ଭୟ କାତର ମଧ୍ୟରେ ନାରୀର ବିଚରଣ
କାଳ ରାତ୍ରିକୁ ମନରେ ବଡ଼ ଭୟ ତା’ର
ଏଇ ସତମିଛ ସଂସାରେ କାହିଁ ନାହିଁ ତା’ର ସମ୍ମାନ
ନାରୀ ଆଉ ପୁରୁଷ ମୁଦ୍ରାର ଦୁଇ ପାର୍ଶ୍ଵ ସଦୃଶ
ଦୁହେଁ ଦୁହିଁଙ୍କର ଏକାନ୍ତ ମଧୁର ସଂଯୋଗ ଆଉ ପ୍ରୀତି ପ୍ରଣୟର ସାଥୀ ସହଚର
ତଥାପି କାହିଁକି ଏକାକୀ ନାରୀଟିଏ
ନରକୁ ରାତିରେ କରୁଥାଏ ମନେ ଭୟ ।
ହଁ ଯଦି ସେ ଥାଏ ଏକାକୀ ତେବେ
ଏ ନର ପିଶାଚର ହୃଦୟେ ଲୁକ୍କାୟିତ ଥାଏ
କେବଳ କାମନା ବାସନା ଭରପୂର
ମନ୍ଦ ପ୍ରବୃତ୍ତିରେ ସଦା ଲୟ ତା’ର
ତା’ର ପୁରୁଷପଣିଆ ତାକୁ କରୁଥାଏ ଅଥୟ
ମନ ଭିତରେ କ’ଣ କେବଳ ଭରି ରହିଥାଏ
ଏହି ମନ୍ଦ ପୁରୁଷାର୍ଥ ନିରନ୍ତର ?
ଆଖିକୁ ଆଖି ମିଶାଇବା ପାଇଁ
ମନରେ ଲାଗେ ବଡ଼ ଭୟ
କାରଣ ମନରେ ଉଙ୍କିମାରେ
ସେହି ଦୁର୍ବଳା ଅଭୟା ନିର୍ଭୟା ଘଟଣା ବାରମ୍ବାର
ଆଉ ମୋମିତା ଡାକ୍ତରାଣୀର ବିଷୟ
ଥରକୁ ଥର ପ୍ରଶ୍ନ ଉଠେ ମନରେ
ଏହିପରି କ’ଣ ପ୍ରତି ପୁରୁଷ ଜାତିର ହୃଦୟ ?
କେଜାଣି ଭଲ ଦିଶୁଥିବା ଭଲକଥା କହୁଥିବା ସାହାଯ୍ୟ କରୁଥିବା ସୁନ୍ଦର ଏ ନରର ମଥା
କେଜାଣି କେତେବେଳେ ଯଦି ନିଜ ରୂପ ବଦଳାଇ ଦିଏ ନିମିଷକ ମଧ୍ୟରେ
ତେବେ କୁହନ୍ତୁ ତ ନାରୀର କିଏ ହେବ ସହାୟ
ଜାଣି ହୁଏନା କାହାର ମନ ଭିତର କଥା
ତେବେ ଏଠି ଭୁଲ୍ କାହାର ?
ଏତ ବିଡ଼ମ୍ବନା ଆମ ସମସ୍ତଙ୍କର
ମଣିଷ ପଣିଆର ଅଭାବ ସତ
ଚିନ୍ତା ଚେତନାକୁ ଯଦି କରିବା ଜାଗ୍ରତ
ତେବେ ନାରୀ ସବୁଠାରେ ହେବ ସୁରକ୍ଷିତ
ଆଉ କାଳରାତ୍ରିକୁ ନଥିବ ନାରୀର ଭୟ
କିଅବା ସ୍ଥାନକାଳ ପାତ୍ରର ନଥିବ
ବାଛ ବିଚାର ।
ଥରେ ଭାବିଦେଖନ୍ତୁ ତ ସେହି ଭୟ ଶିକାରରେ
ଆମ ଝିଅ ବୋହୂ ପଡ଼ିବେନି ତ କାହାର ?
ନାରୀଟିଏ ବିନା ଯେ ସୃଷ୍ଟି ଅସମ୍ଭବ
ବୁଝି ଅବୁଝା ଏ ମାନବ
ନାରୀ ଜନନୀ ଭଗିନୀ ଅର୍ଦ୍ଧାଙ୍ଗିନୀ ଲଳନା ରୂପେ ସଦା ନର ପାଶେ ରହିଥାଏ ବିଦ୍ୟମାନ
ଏ କଥା କି ସେ ବୁଝି ପାରେନା କଦାଚନ ?
ଯଦ୍ୟପି ମଦ୍ୟପି ଦୁଷ୍କର୍ମୀ ନର
କାୟମନ ବାକ୍ୟେ କରୁଥାଏ
ଅପରାଧ ବାରମ୍ବାର ଧନ୍ୟଧନ୍ୟ ସେହି ନର
ହାୟ ହାୟରେ ସଂସାର
ନରରୂପୀ ନାରାୟଣ ତତେ
ଶତଶତ ଜୁହାର
କେବେ ବୁଝିବୁଝାଇବୁ ତୁମ ଭାବି ବଂଶଧର ପାଖର
ନାରୀ ବିନା ନର ଅଟେ ଅସାର ନାହିଁ ଅସ୍ତିତ୍ବ ତାହାର
ଆଉ ହୃଦୟେ ରଖିଲେ ଈଶ୍ୱର ଭୟ
ନରହିବ ଆଉ କାମନା ବାସନାର ମୋହ
ଏକଥା ବୁଝି ବିଚାରି ସୁଧୁରି ପ୍ରତ୍ୟେକ ସୁଧୁରି ଯାଅ ଅତି ଶୀଘ୍ର ହେ ନର
ଏତିକି ନିବେଦନ ମୋ ଛୋଟ
କବୀ ହୃଦୟର ।
ତୃପ୍ତିରାଣୀ ପାତ୍ର
ସହଦେବଖୁଣ୍ଟା, ବାଲେଶ୍ଵର