ସୁନନ୍ଦା ଏକ ମଧ୍ୟବିତ୍ତ ପରିବାରର କନ୍ୟା।ଘରେ ବାପା, ମାଆ, ସାନ ଭାଇ,ଭଉଣୀ। ଚାଷ ଜମି ଦୁଇ ମାଣ, ସେଇଥିରୁ ପରିବାର ଚଳେ। ଭଗବାନଙ୍କ ଦୟାରୁ ଦି ଓଳି ଖାଇବାରେ ଅଭାବ ନଥାଏ। ମାତ୍ର ଆଜିକାଲି ଦୁନିଆର ଚାକଚକ୍ୟ ଚଳଣି ସେ ପରିବାର ଭାଗ୍ୟରେ ନଥାଏ।ସୁନନ୍ଦା ବଡ ଝିଅ,ଏ ବର୍ଷ ଦଶମ ଶ୍ରେଣୀରେ ପାଖ ଗାଁ ହାଇସ୍କୁଲରେ ପଢେ।ବହୁତ କଷ୍ଟରେ ଦଶମ ଯାଏଁ ଆସିଛି। କେବେ ନୂଆ ବହି ତା’ ଭାଗ୍ୟରେ ନଥାଏ। ବାର୍ଷିକ ପରୀକ୍ଷା ନସରୁଣୁ ସୁନନ୍ଦାର ବାପା ପୁରୁଣା ବହି ଯୋଗାଡରେ ଲାଗିଯାନ୍ତି। କେବେ ଖାତା ନଥିଲେ କେବେ କଲମ ନଥାଏ। ଗୋଟେ ଲଣ୍ଠନ ଆଲୁଅରେ ଭାଇ ଭଉଣୀ ତିନି ଜଣ ବସି ପଢ଼ନ୍ତି। ବହୁତ କଷ୍ଟରେ ଚଳେ ସୁନନ୍ଦାର ପରିବାର। ସୁନନ୍ଦା ଦଶମ ଶ୍ରେଣୀରେ ଭଲ ନମ୍ବର ରଖି ପାସ କରେ। ସାଙ୍ଗ ମାନେ କଲେଜରେ ନାମ ଲେଖାନ୍ତି ପଢିବାକୁ। ସୁନନ୍ଦା ଘରେ ରହି ଘରକାମ କରେ। ମାତ୍ର ମନ ଭିତରେ ଅଧିକ ପଢିବାକୁ ଆଗ୍ରହ ଥାଏ। ବାପାଙ୍କ ଦାରିଦ୍ର୍ୟ ଆଗ୍ରହର ଗଳା ରୁଦ୍ଧ କରୁଥାଏ।
ଗାଆଁ ପାଖରେ ଏକ ନୂଆ କଲେଜ ଖୋଲିଥାଏ। ପିଲା ଦରକାର ନାମ ଲେଖା ପାଇଁ। ଗାଆଁ ଗାଆଁ ପିଲା ଖୋଜୁଥାନ୍ତି ଆଡ଼ମିସନ ପାଇଁ ବିନା ଫି ରେ। ସୁନନ୍ଦା ବାପାଙ୍କ ସହିତ ଯୋଗାଯୋଗ କଲେ କଲେଜ କର୍ତୃପକ୍ଷ। ମାଗଣାରେ ନାମ ଲେଖା ଶୁଣି ରାଜି ହେଲେ ବାପା।ବହିପତ୍ର କଲେଜରୁ ମିଳିବ, ଘରେ ରହି ପଢ଼ିବ ସୁନନ୍ଦା ଖାଲି ପରୀକ୍ଷା ଦେବାକୁ ଯିବାକୁ ପଡିବ କଲେଜକୁ। ନାମ ଲେଖା ହେଲା, ସୁନନ୍ଦାର ଖୁସି କହିଲେ ନସରେ। ±ଦୁଇ ଦ୍ୱିତୀୟ ବର୍ଷ ସରିବାକୁ ଦୁଇ ମାସ ଥାଏ। କେହି ଜଣେ ଖବର କଲା ସୁନନ୍ଦାକୁ ଦେଖିବାକୁ ଆସିବେ ପୁଅ ଘରୁ। ପୁଅର ବାପା ଶିକ୍ଷକ, ଦୁଇ ପୁଅ, ଦୁଇ ଝିଅ। ବଡ ପୁଅ ଗାଆଁରେ ଦୋକାନ କରିଛି, ଭଲ ରୋଜଗାର ଅଛି। ପୁଅର ବାପା ଦେଖିବାକୁ ଆସିଲେ ସୁନନ୍ଦାକୁ। ଗଲାବେଳେ କହି ଗଲେ ମୋର ଝିଅ ପସନ୍ଦ ହେଇଛି, ଖୁବ ଶୀଘ୍ର ବାହାଘର ତିଥି ଜଣେଇବେ। ସୁନନ୍ଦାର ବାପା ମାଆ ଅଡୁଆରେ ପଡିଗଲେ। ଘରେ କିଛି ନାହିଁ, ବାହାଘର କେମିତି କରିବେ। ପୁଅର ବାପା ସଫା ସଫା କହିଗଲେ ମୋର କିଛି ଯାନୀଯୌତୁକ ଦରକାର ନାଇଁ ଖାଲି ତୁମ ଝିଅଟି ଦରକାର। ଖୁସି ହେଇଗଲେ ସୁନନ୍ଦାର ବାପା, ମାଆ। ଯା ହଉ ଆଜି କାଲି ଦୁନିଆରେ ବିନା ଯୌତୁକରେ କଉଠି ବାହାଘର ହଉଛି ଯେ। ଭାବୀ ସମୁଦିଙ୍କ ଗୁଣଗାନ ଚାଲିଲା। ସୁନନ୍ଦା ବି ମନେ ମନେ ଚିନ୍ତା କରୁଥିଲା ଭଲ ପରିବାର ହେଇଥିବ। ବାପାଙ୍କ ଗରିବୀ ପାଇଁ ବିବାହର ମାନେ ବୁଝି ନଥିବା ସୁନନ୍ଦା ବେଦୀରେ ବସି ଅସୁମାରୀ ସ୍ୱପ୍ନ ଦେଖୁଥିଲା। ବିବାହ ପୂର୍ବରୁ ସୁନନ୍ଦାର ଶଶୁର କଲେଜରୁ ନାମ କାଟି ତାଙ୍କ ଗାଁ କଲେଜରେ ନାମ ଲେଖାଇ ସାରିଥାନ୍ତି। ବିବାହର ସପ୍ତ ମଙ୍ଗଳା ଦିନ +ଦୁଇ ଦ୍ୱିତୀୟ ବର୍ଷର ଶେଷ ପରୀକ୍ଷା ଥାଏ। ମୁଣ୍ଡରେ ହାତେ ଓଢଣା ଟାଣି ପରୀକ୍ଷା କେନ୍ଦ୍ରକୁ ଗଲା ସୁନନ୍ଦା। ନୂଆ ବୋହୁଟା ଲାଜ ଆଉ ଡରରେ ଦେହ ଥରୁଥାଏ। ପରୀକ୍ଷା ସରିଲା। କୃତକାର୍ଯ୍ୟ ବି ହେଲା।କଲେଜର ପରୀକ୍ଷା ସିନା ସରିଗଲା, ଜୀବନର ଅସଲ ପରୀକ୍ଷା ସେଇଠୁ ଆରମ୍ଭ ହେଲା।ଶଶୁରଙ୍କର ଅସଲ ଉଦ୍ଦେଶ୍ୟ ଧୀରେ ଧୀରେ ବୁଝିଗଲା ସୁନନ୍ଦା। ସୁନନ୍ଦାର ସ୍ୱାମୀ ଥିଲା ମଦ୍ୟପ, ଗଞ୍ଜୋଡ଼, ଜୁଆଡ଼ି। ଆଖପାଖ କେହି ଝିଅ ନଦେବାରୁ ବିନା ଯୌତୁକରେ ସୁନନ୍ଦାକୁ ବୋହୁ କରି ଆଣିଛନ୍ତି। ସୁନନ୍ଦାର ପାଦତଳୁ ମାଟି ଖସିଗଲା। କଣ ସବୁ ଘଟିଗଲା ତା’ ଜୀବନରେ! କଣ ଭାବିଥିଲା ଆଉ ପାଇଲା କଣ?କହିବ କାହାକୁ ଶୁଣିବ କିଏ? ବାପା ମାଆଙ୍କ ଗରିବୀ, ସମାଜକୁ ଡରି ଚୁପ ରହିଲା ସୁନନ୍ଦା।ଶାଶୁ, ନଣନ୍ଦଙ୍କ ପାଖରୁ ଗଞ୍ଜଣା, ସ୍ୱାମୀ ପାଖରୁ ବିନା କାରଣରେ ଅନେକ ମାଡ଼ ଖାଇଛି।ଅନେକ ଦହଗଞ୍ଜ ଭିତରେ ସୁନନ୍ଦା ମାତୃତ୍ୱ ଲାଭ କରିଛି।ଶିକ୍ଷକ ତାଲିମ ପାଇଁ ଆବେଦନ କରେ ସୁନନ୍ଦା,ସେଥିରେ ବି ସଫଳ ହୁଏ। ଛଅ/ସାତ ମାସର ଝିଅକୁ ଧରି ସିଟି ସ୍କୁଲରେ ଅଧ୍ୟୟନ ପାଇଁ ଯାଏ। ଦୁଇ ବର୍ଷ ପରେ ତାଲିମ ସାରି ଘରକୁ ଫେରେ।ଏମିତି ଗୋଟିଏ ଦିନ ନାହିଁ ସୁନନ୍ଦା ନ ମରିଛି। ପ୍ରତି ମୁହୂର୍ତ୍ତରେ ମରି ମରି ବଞ୍ଚିବାକୁ ଚେଷ୍ଟା କରିଛି।
ଶିକ୍ଷକଟିଏ ହୋଇଛି, ବାକି ଜୀବନକୁ ଖୁସିରେ କାଟିବ ବୋଲି ଭାବିଛି ସୁନନ୍ଦା। ସେ ଭାବନା ଭାବନାର ଉତ୍ତୁଙ୍ଗ ଶିଖରକୁ ଡେଇଁ ପାରିନି। ପୂର୍ଣ୍ଣଛେଦ ପଡିଛି ଭାବନାରେ। ଏବେ ଅଧିକ କଷ୍ଟ, ଅଧିକ ଗଞ୍ଜଣା, ମାଡ଼, ଗାଳି ଖାଇ ଖାଇ ପଥର ହେଇଯାଇଛି ସୁନନ୍ଦା।କାମରୁ ଫେରି ଘରେ ଗୋଡ଼ ଦେଉ ନ ଦେଉଣୁ ସ୍ୱାମୀର ଆରମ୍ଭ ହେଇଯାଏ ଅଭଦ୍ର ଭାଷାରେ ଗାଳି ଗୁଲଜ। କଣ କରୁଥିଲୁ କେଉଁ ମାଷ୍ଟ୍ର ସହ କଥା ହଉଥିଲୁ, କାହା ସହ ହେଁ ହେଁ ଫେଁ ଫେଁ ହଉଥିଲୁ???? ପ୍ରଶ୍ନ ପରେ ପ୍ରଶ୍ନ ପୁଣି ଅଭଦ୍ର ଭାଷାର ଗାଳି, ଲୋକ ଲଜ୍ଜାକୁ ଡରି ଚୁପ ରହିଛି ସୁନନ୍ଦା।ମାଡ଼ ଖାଇ ଦେହଟା ପଥର ହେଇଗଲାଣି। ଦେହସୁହା ହୋଇଗଲାଣି ସ୍ୱାମୀ ଦେବତାଙ୍କ ଅଭଦ୍ର ଗାଳିସବୁ।ସବୁ ଝିଅଙ୍କ ଭଳି ସୁନନ୍ଦା ବି ଅନେକ ସ୍ବପ୍ନ ଦେଖିଥିଲା। ସ୍ୱପ୍ନ ଦେଖିଥିଲା ସ୍ବର୍ଗୀୟ ପ୍ରେମର, ସୁନ୍ଦର ଶାଶୁଘରର, ଗୁଣଵାନ ସ୍ୱାମୀର ହେଲେ ପାଇଲା କଣ… ପ୍ରତାରଣା, ଧୋକା, ମାଡ଼, ଗାଳି, ଗଞ୍ଜଣା। ଜୀବନକୁ ପାରିଜାତ ବଗିଚା ସଜେଇବାକୁ ଚାହିଁଥିଲା ହେଲେ ସୁନନ୍ଦାର ଜୀବନଟା ମଶାଣି ପାଲଟିଗଲା। ସେ ମଶାଣିରେ ଅହରହ ଜଳୁଛି ସୁନନ୍ଦାର ଜୁଇ। ସେ ଜୁଇ ଭିତରୁ ଚିତ୍କାର କରୁଛି ସୁନନ୍ଦାର ଜିଅନ୍ତା ଶବଟା.. “ହେ ମଧ୍ୟବିତ୍ତ ବାପା ମାଆ ମାନେ ତୁମ ସୁନନ୍ଦାକୁ ଅପରିପକ୍ୱ ବୟସରେ ବିବାହ ଦେଇ କେବେ ଏମିତି ଜଳିବାକୁ ଛାଡି ଦିଅନା, ମଶାଣିର ଲେଲିହାନ ଶିଖା ଚାଟି ଖାଇଯିବ ତୁମ ସୁନନ୍ଦାର ମନ, ହୃଦୟ, ରକ୍ତ, ମାଂସ ସବୁକୁ….।”