

ତା’ର ଭଲ ପାଇବା ଆଉ ସ୍ନେହ
କେଉଁ ଗୁଣରେ ବି
କୈବଲ୍ୟ କଣିକା ଠୁ କମ୍ ନୁହଁ ।

ସାକ୍ଷାତ କଳ୍ପବଟ
ନିଜେ ଜଳିଜଳି ପୁରା କରୁଥାଏ
ପ୍ରତିଟି ମୁହୂର୍ତ୍ତେ
ଆମ ଅସରନ୍ତି ଅଳି ଅଝଟ।

ମୁକ୍ତି ମଣ୍ଡପର
ମୁକ୍ତ ସଂସ୍କାର ଟିଏ ମାଆ
ଜୀବନ ନଈରେ
ପାର ହେବା ପାଇଁ ଏକମାତ୍ର ରାହା।

କହିପାର ତାକୁ
ସେବା ଓ ମମତାର ପ୍ରତିମୂର୍ତ୍ତି
ଅନାସକ୍ତ ସନ୍ଥଟିଏ
ମୁଁ କିନ୍ତୁ କହେ ମୋ ପାଇଁ
ମାଆ ଜୀବନ ଦର୍ଶନର ନିର୍ମଳ ଗ୍ରନ୍ଥଟିଏ।

ଆଦ୍ୟ ଜୀବନର ଜ୍ଞାନ ଗୀତା
ଅତୁଳନୀୟ
ଅସରନ୍ତି ତାର ସ୍ନେହ ମମତା।

ତପନ କୁମାର ବେହେରା

କାନପୁର, ନରସିଂହପୁର, କଟକ

Leave a Reply

Your email address will not be published. Required fields are marked *