ଇଚ୍ଛା ଓ ଅନିଚ୍ଛାକୁ ଯିଏ
ଅକ୍ଳେଶରେ ଠହରେଇ ପାରେ
ସମସ୍ତ ଯନ୍ତ୍ରଣା ଯାହାର ନାମେ
ନିମିଷେ ଦୂର ହୋଇପାରେ
କିଛି ଅଳି କରେନି
ମୁକ୍ତ ହସ୍ତରେ ଦାନ ଓ ତ୍ୟାଗ କରିପାରେ
ହଁ ସେ ମା ହିଁ ହୋଇ ପାରେ ।
ମା’ ତୁ କେଉଁଠି
ତୁ ଫେରିବୁ ବୋଲି ପ୍ରତିଶୃତି ଦେଇଥିଲୁ
ମୁଁ ଜାଣେ ତୁ ସର୍ବଦା ମିଛ କହୁ
ତୋ ନାନା ବାୟା ଗୀତ
ସବୁତକ ତ ମିଛ ଥିଲା
ଆ ଜହ୍ନ ମାମୁଁ ସରଗ ଶଶି
ମୋ କାହ୍ନୁ ହାତରେ ପଡତୁ ଖସି
ଆଜି ବି ଅନାଇଛି ସେ ଜହ୍ନକୁ ।
ତୁ ପରା ସେଇଠି ଅଛୁ
ତୋ ଭାଇ ପାଖରେ ତାରାଟେ ହୋଇ
ଯେବେ ତୋ କଥା ମନେପଡ଼େ
ସେ ଜହ୍ନକୁ ଓ ତାରାକୁ ଦେଖେ
ଯେବେ ବାଦଲରେ ଆକାଶ ଆଚ୍ଛାଦିତ ଦୁଏ
ଅପେକ୍ଷା କରେ ତତେ
ତୁ ଯେମିତି ମୋ ଫେରିବା ବାଟକୁ ଅପେକ୍ଷା କରୁଥିଲୁ ।
ମା ତୁତ ସର୍ବତ୍ର ଏକଥା ମଧ୍ୟ ମୁଁ ଜାଣେ
ତୁ ଆସିଲୁ, ପୁଣି ଫେରି ମଧ୍ୟ ଗଲୁ
ଫୁଣି ତୁ ଆସିବୁ ବିଶ୍ବାସ ଅଛି
ବିଶ୍ବାସ ଅଛି
ଯେତେଦିନ ଯାଏଁ ତୋ ସନ୍ତାନକୁ ମୁକ୍ତି ମିଳିନି
ଅନ୍ଯାୟ, ଅତ୍ୟାଚାର, ଦୁର୍ନୀତି, ଭ୍ରଷ୍ଟାଚାର ଭଳି ରାକ୍ଷସ କବଳରୁ ।
ବିଶ୍ବାସ ଅଛି ତୁ ପୁଣି ଫେରିବୁ
ଶାନ୍ତି, ମୈତ୍ରୀ, ମମତାର ବନ୍ଧନରେ
ସମଗ୍ର ଜଗତକୁ ବାନ୍ଧିବା ପାଇଁ
ମୁଁ ବି ଅପେକ୍ଷା କରିଥିବି ମା
ତୁ କହିଥିଲୁ ନା
ଜହ୍ନ ମୋ ହାତରେ ଥିବ
ସେଇ ଜହ୍ନର ଶୀତଳତାକୁ
ସମଗ୍ର ଜଗତେ ବିଚ୍ଛୁରିତ କରିବା ପାଇଁ ।।
ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର