ସକାଳ ପହରୁ ଗୁମ୍ ହୋଇ ରହିଥିବା ମେଘୁଆ ପାଗଟା ବର୍ଷିବ ବର୍ଷିବ ହୋଇ ଏବେ ସଂଧ୍ୟାରେ ବର୍ଷିବା ଆରମ୍ଭ କରିଛି। ବାପ,ପୁଅଙ୍କୁ ଆଳୁ ପକୁଡି ଦେଇ ମୁଁ ରୋଷେଇ ଘରେ ଚା ଛାଣୁଥିଲି, ଶୁଣାଯାଉଛି ରୁରୁ ଓଡିଆ ପଢୁଛି ।କାନ ଡେରିଲି।ସେ ତା’ବାପାଙ୍କୁ ପଚାରୁଛି, ବାପା ତଳକୁ ହାଫ୍ ସର୍କଲ କରି ୱାନ୍ ଦଣ୍ଡା ଦେଲେ ‘ଅ’ ଟୁ’ ଟା ଦଣ୍ଡା ଦେଲେ ‘ଆ’ ତ? ବାପା’ତ ନିଜେ ଲାପଟପ୍ ରେ ବ୍ୟସ୍ତ।ପକୁଡିରୁ ଖଣ୍ଡେ ପାଟିରେ ପକାଇ ତାକୁ ନ ଅନାଇ କହିଲେ ‘ୟେସ୍ ବେଟା’ ।
ହେ ପ୍ରଭୁ.. ଏ’ତ ନିଜ ଭାଷାର ବ୍ୟବଚ୍ଛେଦ….. ଅନ୍ୟ ଭାଷାରେ ପଢ, ଲେଖ ….ଜ୍ଞାନର ଆଲୋକରେ ନିଜକୁ ଆଲୋକିତ କର….. କିନ୍ତୁ ନିଜ ମାତୃଭାଷାର ଅଖଣ୍ଡ ଦୀପଟେ ହୃଦୟରେ ଜଳୁଥିଲେ କ୍ଷତି କ’ଣ?ତାଙ୍କ ହାତକୁ ଚା କପ୍ଟା ବଢ଼ାଇ ଦେଇ ରୁରୁ କୁ କହିଲି, ତୁ ଓଡ଼ିଆରେ କହୁନୁ, ଓଡ଼ିଆ ଆମ ମାତୃଭାଷା।
ଓଡ଼ିଶା ଆମ ‘ମାଟିମା’।
ତୁ ତ ମୋର ‘ମା’, ‘ମାଟିମା’ପୁଣି କିଏ ଦେଖାଇଲୁ ?
ଶବ୍ଦଟେ ହେଲା ଶବ୍ଦଟେ ଭାଗିଂବାର। ଗୋଟେ ପାଞ୍ଚବର୍ଷ ଅବୁଝାପିଲା ର ଅଝଟ ପ୍ରଶ୍ନ !
‘ଏବେ ଦେଖାଅ ମାଟିମା’କହି ହସିଦେଲେ ଇଏ…. ଚିଡ଼ିଗଲି ମୁଁ । ନା ଅଗଣା ଅଛି ନା ଦାଣ୍ଡ ….ଏ ପାଞ୍ଚତାଲା ବିଲଡିଂ ଟାରେ ରାତିରେ ମାଟି ଦେଖିବ….. କେମିତି ଦେଖାଇବି !
ସତରେ ତ ଅଣୁ ପରିବାର ନେଇ ବହୁତଳ ପ୍ରସାଦରେ ରହୁଥିବା ମା’ ମାନେ ତାଙ୍କ ଅଝଟ ଛୁଆଙ୍କୁ କେମିତି ଦେଖାଉଥିବେ ମାଟି, ଆକାଶ, ବର୍ଷା, ନଈ, ଜହ୍ନ, ପାହାଡ଼…. ଖାଲି ଚିତ୍ରରେ ନା ?
ପହିଲି ଆଷାଢ ର ବର୍ଷାଭିଜା ମାଟିର ଆକଣ୍ଠ ଆଘ୍ରାଣ ! ମାଟି ଭିତରୁ ମଞ୍ଜି ଫଟାଇ ଗଜୁରି ଆସୁଥିବା ଥରଥର କଅଁଳପତ୍ର ଦୁଇଟି କେମିତି ନବଜାତ ଶିଶୁ ଭଳି ଜୁଳୁଜୁଳୁ ଅନାଇ ପୃଥିବୀ କୁ ଚ଼ିହ୍ନୁଥିବାର ଅନୁପମ ଦୃଶ୍ୟ!
ଲୁଚିଛପି ରଫଖାତା ଚିରି କାଗଜଡଂଗା ଭସାଇବାର ଦୁର୍ବାର ଆକଷର୍ଣ…. ।ଘଡିମାରି ଉଠୁଥିବା ଦିତୀୟା ଜହ୍ନର ତାରାଭରା ଚୁପଚାପ୍ ରାତି…..ମେଘଧୁଆ ନୀଳ ଆକାଶର ଇନ୍ଦ୍ରଧନୂ….. କୂଳଖାଉଥିବା ବଢିଲାନଈ ର ରୁଦ୍ରରୂପ….ପାହାଡରେ ଘସିହୋଇ ସିମିଳିତୁଳା ଭଳି ଉଡି ବୁଲୁଥିବା ଧୋବ ଫରଫର ମେଘଖଣ୍ଡ…. ଏତ ଅନୁଭବ ର କଥା ଏହାକୁ କଣ ବିନା ଅନୁଭବରେ ଭୋଗି ହୁଏ ?…. ।ବହିପଢି ବା ଟିଭି ମୋବାଇଲ୍ ଦେଖି କଣ ଅନୁଭବ ର ଭାବ ପାଇହେବ ! ପୁଅକୁ ସ୍କୁଲ ଗଲାବେଳେ ମାଟି ଦେଖାଇଦେବି ଚିନ୍ତାକରି ଉଦାସ ମନରେ କିଛି ନକହି ପଳାଇ ଆସିଲି ବାଲକୋନୀ କୁ।
ଅନାଇଲି ଉପରକୁ। ଅସଂଖ୍ୟ ଗଗନଚୁମ୍ବୀ ଆପାର୍ଟମେଣ୍ଟ କୁ ଇଲେକ୍ଟି ଓ କେବୁଲ୍ ତାର ର ଜାଲ ଭିତରେ କେଉଠିଁ କେମିତି ଚେନାଏ ବିମର୍ଷ ଆକାଶ ଦେଖାଯାଉଛି।ତା ଭିତରେ ରୁନ୍ଧି ହୋଇ ଅଣନିଶ୍ବାସୀ ହେଲା ଭଳି ନିଅନ୍ ଆଲୁଅରେ ଫିକା ଦିଶୁଥିବା ଚିରୁଡାଏ ଜହ୍ନ । ଆଜିକାଲି ଆଉ ନାହିଁ ନିର୍ମଳ ଆକାଶରେ ତାରାଙ୍କ ଭିଡ ।ଦୀର୍ଘନିଶ୍ୱାସ ନେଇ ଏଥର ତଳକୁ ଅନାଇଲି। ଆଖିମୋର ଖୋଜିଗଲା ଅରାଏ ନାଲିମାଟି। ପିଲାଦିନେ ମୁଁ ରାଗିଲେ ବାପା କୁହନ୍ତି ଝିଅ ମୋର ଲାଲ୍ ମାଟିର ଖୋର୍ଦ୍ଧାଗଡ ରେ ଜନ୍ମ ।ଅନ୍ୟାୟ ବିରୋଧ ରେ ସ୍ୱର ଉତ୍ତୋଳନ କରିବା ତା ମାଟିର ଧର୍ମ । ମନରେ ଉକୁଟି ଆସୁଥିବା ମୃଦୁହସ ଟିକକ ପୁଣି ବିଲୀନ ହୋଇଗଲା ଆଗରେ ଲମ୍ବି ଯାଇଥିବା କଳା ମଚମଚ କଙ୍କ୍ରିଟ୍ ରାସ୍ତାକୁ ଦେଖି। ଆହାଃ ତା ତଳେ କି ଅସାଡ ହୋଇ ଦୁସ୍ଥ ଅବସ୍ଥାରେ ଶୋଇ ରହିଛି ‘ମାଟିମା’।ଶୋଇଛି କଣ ପଡିରହିଛି ଯେ କଡ ଲେଉଟେଇବାକୁ ଯୁ’ ନାହିଁ । ରାସ୍ତା ସେପଟେ ପଲିଥିନ ଗଦା ତଳୁ ମାଟି ଟିକେଟିକେ ଦିଶୁଛି । ତା ଭିତରୁ ଆତ୍ମପ୍ରକାଶ କରିବାର ଅସଫଳ ଚେଷ୍ଟା କରି ସତେ ଯେମିତି ଆହତ ହୋଇ ସେ ଆଣ୍ଠେଇ ପଡିଛି, ଆଉ ଉଠିପାରୁନି। ପ୍ଲାଷ୍ଟିକ ଜରିର ମହାସମୁଦ୍ର ଅକ୍ଟୋପସ୍ ଭଳି ତାର ବିଶାଳ ସାମ୍ରାଜ୍ୟ ଭିତରକୁ ଭିଡ଼ି ନେଉଛି ତାକୁ । ଏ’ତ ମାଟି ଆଉ ପଲିଥିନ ର ସଂଘର୍ଷ ! ଏହାକୁ କେବଳ ମାଟି କହି କେମିତି ଚିହ୍ନାଇବି ପୁଅକୁ?
ମାଟି କାହିଁ!
ନାଲି ମାଟି ,ମଟାଳମାଟି, ଦୋରସା ମାଟି,ମାଟିର ର ବିଭିନ୍ନ ରଂଗ ବିଭବ। ଯେଉଁ ମାଟିକୁ ନିଜର ସାବ୍ୟସ୍ତ କରିବାକୁ ଅହରହ ଯୁଦ୍ଧ, ହେଲେ ତାର ସୁରକ୍ଷା ପାଇଁ ଏତେ ଉଦାସୀନତା କଣପାଇଁ !
ଏକା ମୁଁ ନୁହେଁ, ମୋ ଭଳି ଅନେକଙ୍କୁ ନିଜ ଭବିଷ୍ୟତକୁ ମାଟି ଟିକେ ଦେଖାଇବାକୁ,ଆଖପାଖରେ ମାଟି ଟିକେ ନପାଇ ସକାଳର ପ୍ରତିକ୍ଷା କରିବାକୁ ପଡୁଥିବ ! ଯେମିତି ଅନ୍ତରରୁ ନିଶ୍ୱାସ ଆକାରରେ ହାହାକାର ସବୁ ବାହାରି ଆସିଲା।ମାଟି….ଆଃ କେତେ ଆତ୍ମିୟତା ସେ ଶବ୍ଦରେ।
ଆମକୁ କିଏ ପଚାରିଲେ ଆମେ ନିଶ୍ଚୟ କହିପାରିବା ମାଟିକୁ ଦେଖିଛେ ବୋଲି। ସତହେଲା ମାଟିକୁ ଦେଖିଛନ୍ତି ତ ସମସ୍ତେ, କିନ୍ତୁ ଚିହ୍ନିଛନ୍ତି କେତେଜଣ ?
ଏଇମାଟିରେ ଜନ୍ମ ହୋଇ,ମାଟିରେ ବଢି, ମାଟି ର ମଣିଷ ଗୁଡା ଅହଂ ର ବଶବର୍ତ୍ତୀ ହୋଇ ମାଟିରେ ପାଦ ରଖିଦେଲେ ଜୀବନ ମାଟି ହୋଇଗଲା କହି ପକାଉଛନ୍ତି।ନିଜ ମାଟିମୋହ ବିସର୍ଜନ କରି ବିଦେଶ ମାଟିକୁ ନିଜର ଭାବୁଛନ୍ତି ।
ଯେଉଁ ମୁଠାଏ ଅଧେ ଲୋକ ଚିହ୍ନିଛନ୍ତି କି ମାଟିର ମୂଲ୍ୟ ବୁଝିଛନ୍ତି ସେମାନଙ୍କ ମୂଲ୍ୟ କେହି ବୁଝି ନାହାନ୍ତି। ମାଟିରେ ଲସରପସର ହୋଇ ସମସ୍ତଙ୍କ ପେଟ ଭରୁଛନ୍ତି କିନ୍ତୁ ମୂଲ୍ୟହୀନ ସେମାନଙ୍କ ଜୀବନ। ସେମାନଙ୍କ ପରିଶ୍ରମ ଝାଳ ହୋଇ ମାଟିରେ ମିଶୁଛି । ତାଙ୍କୁ ନେଇ ଅନ୍ୟମାନେ ରାଜନୀତି କରୁଛନ୍ତି, ସେମାନଙ୍କ ଅବସ୍ଥା କିନ୍ତୁ ଯଥାପୁର୍ବଂ ତଥାପରଂ। ବେଳେବେଳେ ହତାସ ହୋଇ ଅନ୍ୟନୋପାୟ ହୋଇ ଓହଳି ପଡୁଛନ୍ତି ଡାଳରେ କି ଓରାରେ ।
ଆଉ ମୁଠାଏ ହୃଦୟରୁ ଚିହ୍ନିଛନ୍ତି, ମାଟିକୁ। ‘ମା’ ଭାବି ତାର ରକ୍ଷା ପାଇଁ ଜଗି ବସିଛନ୍ତି ଅଗ୍ନିରେଖା କାଟି । ତାର ସୁରକ୍ଷା ପାଇଁ ରକ୍ତସ୍ନାନ କରି ଝୁଲି ପଡୁଛନ୍ତି ତାରବାଡରେ … ଚିରନିଦ୍ରା ଯାଉଛନ୍ତି ତାହାରି କୋଳରେ ।ମାଟି ଚିହ୍ନରା ତ ସେତିକିରେ ସୀମାବଦ୍ଧ!
ବର୍ଷାଛିଟା ରେ ପ୍ରକୃତିସ୍ଥ ହେଲି । ବର୍ଷାର ପ୍ରଥମ ଛୁଆଁରେ ଶିହରୀ ଉଠୁଛନ୍ତି ପ୍ଲାଷ୍ଟିକ କୁଣ୍ଡରେ ଲାଗିଥିବା ଧାଡିଧାଡି ଗଛସବୁ।ପହିଲି ଆଷାଢ଼ ପାଣି ଦେଉଛି ଆମ କୁଣ୍ଡରେ ଥିବା ତୁଳସୀ ଚଉରାରେ । ଆଃ….ବିଭୋର କରୁଛି ଓଦା ମାଟିର ଭୂରୁଭୂରୁ ବାସ୍ନା। ଯେମିତି ନିଜକୁ ଜୀବିତ ଥିବାର ପ୍ରମାଣ ଦେଇ ନିଜର ସ୍ଥିତିଜାହିର କରୁଛି । ଭିଜିଗଲା ମନ! ଏବେଯାଏଁ ମୁଁ ଜାଳିଥିବା ଧୂପବତୀ ଟି ଦିକ୍ ଦିକ୍ ହୋଇ ଜଳୁଛି । ତାର କ୍ଷୀଣ ଅଗ୍ନି ସ୍ଫୁଲିଙ୍ଗ ସବୁ ମାଟି ଛୁଇଁ ପାଉଁଶରେ ପରିଣତ ହେଉଛନ୍ତି । କୁଆଁ ମେଲିଗଲା ସମ୍ଭାବନାଟିଏ, ଲଟେଇଗଲା ଆଶା। ମାଟିକୁ ହତାଦର କରୁଥିବା ମଣିଷ ବାରମ୍ବାର ବିଲୀନ ହେଉଥିବ ମାଟିରେ ହେଲେ ମାଟିର ମୃତ୍ୟୁ ନାହିଁ।
ପାଖକୁ ଡାକିଲି ପୁଅକୁ ।ଚଉରାରୁ ମାଟି ଟିପେ ନେଇ ତା ମୁଣ୍ଡରେ ମାରିଦେଲି…. ଚିହ୍ନି ରଖ.. ଇଏ ହେଲା ‘ମାଟିମା’, ତୋର ମୋର ଆମ ସମସ୍ତ ମା’।ଆକାଶେ ସ୍ୱପ୍ନପୂରଣ ହେଲେ ବି ମାଟିର ସମ୍ନାନ କରିବା ଭୂଲିବୁନି। ପାଦତଳେ ମାଟିଥିଲେ ଆକାଶ ଛୁଇଁବା ସହଜଲଭ୍ଧ । ଜଡ ହିଁ ଜୀବନ। ମାଟିର ମହମହ ବାସ୍ନାରେ ବିଭୋର ରୁରୁ କୁ କହିଲି ଦେଖ୍ ସେଠି ପଲିଥିନ ଚାଦର ଘୋଡିହୋଇ ଶୋଇଛି ‘ମାଟିମା’। ସେ ତାର ସନ୍ତାନ ମାନଙ୍କଠାରୁ ଗୋଟିଏ ମାତ୍ର ଆଶା ରଖେ ‘ସ୍ୱାଧୀନତା’ ।ସବୁପ୍ରକାର ବନ୍ଧନରୁ ମୁକ୍ତି ଚାହେଁ ମାଟି। ପ୍ରଥମେ ପଲିଥିନ୍ ମୁକ୍ତକରିବା ତାକୁ ।ସେ ନିଶ୍ୱାସ ନେଲେ ଆମେ ଶାନ୍ତିରେ ନିଶ୍ୱାସ ନେଇ ପାରିବା। ପୁଅ ମୋର କଣବୁଝିଲା କେଜାଣି କିନ୍ତୁ ଭାରି ଆଗ୍ରହରେ ହଁ ଭରିଲା ।