ଆଜି ସକାଳେ ମୋତି ଆସିଲାନି, ଏବେଳା ଏତେବେଳ ହେଲାଣି ଦେଖାନାହିଁ, ବାସନ ମଜାଠୁ ନେଇ ଘର ଗୋଟାକର କାମ ପଡିଛି, ସ୍କୁଲ ରୁ ଫେରି ବ୍ୟସ୍ତ ହୋଇପଡିଲା ଦିତୀୟା । ନିଜେ କରୁଥିବ ଠିକ୍ କିନ୍ତୁ ଥରେ ଚାକରାଣୀ ର ଅଭ୍ୟାସ ପଡିଗଲେ ସେଇ କାମ ବୋଝ ଭଳି ମନେହୁଏ। ଅମର ପ୍ରାଇଭେଟ କଂପାନିରେ ଚାକିରୀ କରନ୍ତି ।ସେ ଇଂଲିଶ୍ ମିଡିୟମ୍ ସ୍କୁଲରେ। ନିମ୍ନ ମଧ୍ୟବିତ୍ତ ଦୁଇଜଣିଆ ପରିବାର ରେ ଉଭୟ ଘରକାମ କରି ଚଳାଇ ନେଉଥିଲେ। ହେଲେ ଅମରଙ୍କର ପ୍ରମୋଶନ ହେଲା ପରେ କଂପାନୀ କାମ ବଢିଗଲା । ତାଛଡା ଝିଅ ବଡ ହେବାକୁ ଲାଗିଲା, ତା’କାମ ଘରକାମ, ସ୍କୁଲ କାମ ଭିତରେ ସେ ଧନ୍ଦି ହୋଇଗଲା।ତେଣୁ ଉଭୟେ ମନସ୍ଥ କଲେ କାମବାଲୀ ଟିଏ ରଖିବେ । ଝିଅ କୁ ଚାରିବର୍ଷ ହେଲାଣି,ସେବେଠୁ ମୋତି କାମ କରୁଛି। ଚୋରି କରିବା,ଏଣୁତେଣୁ ଗପିବା, ଏସବୁ ତା’ ସ୍ୱଭାବ ବିରୁଦ୍ଧ ତାଛଡା ତାର ଘରୁଆ ହାବଭାବ, ସମୟାନୁବର୍ତ୍ତିତା ଗୁଣରୁ ସମସ୍ତେ ତାକୁ ଭଲପାଆନ୍ତି । “କେବେ’ତ ଏତେ ଡେରି କରେନା କଣହେଲା ତାର” ଭାବିଲା ବେଳକୁ କାନ୍ଦକାନ୍ଦ ମୁହଁରେ ପଶି ଆସିଲା ମୋତି। ଦିତୀୟା କିଛି ପଚାରିବା ପୁର୍ବରୁ ସେ କହିଲା, ନାନୀ ଖବର ପାଇଛନ୍ତି?
‘କି ଖବର’ ବିସ୍ମୟ ଦୃଷ୍ଟି ରେ ଅନାଇ ପଚାରିଲା ସେ।
ଏଇ ଆମ ବିଜୟ ଆଜ୍ଞା ଚାଲିଗଲେ, ସେଥିପାଇଁ ସକାଳବେଳା ଆସିପାରି ନଥିଲି। ମନଦୁଖଃ ରେ କହିଲା ସେ। ବିଜୟବାବୁଙ୍କ ଘରେ, ଆମଘରେ, ଓ ଆଉ ଦୁଇଜଣଙ୍କ ଘରେ ମୋତି କାମକରେ । ତାର ଭଲମନ୍ଦ ଅଭାବ ଅସୁବିଧାରେ ବିଜୟବାବୁଙ୍କର ସବୁବେଳେ ସାହାଯ୍ୟ କରନ୍ତି। ବିଶେଷତଃ ତା ସ୍ବାମୀ ଦେହଖରାପ ବେଳେ ଆର୍ଥିକ ସମ୍ବଳ ଓ ମାନସିକ ସହାୟତା ଯୋଗାଇ ଦେବାରେ ବିଜୟବାବୁ କାର୍ପଣ୍ୟ କରିନଥିଲେ। ସେଥିପାଇଁ ସେ ତାଙ୍କୁ ଦେବତା ଭଳି ଜ୍ଞାନ କରେ।
‘ହଠାତ୍… ବୟସ ତ’ବେଶି ନୁହେଁ, କଣ ହୋଇଥିଲା’ ଆଶ୍ଚର୍ଯ୍ୟ ହୋଇପଚାରିଲା ଦିତୀୟା ।
‘ହଠାତ୍ କଣ ନାନୀ ଡାକ୍ତର ପରା ମନାକରିଥିଲେ , ଆଉ ଟୋପାଏ ମଦ ଯେମିତି ପେଟକୁ ନଯାଏ ହେଲେ ବାବୁ କାହା କଥା ଶୁଣିଲେ ତ !ସେଇ ପିଇ ପିଇ ଚାଲିଗଲେ। ଓହୋଃ …ବଡଦୁଃଖ ର କଥା।
ହେଲେ ତାଙ୍କ ପିଇବା ନେଇ ପରିବାର ବିଶେଷତଃ ତାଙ୍କ ସ୍ତ୍ରୀ ତ’ ନିହାତି ଆପତ୍ତି କରୁଥିବେ? ପଚାରିଲା ଦିତୀୟା ।
କଣ କହିବି, ମତେ କେତେ ସାହାଯ୍ୟ କରିଛନ୍ତି।କହିବ ନକହିବ ହୋଇ କହିବା ଆରମ୍ଭ କଲାସେ। ଶୁଣ ଗୋ ନାନୀ ଜଣେ ଅଧେଙ୍କଠାରୁ ତାଙ୍କର ପିଇବା ଅସମ୍ଭାଳ ଶୁଣି ଥରେ ନିଜକୁ ସମ୍ଭାଳି ପାରିଲିନି ।ମା’ଙ୍କୁ ଯାଇ କହିଲି ଯେ ଓଲଟା ସେ ଆଖି ଦେଖାଇ କହିଲେ, ବାବୁଙ୍କୁ ତୋ ମଦୁଆ ସ୍ବାମୀ ଭାବିଲୁ ନା କ’ଣ ! ତା’ ଭଳି ଦେଶୀ ପିଇ ରାସ୍ତାରେ ଗଡୁଛନ୍ତି ନା ହସ୍ପିଟାଲ ବୁହା ହେଉଛନ୍ତି ? ଜାଣିଛୁ ବାର୍ରେ କେଡେକେଡେ ଲୋକଙ୍କ ସାଗଂରେ ବସାଉଠା ତାଙ୍କର ! ତାଙ୍କ ଗୋଟେ ପେଗ୍ ର ଦାମ୍ ରେ ତୋ ପରିବାର ସପ୍ତାହେ ଚଳିବ ବୁଝିଲୁ ! ସେ ସବୁ ଷ୍ଟାଟସ୍ ସିମ୍ବଲ କଥା ତୋ ମଗଜରେ ପସିବନି। ଯେତିକିର ଲୋକ ତୁ ସେତିକି ରେ ରହ। ଭୁଲ୍ ମାଗି ଚୁପ୍ ରହିଲି ମୁଁ । ବଡ ଲୋକଙ୍କୁ ଉତ୍ତର ନାହିଁ, ନାନୀ ମଦ ତ ଖରାପ ଚିଜ ସେଥିରେ ଦେଶୀ ବିଦେଶୀ କଣ ? ସେଇ ଦିନୁ କେଉଁଠୁ କ’ଣ ଶୁଣିଲେ ମୁଁ ଜଣାଏନା। ଦୀର୍ଘନିଶ୍ୱାସ ନେଲା ସେ।ହେଲେ ଆଜି ମା’ ମତେ କୁଣ୍ଢାଇ ଧରି ଖିନଭିନ୍ ହୋଇ ବହେ କାନ୍ଦିଲେ। ତାଙ୍କୁ ବହୁତ ବୁଝାଇଲି ଲୋ ମୋତି, ହେଲେ ସେ ଏତେ ନିଶାଶକ୍ତ ହୋଇ ସାରିଥିଲେ ଯେ ସଂସାର ପଛେ ଛାଡିଦେଲେ ମଦ ଛାଡି ପାରିଲେନି।ତାଙ୍କର ଗୋଟିଏ ବଦଭ୍ୟାସ ସବୁ ଭଲ ଗୁଣକୁ ପଛକୁ ଠେଲି ମୋ ସଂସାର ଉଛନ୍ନ କରିଦେଲା। ଲୋକଲଜ୍ଜା କୁ ଡରି ମୁଁ ଅଧିକ କିଛି କରିପାରିଲିନି। ଖାଲି ତୋ ବାବୁଙ୍କ ଭଳି ମଣିଷଙ୍କୁ ହରାଇଦେଲି।ନାନୀ ସକାଳ ପହରୁ ଏତେ ବେଳହେଲାଣି ମନରେ ମୁଁ ତାଙ୍କ କଥା ଗୁଣି ହେଉଛି। ମନ ଭାରି ବ୍ୟସ୍ତ ହେଲା, ସେଥିପାଇଁ ସକାଳବେଳା ଘରକୁ ପଳାଇଲି। ମଣିଷ ଭଳି ମଣିଷ ଥିଲେ ବାବୁ ।ନିଶା ଅସମୟରେ ତାଙ୍କୁ ଖାଇଗଲା, କହିଲାବେଳକୁ ଆଖିରେ ତାର ଲୁହ ଟଳମଳ ହେଉଥିଲା। ସବୁଶୁଣି ଭାରାକ୍ରାନ୍ତ ମନରେ ଦିତୀୟା କହିଲା
‘ହଁ ସେୟା ନୁହେଁ ତ କ’ଣ,ତୁ ତୋର ଜଣେ ବଡ ହିତାକାଂକ୍ଷୀଙ୍କୁ ହରାଇଲୁ’। ହଁ ନାନୀ ସେ ଅସମୟରେ ବାବୁ ଛିଡା ହୋଇ ନଥିଲେ ମୁଁ କିଏ ପ୍ରାଇଭେଟ ଡାକ୍ତରଖାନା କିଏ!
ବିଷାକ୍ତ ମଦପିଇ ସେ କୋଡିଏ ପଚିଶ ଜଣଙ୍କ ଜୀବନ ଯେମିତି ଅଛଟରେ ଛାଲିଗଲା, ମୋ ଗେରସ୍ତ ସେଇ ଦଶା ଭୋଗିଥାନ୍ତା। ମଦ ପିଅନା କହି କେତେ କାକୁତି ମିନତୀ ନହୋଇଛି, କେତେ ମାଡ ନଖାଇଛି ତା’ଠୁ! ଓଲଟ ବେଳେବେଳେ କହିବ,ମୁଲିଆ ମଜୁରିଆ ଆମେ ଦେହ ରୁ ମଜରା ମାରିବାକୁ ମନ୍ଦାଏ ନପିଇଲେ ହେବ! ଏମିତି ସମୟ ଆସିଲା ନାନୀ ରାସ୍ତାଘାଟ ନାଳନର୍ଦମାରେ ପଡିଲା। ରାତିଅଧ ଦିନ ଦିପହରେ ଖବର ପାଇ ଯାଇ ନେହୁରା ହୋଇ ଘୋଷାରି କରିଆଣିବି। କୋଉ ବାପଘର ବଳ ଅଛି ପଳାଇବି, ଲୋକ ଲଜ୍ଜା କୁ ଡରି କେତେଥର ବିଷ ଖାଇଦେବି ଟ୍ରେନ୍ ଲାଇନ୍ ରେ ଶୋଇପଡିବି ଭାବିଛି, ହେଲେ ଛୁଆ ତିନିଟାଙ୍କ ମୁହଁ କୁ ଅନାଇ ଓହୋରି ଆସେ। ଶେଷରେ ବିଷାକ୍ତ ମଦ ପିଇ ମରୁମରୁ ବାବୁଙ୍କ ଦୟାରୁ ବଞ୍ଚିଲା। ବାବୁ ଡାକ୍ତରଖାନା ତାପରେ “ନିଶାନିବାରଣ କେନ୍ଦ୍ର” ଏମିତି କେତେ ଯାଗାରେ ଚିକିତ୍ସା କରାଇ ବଦଭ୍ୟାସ ଛଡାଇଲେ। ହେଲେ ନିଜେ….. ବିଷର୍ଣ୍ଣ ମୋତି ପୁଣି ଲୁହ ପୋଛିଲା । କଥାକୁ ହାଲୁକା କରିବାକୁ ଯାଇ ଦିତୀୟା କହିଲା, ଛାଡ ଯିଏ ଯେତିକି ଦିନପାଇଁ ଆୟୁଷ ନେଇ ଆସିଥାଏ ସେଥିରୁ କ୍ଷଣେ ଅଧିକ ରହି ପାରିବନାହିଁ । ସେ ଯାହାହେଉ ବିଜୟବାବୁ ଙ୍କ ଦୟାରୁ ତୋ ବର ଏବେ ଗୋଟା ତୁଳସୀ। ନା’ମଁ ନାନୀ ଏ ମଦୁଆପଲ ନିଜେ ପିଇବେ,ନପିଉଥିବା ଲୋକ କୁ ଟାଣିଓଟାରି ପରା ପିଇବା ସିଖାଇବେ । ସେଇ ସାଂଗସାଥୀ ଙ୍କ ମେଳରେ ପୁଣି ପିଇବା ଆରମ୍ଭ କରିଥିଲା, ମୁଁ ରାଗରୁଷା କଲେ ଜଦି ଯାଇନଥିବ ଇସାରା କରି ତା ମଦୁଆ ସାଗଂ ଡାକିଆସିବେ। କେତେ ସମ୍ଭାଳନ୍ତି, ଦିନେ ତାକୁ ଡାକି ଆସିଥିବା ଲୋକ ଉପରକୁ ଅଁଇଠା ତୋରାଣୀ ଫୋପାଡି ପାଟିକୁ ଯାହା ଆସିଲା ବକିଲି।ଆଉ ଦିନେ ଆସିଲେ ଗରମପେଜ ପକାଇଦେବି ଧମକେଇଲି। ଆଉ ୟାକୁ ସମସ୍ତଙ୍କ ଆଗରେ ବେଲଣାକାଠି ରେ ଦି- ଚାରି ପାହାର ପକାଇ ଘରୁ ବିଦା କରିଦେଲି ।ଘରେ ତାଲା ପକାଇ ପିଲାଙ୍କୁ ଧରି ବାବୁ ଘରକୁ ପଳାଇ ଆସିଲି ଯେ ତାଙ୍କ ସିଡିଘରେ ପନ୍ଦର ଦିନ ଆଶ୍ରୟ ନେଲି। କାମକୁ ତ ପାରୁ ନଥିଲା, ଖାଇବାକୁ ପାଇଲାନି ।ବଳେ ଆସି ନିଉଛାଳି ହୋଇ ବାବୁଙ୍କ ଆଗରେ କ୍ଷମାପାର୍ଥନା କରି ଘରକୁ ନେଲା। ମୋ ହାତଟେକା କୁ ଅନେଇଥିଲା,ଏବକୁ ଛୋଟ ମୋଟ କାମ କରୁଛି। ଆମ ସାଇରେ ସମସ୍ତ ଙ୍କ ଘରେ ଏଇ ସମାନ କଥା ଗୋ ନାନୀ। ସେଥିରେ ଅତିଷ୍ଠ ହୋଇ
ଆମେ ମଦ ବିରୋଧୀ ନାରୀ ସଂଗଠନ କରିଛୁ, ଯିଏ ମଦ ପିଇ ପିଟାପିଟି କରିବ ତାକୁ ମିଶି ଉତ୍ତମମଧ୍ୟମ ଦେବୁ ।ଏବେ ଆମର ବ୍ୟକ୍ତିଗତ ଦୁଃଖ ସାମୂହିକ ଉଦ୍ୟମ ରେ ପରିଣତ ହୋଇଛି । ଆମ ମିଳିତ ସଂଗଠନକୁ ଏ ମଦୁଆ ଗୋଷ୍ଠୀ ପାରିବେ! ପିଲାଏ ବି ଆମକୁ ସମର୍ଥନ କରୁଛନ୍ତି । ତେଣିକି ବଞ୍ଚିଥିଲା ତକ ଯେତିକି ପାରିବି ମୋ ଦୁଃଖି ସଂସାର କୁ ଟାଣି ଓଟାରି ଚଳାଉଥିବି। ବେଶ୍ ଦୃଢତା ର ସହ ସେ କହିଲା। ପିଲାଏ ବଡ ହେଉଛନ୍ତି ତୋ ଦୁଃଖ ଯିବ, ଠାକୁରଙ୍କୁ ଡାକ୍ ତାଙ୍କୁ ଏସବୁ ବଦଭ୍ୟାସ ରୁ ଦୂରେଇ ରଖନ୍ତୁ । ଏତିକି କହି ଫିକା ହସି ତା’ ହାତକୁ ଚା କପେ ବଢାଇଦେଲା ଦିତୀୟା । ଚ଼ା ପିଉପିଉ କିଛି ଗପୁଥିଲା ମୋତି, କିନ୍ତୁ ଏକ ଅଜଣା ଆଶଙ୍କା ଦିତୀୟା ର ମନଆକାଶ କୁ ଆଛନ୍ନ କରି ସାରିଥିଲା ।
କିଛିଦିନ ହେଲା ସମରଙ୍କର ନୂଆ ବସ୍ ଆସିଛନ୍ତି । ଭଦ୍ରଲୋକ ଯାହାକୁ କୁହନ୍ତି ସଂପୂର୍ଣ୍ଣ ମଦୁଆ। ସେଥିରେ ଏଠାକୁ ପରିବାର ଆଣିନାହାଁନ୍ତି। ଏଣୁ ଏକୁଟିଆ ଲାଗୁଛି କହି ପ୍ରାୟ ପାର୍ଟି ଆୟୋଜନ କରୁଛନ୍ତି । ସମର ଆଦୌ ପିଉନଥିଲେ, ଏବେ ବସ୍ ଙ୍କ କଥା କାଟି ହେଉନି ବାଧ୍ୟବାଧ୍ୟକତା ରେ ପିଇବାକୁ ପଡୁଛି, ଅବଶ୍ୟ ‘ଜଷ୍ଟ ଟେବୁଲ୍ ମ୍ୟାନର୍’ କହି କଥା ଟାଳି ଦେଉଛନ୍ତି।
କାମସାରି ‘ନାନୀ ଯାଉଛି’ କହି ମୋତି କେତେବେଳୁ ଗଲାଣି। କିନ୍ତୁ ଅନ୍ୟମନସ୍କ ଭାବେ ବାଟଟାରେ ଛିଡାହୋଇ ବାହାର କୁ ଅନାଇ ଗଭୀର ଚିନ୍ତାରେ ବୁଡିଯାଇଥିଲା ଦିତୀୟା ।ଏ ଧନୀ ଗରିବ ମଧ୍ୟବିତ୍ତ ସବୁ ବର୍ଗର ଲୋକଙ୍କ ଭିତରେ କେତେ ନିର୍ଦୋନ୍ଦ ରେ ମଦ ଆସ୍ଥାନ ଜମାଇଛି !ଏ ପିଆ-ପିଇ ରୁ ପୁରୁଷ କି ସ୍ୱର୍ଗସୁଖ ପାଉଛି କେଜାଣି ନାରୀ କିନ୍ତୁ ତିଳତିଳ ହୋଇ ନର୍କଯନ୍ତ୍ରଣା ଭୋଗକରୁଛି। ଏ ସ୍ୱର୍ଗସୁଖ ମର୍ତ୍ତ୍ୟର ଦୁଃଖ ହୋଇ ସାରା ସମାଜକୁ ଗ୍ରାସିଗଲାଣି । ଅସମୟରେ କେତେ ଘର ଉଛନ୍ନ କରୁଛି, ଜୀବନ ବରବାଦ ହେଉଛି । ଆଜିକାଲି ପୁଣି ନାରୀସମାଜ ଭିତରେ ପିଇବା ଫ୍ୟାସନ ରେ ପରିଣତ ହେଲାଣି। ପଟେ ପିଇ ଏତେ ଉଠାପକା କମ୍ ଥିଲା ଯେ ଦୁଇଜଣ ପିଇଲେଣି ! ଏମାନଙ୍କର କଣ ନିଜସହ ନିଜ ପିଲାମାନଙ୍କ ଭବିଷ୍ୟତ ଚିନ୍ତା ନାହିଁ !ଏ ସମାଜ ର ଗତି କଣ ଅନ୍ଧକାର ଆଡକୁ ଅକାଳ ମୃତ୍ୟୁ କୋଳକୁ! ଭାରତୀୟ ପରିବେଶ ପାଇଁ ପାନୀୟ ର ଆବଶ୍ୟକତା ନାହିଁ । କିନ୍ତୁ ବର୍ତ୍ତମାନ ଏହା ଅତ୍ୟାବଶ୍ୟକ ପାନୀୟରେ ପରିଣତ ହେଲାଣି ।କିଏ ଦେହମଜରା ଛଡାଇବା ପାଇଁ ତ କିଏ ଷ୍ଟାଟସ୍ ସିମ୍ବଲ୍ ଭାବି ,କିଏ ଫ୍ରେଣ୍ଡ ସର୍କଲ ର ଦ୍ୱାହି ଦେଲାଣି ତ କିଏ ଟେବଲ୍ ମ୍ୟାନର ର ବାହାନା କରି ପିଉଛି। କିଏ କିଏ ତ କୁହନ୍ତି, ଦୁଃଖ କଷ୍ଟ ଲାଘବ ହେବାକୁ ପିଉଛନ୍ତି, ପ୍ରକୃତରେ କଣ ମଦ ପିଇଲେ ଦୁଃଖ ଭୂଲି ହୋଇଯାଏ ! ତାହେଲେ ନାରୀଟେ କାହିଁକି ଆପଣେଇ ପାରେନା ମଦକୁ? ତାଛଡା ଏ ମଦ୍ୟପଗୋଷ୍ଠି ଏକଜୁଟ୍ ହୋଇ ଆଜିଯାଏଁ କୌଣସୀ ଭଲକାମ କଲେଣି ବଂର ଯେତେକ ପାଗଳାମୀକୁ ପ୍ରଶ୍ରୟ ଦିଅନ୍ତି ।ବିଭିନ୍ନ ନକରାତ୍ମକ ଚିନ୍ତାରେ ଦିତୀୟା ର ମୁଣ୍ଡ କ’ଣ ହୋଇଗଲା। ସେତିକି ବେଳେ ମୋବାଇଲ୍ ରିଂ ଶୁଣି ଚମକି ପଡିଲା ସେ।ସେପଟୁ ସମର କଅଁଳେଇ କହୁଛନ୍ତି, ଦିତି ମତେ ଅପେକ୍ଷା ନକରି ତମେ ଖାଇଦେବ।ବସ୍ ଙ୍କ ଘରେ ପାର୍ଟି ଅଛି ମୁଁ ଫେରିଲା ବେଳକୁ ଟିକେ ଡେରି ହେବ। ମୁଣ୍ଡ ଟିଣଟିଣେଇ ଗଲା ତାର। ସତେକି ମା’ଚଣ୍ଡୀ ସବାର ହୋଇଗଲେ ତା ଉପରେ। ଭାରାକ୍ରାନ୍ତ ମନ ତାର ବିଦ୍ରୋହ ର ବିଭିଷିକା ହୋଇ ବର୍ଷିଗଲା ସମରଙ୍କ ଉପରେ। ସାବଧାନ କରିଦେଉଛି କେବଳ ଖାଇବ, ପିଇକରି ଆସିବନି !।ନହେଲେ ସେଠି ଟେବୁଲ୍ ମ୍ୟାନର ଦେଖାଇଲା ବେଳକୁ,ଏଠି କବାଟ ଖୋଲିବିନି ବାହାରେ ଚଉକି ବସିବ। ଆଜିଠାରୁ ତମର ପାର୍ଟି କଲଚର୍ , ବିଜନେସ୍ ଷ୍ଟ୍ରାଟେଜି ସବୁ ବନ୍ଦ। ସେଠି ପଲେ ମଦୁଆ ଏକାଠି ହୋଇ ଘର ପରିବାର ଦେଶ ଜାତି ଛାଡ ନିଜ କଂପାନି ପାଇଁ କଣ ଭଲକଥା ଚିନ୍ତାକରୁଛ ଟିକେ ଶୁଣାଇଲ ! ଦେଖ ସମର ଏଇଟା ପାର୍ଟି ର ଶେଷଦିନ ବିଚାର କରିନେବ, ନହେଲେ କେବଳ ସମାର୍ଜନୀରେ ସେବା କରିବି ନୁହେଁ, ମୋର ସୃଜନ ଶକ୍ତି ମଧ୍ୟ ଦେଖିବ। ଆମ ଉଭୟ ପରିବାର ସହ ସାଗଂସାଥୀ କଂପାନୀର ତଳଠୁ ନେଇ ଉପର ଯାଏଁ ସମସ୍ତ ଙ୍କୁ କଲ୍ କରି, ମେଲ୍ କରି, ଚିଠିଲେଖି ତମ ଗୁଣଗାରିମା ବଖାଣିବା ସହ ଜଣାଇଦେବି ତମ ଡ୍ରଙ୍କଡ୍ ପାର୍ଟି ବିଷୟରେ । ତେଣିକି ଦେଖାଯିବ!
ଫଁ ଫଁ ହୋଇ ଫଟ୍ କରି ମୋବାଇଲ୍ କାଟି ଦୁମ୍ କରି ସୋଫାରେ ବସି ପଡିଲା ଦିତୀୟା ।କ୍ରୋଧରେ ସମଗ୍ର ଶରୀର ତାର ଥରୁଥିଲା ଠକଠକ୍ ହୋଇ। ତାଙ୍କ ଘରଠାରୁ କଂପାନି କୋଡିଏ ମିନିଟ ର ବାଟ, ମାତ୍ର ଦଶ ମିନିଟ୍ ରେ ଅମର ବାଇକ୍ ରେ ଷ୍ଟାଣ୍ଡ ମାରିବା ଶବ୍ଦ ବାହାରେ ଶୁଣାଗଲା ।