ଅନାବନା ସେ ଗୁଡ଼ାଏ ରାତି
ହଜି ଯାଇଛି
ଭ୍ରମର ଭଉଁରୀ ମଧ୍ୟରେ
ଏକ ଦୀର୍ଘ ନିଶ୍ଵାସ ବ୍ୟତିତ
ମୋ ପାଖରେ ଆଉ କିଛି ନାହିଁ ।
ଗୋଧୂଳି ବେଳାର ପ୍ରଲେପରେ
ନିଜକୁ ପ୍ରସ୍ତୁତି କରୁଛି
ଆଉଥରେ ହଜିବାକୁ
ମହ ମହ ମାଟି ବାସ୍ନାରେ
ଆଉ ଏକ ସନ୍ଦିହାନ କ୍ଷଣର ଅପେକ୍ଷା
ରାତିର ନୀରବତା ରେ ସ୍ମୃତିକୁ
ସାଉଁଟିବା ପାଇଁ ।
ଅମୋଡା ପଥର ଅନୁସନ୍ଧାନ
ଯେଉଁଠି ଥିବ ଏକ
ସୁନ୍ଦର ହୃଦୟର ଅବସ୍ଥାନ
ପାଉଁଜି ଗୀତ ଗାଉଥିବ
ଓଠ ଥିବ ସମ୍ପୂର୍ଣ୍ଣ ନୀରବ
ଶବ୍ଦ ନୁହେଁ ସ୍ପନ୍ଦନ ଓଦା ହେଉଥିବ
ପ୍ରୀତିର ଶିଙ୍ଗାର ଲଗାଇ ।
ମିଛି ମିଛିକା ଥିବ ସବୁ
ପରିହାସ ଛଳରେ ଦୃଶ୍ୟମାନ
ତୁ କାନ୍ଦିବୁ, ମୁଁ କିନ୍ଦିବି
ପୁର୍ଣ୍ଣଚନ୍ଦ୍ର ଝଲସୁଥିବ ଆକାଶରେ
ଦୁଇଟି ହୃଦୟରେ ନିଆଁ ଲଗାଇ ।
ବାସ୍ ଏତିକି ତ
ମତେ ବଞ୍ଛାଇ ରଖିଛି
ତୋ ଭ୍ରମରେ ବିଭୋର ହୋଇ
କେଇ ଖଣ୍ଡ କବିତା ସମର୍ପଣ କରୁଛି
ନେଇଯା ନେଇଯା ତୁ
ତୋ ଘର କାନ୍ଥରେ ଟାଙ୍ଗି ଦେବୁ
ଉଭୟେ ଝଲସିବ
ତୁ ଚାନ୍ଦ ସେ ତାରା ଭଳି
ଅମାବାସ୍ୟାରେ ବି ସେ ତତେ
ଆଲୋକରେ ଦେବ ସଜାଇ ।।
ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର