ମନ ଆକାଶର ପୂର୍ଣ୍ଣିମା ଜହ୍ନ

ମନ ଆକାଶ ର ପୂର୍ଣ୍ଣିମା ଜହ୍ନ ଗୋ’
ତୁମ ରୂପେଲି ଜୋଛନା,
ଆଭା ର ଝଲକେ ମନ କାନନ ରେ
ବୋହେ ପ୍ରତି ର ଝରଣା।

ଦାରୁଣ ନିଦାଘେ ତୁମର ସ୍ପର୍ଶ ରେ
ମଳୟ ପବନ ବୋହେ,
ପହିଲି ବସନ୍ତ ରୂତୁ ଆଗମନ
ଅନୁଭୂତ ହୋଇ ଥାଏ।

ମାଘୁଆ ଶୀତ ର ଶିଶିର ବିନ୍ଦୁ ରେ
ପହିଲି ସୂର୍ଯ୍ୟ କିରଣ,
ପରାଏ ଝଟକେ ଅପୂର୍ବ ସୌନ୍ଦର୍ଯ୍ୟେ
ତୁମ ରୂପ ଯଉବନ।

ସ୍ବର୍ଗ ଅପସରୀ ମୁହଁ ଲୁଚାଇବେ
ତୁମ ରୂପ ତୁଳନା ରେ,
ଆନ ସୁନ୍ଦରୀ ଏ ମିଞ୍ଜି ମିଞ୍ଜି ତାରା
ତୁମ ଉଜ୍ଜ୍ୱଳ ଆଭା ରେ।

ମନ ଆକାଶେ’ ଉଜ୍ଜ୍ୱଳ ନକ୍ଷତ୍ର
ତୁମ ବିନା ଅମା ରାତି,
ଜୀବନରେ ଆନ ସୁଖ ଓ ସୌଭାଗ୍ୟ
ଦେଇ ନ ପାରନ୍ତି ଶାନ୍ତି।

ପାଖେ ଥିଲେ ତୁମେ ଅମରାବତୀ ର
ସୁଖ ମୋ’ର ଲୋଡା ନାହିଁଁ,
ତୁମ ଭଳି ପ୍ରିୟା ସଙ୍ଗ ଲାଭକରି
ନିଜକୁ ଧନ୍ୟ ମଣଇ।

ଚିତ୍ରସେନ ଆପଟ
ସାରସ୍ବତ ନିବାସ, ଜିନିକଳା,
ବଣାଇଁ, ସୁନ୍ଦରଗଡ଼

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *