ଭଡାଘର

ଅଗଣା ଟିକିଏ କୋଠା ବଖରାଏ
ଏଇ ମୋର ଭଡାଘର
ମାଲିକଠୁ ବେଶି ଭଲପାଏ ହେଲେ
ନୁହେଁ ମୁଁ ମାଲିକ ତାର

ମାଟି ହେଉ ପଛେ ଫୁଲ ପରି ଲାଗେ
ଅବିକଳ ତାର କୋଳ
ଯାଚି ଦେଇଛି ସେ ମାଗି ନାହିଁ ତିଳେ
କେବେ ମମତାର ମୂଲ
ଦେଖେଇଛି ମତେ ବଞ୍ଚିବାର ବାଟ
ହାତଧରି ଆଗଭର

ଭୁଲିବାକୁ କହେ ଅତୀତକୁ ସିଏ
ଗଢିବାକୁ ଭବିଷ୍ୟତ
ନିତି ଆଣିଦିଏ ଅନେକ ସପନ
ମିଠା ହେଉ ଅବା ତିକ୍ତ
ନିରାଶାରେ ଆଶା ବତୀଟିଏ ଜାଳି
ଦୂର କରେ ଅନ୍ଧକାର I

କଣ୍ଟାର ଆଘାତେ ଦେହରୁ ଝରିଛି
ଧୂଳିର ରକତ ଧାର
ସହିଛି ମୋ ପାଇଁ କାକର ବରଷା
ତାତିଖରା ବୈଶାଖର
ନିରୀହ ଗରିବ ଭଡାଟିଆ ବୋଲି
କରି ନାହିଁ ଅବିଚାର

ସୁହଂସ ଭୋଇ
ପହଣ୍ଡି, ବିଜେପୁର, ବରଗଡ଼

Leave a Reply

Your email address will not be published. Required fields are marked *