ମାଁ

କେଉଁ ମାଁ କଥା କହିବି ତୁମକୁ

ଉଭୟେ କରୁଣାମୟୀ

ଜଣ କ ଗର୍ଭରୁ ଜନମ ହୋଇଛି

ଆଉ ଜଣେ ମହାମାୟୀ।

ଶରତ ଋତୁର ପାର୍ବଣ ଉତ୍ସବ

କାଶତଣ୍ଡି ସଜାଇଛି

ନିର୍ମଳ ଗଗନ ନୀଳ ରଙ୍ଗ ନଭ

ସବୁଜ ଧରା ଦିଶୁଛି।

ଏହି ଋତୁ ମଧ୍ୟେ ଆସିଥାଏ ମାଆ

ନବରାତ୍ର ଦୁର୍ଗା ପୂଜା

ଆଲୋକ ସଜ୍ଜିତ କୋଳାହଳ ମୟେ

ଉଡାଇ ବିଜୟ ଧ୍ଵଜା।

ଗୃହେ ଥିବା ମାଆ ସର୍ବସ୍ବ ଦେଇଛି

ନିଃସ୍ଵାର୍ଥପର ସେବାରେ

ମିଛେଇ ମାଆଟି ମିଛ କହି କେତେ

ସଜାଡିଛି ସନ୍ତାନରେ।

ଆଜି ସେହି ମାଆ ବିକଳେ ଡାକୁଛି

ଖାଇବାକୁ ମୁଠେ ଦିଅ

ରାସ୍ତା କଡଟାରେ ହାତ ପାତୁ ଅଛି

ନାହିଁ କେ ନିଜର ପୁଅ।

କୋଟି କୋଟି ଟଙ୍କା ବାଣ ପଟୁଆର

କେତେ ସାଜସଜ୍ଜା ହୁଏ

ଚିରା ଫଟା ପିନ୍ଧି ମାଆ ବସିଅଛି

ବଜାର ଘାଟରେ ସିଏ।

ମାଆଙ୍କର ପୂଜା ଆଶିର୍ବାଦ ପାଇଁ

ଅନେକ ଭକ୍ତ ଆସନ୍ତି

ସେହି ପୁଅ ଯାଏ ଦର୍ଶନ କରିଣ

ନିଜ ମାଆ ନ ଦେଖନ୍ତି।

ବୃଦ୍ଧାଶ୍ରମ ଠାରେ ମାଆ ଟି କାନ୍ଦୁଛି

ପୁର୍ବ ଦଶହରା କଥା

କିଏ ସେ ବୁଝିବ ତା ମନର କଥା

ହୃଦୟ ଭିତର ବ୍ୟଥା।

ଆସ ବନ୍ଧୁଗଣ ମାଆ ଙ୍କୁ ପୂଜିବା

ସେହି ଜନ୍ମଦାର୍ତ୍ତୀ ମାଆ

ମାତା ଦୁର୍ଗା ଦେବୀ ସନ୍ତୋଷ ହୋଇବେ

ନିଶ୍ଚିତ ହୋଇବେ ସାହା।

ଗଗନ କୁମାର ଦାଶ

ଶୁଭଙ୍କର ନିବାସ

ମାଁ ମାଣିକେଶ୍ଵରୀ ମନ୍ଦିର ସାହି

ମୋହନା, ଗଜପତି

Leave a Reply

Your email address will not be published. Required fields are marked *