ବ୍ଲାଇଣ୍ଡ୍ ଡେଟ୍

ଓ୍ବାନ୍ ମିନିଟ୍ ଅଓ୍ବେ’ ରୁ ଗୋଟେ ଗୋଟେ କରି ୟା ଭିତରେ ଆସି ୩୫ ମିନିଟ୍ ବିତି ସାରିଲାଣି। ଦୁଇଟା କ୍ୟାବ୍, ଡ୍ରାଇଭର ତରଫରୁ କ୍ୟାନସଲ ହେଲା ପରେ ଏଇଟା ତୃତୀୟ କ୍ୟାବ୍ ପାଇଁ ଅପେକ୍ଷା କରିଛି ରମ୍ୟା। ଏବେ କ’ଣ ସିଷ୍ଟମ୍ କରିଛି କେଜାଣି ଡ୍ରାଇଭରକୁ ରି° ଯାଉଛି ହେଲେ କଲ ସମ୍ଭବ ହେଉନି। ଦ୍ବିତୀୟ ଡ୍ରାଇଭର ‘କଲ୍ ମି’ ମେସେଜ୍ କରି ଗୋଟିଏ ମୋବାଇଲ୍ ନମ୍ବର ସେୟାର କରିଥିଲା, କିନ୍ତୁ ଦୁଇଥର ଯାକ ରମ୍ୟା ଚାହୁଁ ଚାହୁଁ ଆପେ ଲିଭିଗଲା ମେସେଜ୍। ରମ୍ୟା ତା’ ନିଜ ଫୋନ୍ ନମ୍ବର ପଠାଇଥିଲେ ବି ସେଇ ସମସ୍ୟା। ସହରର ଏ ରାସ୍ତାଟା ନିଚ୍ଛାଟିଆ ନୁହଁ। ବେଶ୍ ଲୋକ ଗହଳି। ବ୍ୟସ୍ତ ଇଲାକାଟେ। ହେଲେ ରମ୍ୟା ପାଇଁ ନୂଆ। ଅଟୋ ବି ଦେଖା ଯାଉନି। ଆଉ ଏ ଅନଲାଇନ୍ କ୍ୟାବ୍ ପାଇଁ ଅପେକ୍ଷା କରି ୩୫ ମିନିଟ୍ ବିତି ଗଲାଣି।

          ହ୍ୟାଣ୍ଡ୍-ବ୍ୟାଗରୁ ପାଣି ବଟଲ୍ ବାହାର କଲା ରମ୍ୟା। ଢୋକେ ହେବ ପାଣି ଅଛି ଆଉ। ସେଇ ଢୋକେ ପିଇ ଦେଇ ନିଜ ଚାରି ପାଖରେ ନଜର ବୁଲାଇ ଆଣିଲା ସେ। ଖାଲି ବଟଲ୍ ଭିତରକୁ ଠିପିଟା ଟିକେ ଚାପି ପୁରାଇ ଦେଇ, ତା’ ପଛରେ ଫୁଟପାଥରୁ ଟିକେ ଛାଡି ଠିଆ ହୋଇଥିବା ଚା’ ଦୋକାନ ଆଡକୁ ଚାଲିଲା। ଖରାଟା ବହୁତ ଟାଣ ନହେଲେ ବି, କାଟୁଥାଏ। ବହୁତ ଅଧିକ ଗୁଳୁଗୁଳି ନହେଲେ ବି ମୁହଁରେ ହାଲୁକା ଝାଳ ଜକେଇ ଥାଏ। ଖରା, ଗରମ, ଝାଳ ଅପେକ୍ଷା ଅଧିକ କଷ୍ଟ ଦେଉଥାଏ କ୍ୟାବ୍ କୁ ଅପେକ୍ଷା କରିବା। ଚା’ ଦୋକାନ ପାଖରେ ପହଞ୍ଚି ପାଣି ବଟଲଟେ ଦେବାକୁ କହିଲା ରମ୍ୟା। ‘ଥଣ୍ଡା ଦରକାର ଯଦି ଫ୍ରିଜର ଖୋଲି ନେଇ ଆସ’, ଆଉ ଜଣେ ଗ୍ରାହକ ହାତକୁ ଚା’ ବଢାଉ ବଢାଉ କହିଲା ଦୋକାନୀ।

       “ନା’ -ନା’, ନର୍ମାଲ”, ଉତ୍ତର ଫେରାଇ ଥିଲା ରମ୍ୟା।

        ରମ୍ୟା ହାତକୁ ପାଣି ବଟଲ୍ ବଢାଉ ବଢାଉ ଦୋକାନୀ ପୁଣି ପଚାରିଲା – ‘ଚା’ ଗୋଟେ ଦେବି?’

        ମନା କରିବା ଅର୍ଥରେ ମୁଣ୍ଡ ହଲାଇ ରମ୍ୟା ପାଣି ବଟଲର ପଇସା ଦେଇ ପୁଣି ଫୁଟପାଥକୁ ଫେରିଲା। ପାଣି ପିଇ କୃଷ୍ଣଚୁଡା ଗଛତଳେ ଥିବା ସିମେଣ୍ଟ ଚେୟାର ଉପରେ ବସିଲା। ମୋବାଇଲ୍ ସ୍କ୍ରିନ୍ ଅନଲକ୍ କରି ଦେଖିଲା କ୍ୟାବଟା ଆଉ ୭ ମିନିଟ୍ ଦୂରରେ ଅଛି। ଏଥର ଯଦି ଏ କ୍ୟାବ୍ କ୍ୟାନସଲ୍ ହୋଇଯାଏ, ଅଟୋ ବୁକ୍ କରିବ ଭାବିଲା। ମୋବାଇଲ୍ ସ୍କ୍ରିନ୍ ଉପରେ କ୍ୟାବ୍ ଆଉ ତା’ ଭିତରେ ଏବେ ଦୂରତା ଗୋଟିଏ ମିନିଟ୍ ଦେଖଉଥିଲା। ମ୍ୟାପରେ ଦେଖା ଯାଉଥିବା ଆଗ ବୁଲାଣି ପାଖରେ ଗାଡି ଅଛି ବୋଲି ଯାହା ଜାଣା ପଡୁଥିଲା। ଚଟ୍ କରି ରମ୍ୟା ବସିବା ଯାଗାରୁ ଉଠି, ରାସ୍ତା ପାଖକୁ, ଫୁଟପାଥ ଧାରରେ ଛିଡା ହୋଇ ଡାହାଣ ପଟ ଗଳି ଆଉ ମୋବାଇଲ୍ ସ୍କ୍ରିନ୍ ଉପରକୁ ଅଦଳ ବଦଳ କରି ଅନାଉଥିଲା। ଏମିତି ଅନେଇବା ଭିତରେ ଏଇଥର ମୋବାଇଲ୍ ସ୍କ୍ରିନ୍ ଉପରେ କ’ଣ ଗାଡିଟା ହଠାତ ୟୁ-ଟର୍ନ ନେବା ଦେଖାଇଲା ଆଉ ଆରାଭାଲ୍ ସମୟ ବଢିବାକୁ ଲାଗିଲା। ଦିନ ଦିପହରଟାରେ ବି ଗୋଟାଏ ନିର୍ଜନ, ଅନ୍ଧାରୁଆ ରାସ୍ତାରେ ଏକୁଟିଆ ଛାଡି ହୋଇଯାଇଥିବା ପରି ମନଟା ଭାରି ହୋଇଗଲା ରମ୍ୟାର। କ୍ୟାନସଲ୍ କରିବ ନା’ ଆଉ ଟିକେ ଅପେକ୍ଷା କରିବ ଭାବୁଥାଏ ସେ। ହଠାତ୍ କରି କ୍ୟାନସଲ୍ କରିବା ପାଇଁ ସାହସ ହେଲାନି ତା’ର। ତଥାପି ସେ ନିଜ ଡାହାଣ ପଟ ଛକ ଆଡକୁ ଅନାଇ ଥାଏ। ଧିରେ କିରି ଆସି ବାଇକଟେ ଅଟକିଲା ରମ୍ୟା ସାମନାରେ। ରମ୍ୟାର ନଜର ନଥାଏ।

           “କ୍ୟାବ୍ କୁ ଅପେକ୍ଷା କରିଛ?” ସୌରଭର ସ୍ବର ଶୁଣି ଚମକି ପଡିଲା ରମ୍ୟା!

          “ହଁ।” ଏମିତି ଅକସ୍ମାତ୍ ଚାରିମାସ ପରେ ସୌରଭକୁ ମଝି ରାସ୍ତାରେ ଦେଖି କ’ଣ ଉତ୍ତର ଫେରାଇବ ଜାଣି ପାରିଲାନି ସେ!

         “ଗାଡି ଆସି ଗଲାଣି ନା’ ଆଗରେ ଡ୍ରପ୍ କରି ଦେବି?”

         “ନା’, ଆଉ ଗୋଟିଏ ମିନିଟ୍ ରେ ଆସିଯିବ। ବ୍ୟସ୍ତ ହୁଅନି, ମୁଁ ପଳେଇବି।”

         “ଆଜି ବି ସେଇ ଅଭ୍ୟାସ ତମର। କ୍ୟାନସଲ୍ କରି ଆସ, ଏଠି ଅଟୋ କି କ୍ୟାବ୍ ମିଳିବା କଷ୍ଟ। ଆଗ ଛକରେ ଛାଡି ଦେବି, ସେଠୁ ରିଜର୍ଭ କରି ପଳେଇବ।”

         ଥରେ ଡାହାଣ ପଟ ଛକ, ଥରେ ମୋବାଇଲ୍ ସ୍କ୍ରିନ ଆଉ ଥରେ ସୌରଭର ମୁହଁକୁ ଚାହିଁ…… ମୋବାଇଲକୁ ହ୍ୟାଣ୍ଡବ୍ୟାଗ୍ ଭିତରେ ରଖି ବାଇକ୍ ଉପରେ ଆସି ବସିଲା ରମ୍ୟା।

          ବାଇକ୍ ଷ୍ଟାର୍ଟ କରି ଗଡାଇବା ଭିତରେ ସୌରଭ ପଚାରିଲା, “ୟାଡେ କୁଆଡ଼େ ଆସିଥିଲ? ସ୍କୁଟି କାଇଁ ଆଣିନ?”

          “କାମ ଥିଲା ଟିକେ।” କ’ଣ ପାଇଁ କେଜାଣି ବ୍ରେକ୍-ଅପର ଚାରିମାସ ପରେ ବି ରମ୍ୟା ସୌରଭକୁ କହି ପାରିଲାନି ଯେ ସେ ଆଜି ବ୍ଲାଇଣ୍ଡ-ଡେଟ୍ ରେ ଆସିଥିଲା। ସୌରଭ ଆଉ ତା’ ବ୍ରେକ୍-ଅପ୍ ପରେ ମୁଡ୍ ସ୍ବିଙ୍ଗ୍ ଆଉ ଡିପ୍ରେସନ୍ ଏ ସବୁ ଫେଜ୍ ହାଲକା ପଡି ଆସିଲା ବେଳକୁ ମା’ ପ୍ରସ୍ତାବ ପରେ ପ୍ରସ୍ତାବ ଆଣି ଜୁଟଉଥିଲା। ଅଫିସ କାମ, ପ୍ରମୋସନର ପ୍ରେସର, ବାପାଙ୍କ ଡାଏଲାଇସିସ୍, ଭାଇର ଏଣ୍ଟ୍ରାନ୍ସ ଏସବୁ ଜଞ୍ଜାଳ ଭିତରେ ରମ୍ୟା ନିଜର ପ୍ରେମକୁ ଭଲରେ ବିଦାୟ ଦେବାକୁ ଶୋକସଭା ଆୟୋଜନ ପାଇଁ ବି ଫୁର୍ସତ ପାଇ ନଥିଲା। କ୍ୟାଲେଣ୍ଡର ଆଉ ମୋବାଇଲ୍ ସ୍କ୍ରିନ୍ ଉପରେ ତାରିଖ ବଦଳି ବଦଳି ୟା ଭିତରେ ଚାରି ମାସ ହେବ ସୌରଭ ସହ କଥାବାର୍ତ୍ତା ନହେବା ଭାରି ସ୍ବାଭାବିକ ହୋଇ ଯାଇଥିଲା। ଆଉ ଆଜି ସୌରଭର ଦେଖାହେବା ହିଁ ଅସହଜ ଲାଗୁଥିଲା। ତଥାପି ଦୁଇଜଣ ପ୍ରପ୍ତବୟସ୍କ ମଣିଷଙ୍କ ବ୍ୟବହାର କେମିତି ହେବା ଦରକାର, ଏଇ କଥାକୁ ସମ୍ମାନ ଦେଇ ରମ୍ୟା ପଛରୁ ପଚାରିଲା, “ତମେ?”

        ପ୍ରଶ୍ନଟା ନବୁଝି ପାରି ସୌରଭ ପଚାରିଲା, “କ’ଣ କହୁଥିଲ?”

        “ମାନେ, ତମେ ୟାଡେ କୁଆଡେ ଆସିଥିଲ?”

        “କାମ ଥିଲା ଟିକେ।”

        “ଶନିବାର? ଓ୍ବିକ୍ ଏଣ୍ଡରେ କି କାମ?”

       “ହଁ……”, କହିଦେଇ ଚୁପ୍ ରହିଲା ସୌରଭ।

       “ଲଞ୍ଚ୍ କରିବ?” ପଚାରିଲା ସୌରଭ।

        ବ୍ରେକ୍-ଅପ୍ ପରେ ବି, ପୂର୍ବତନ ପ୍ରେମିକ ସହ ଲଞ୍ଚ୍ କରାଯାଏ କି? କେଜାଣି ଏ ପ୍ରଶ୍ନ କିମ୍ବା ଉତ୍ତର କେହି କେବେ ବତାଇନଥିଲେ ତାକୁ। ଅବଶ୍ୟ ଲଞ୍ଚ କଲେ କିଛି କ୍ଷତି ବି ନାହିଁ। ହେଲେ ରମ୍ୟା ପାଟିରୁ ଆପେ ଆପେ ବାହାରି ଆସିଲା, “ଭୋକ ହୋଇନି।”

        “ମୋତେ କିନ୍ତୁ ପ୍ରବଳ ଭୋକ ହେଲାଣି। ଏଇ ଆଗରେ ଯେଉଁ ରେଷ୍ଟୋରାଣ୍ଟଟା ଦିଶୁଛି…..ତା’ର ପ୍ରିପାରେସନ୍ ଭଲ”…..ଏତିକି କହିବା ଭିତରେ ସୌରଭ ପାର୍କି°ରେ ଗାଡି ରଖି ସାରିଥିଲା। ମୂଳରୁ ହିଁ ସେ ଏମିତି, ପ୍ରଥମେ ନିଜେ ଭାବି, ବିଚାର କରି, ନିର୍ଣ୍ଣୟ ନେଇ ସାରିଲା ପରେ ମୋତେ ପ୍ରଶ୍ନ ପଚାରି ଦେଇ, ଉତ୍ତରଟା ନିଜେ ଦେଇଦିଏ। ଦେଢ଼ ବର୍ଷ ଭିତରେ ବୁଝି ପାରି ନଥିବା ଏତେ ବଡ ରହସ୍ୟଟା ଆଜି ଏଇ ରେଷ୍ଟୋରାଣ୍ଟଟ ଆଗରେ ଗାଡି ପାର୍କିଂ କରିବା ଭିତରେ ବୁଝିପାରିଲା ରମ୍ୟା। ଚାରି ମାସରେ ସେ ନିଜେ ମାଚ୍ୟୋର୍ଡ ହୋଇ ଯାଇଛି ନା’ ଚାରି ମାସ ଆଗରୁ ତା’ର ମସ୍ତିଷ୍କର ଆଖି ବନ୍ଦ ଥିଲା…..ନିଜକୁ ନିଜେ ପଚାରୁଥିଲା ସେ। ଚାରିମାସ ପୂର୍ବରୁ, ଯେଉଁ ଦିନ ସେମାନଙ୍କର ବ୍ରକ୍-ଅପ୍ ହୋଇଥିଲା, ଅନ୍ୟଦିନ ପରି ଲଞ୍ଚ୍ ଆଓ୍ବାରରେ ଖୁବ୍ ସ୍ବାଭାବିକ ଢଙ୍ଗରେ ଫୋନ୍ କରିଥିଲା ସୌରଭ। ନୀତା ଆଉ ଅନ୍ୟ ଦୁଇଜଣ କଲିଗଙ୍କ ସହ ଅଫିସ କ୍ୟାଣ୍ଟିନର ସିଢି ଚଢୁଥାଏ ରମ୍ୟା। ରମ୍ୟା ଫୋନ୍ ରିସିଭ କରୁ କରୁ ସୌରଭ ପଚାରିଲା- ‘ଖାଉଚ?’

           “ନା’- ନା’, ଏଇ ଏବେ କ୍ୟାଣ୍ଟିନ୍ ଭିତରେ ଏଣ୍ଟ୍ରି କଲୁ। ମୁଁ ଖାଇସାରେ କଥା ହେବି।” ଏତିକି କହି ରମ୍ୟା ଫୋନ୍ କାଟିବାକୁ ଯାଉଥିଲା ସୌରଭ କହିଲା, “ଆଗେ କଥା ହୋଇଯାଅ, ତା’ପରେ ଖାଇବ। ମୁଁ ବି ଏବେ ତିନି-ଚାରି ଦିନ ପାଇଁ କୋଲକାତା ବାହାରିବି।”

        “କୋଲକାତା?” ଚମକିଲା ପରି ପଚାରିଲା ରମ୍ୟା, “ହଠାତ୍ କ’ଣ କାମ ପଡିଲା?”

        “ହଠାତ୍ ନାଇଁ ସିଡ୍ବୁଲ୍ ଥିଲା। କାମ ଅଛି।” ଏକଦମ ସରଳ ଭାବରେ ଉତ୍ତର ଫେରାଇଥିଲା ସୌରଭ।

        “କହି ନଥିଲ ତ? କ’ଣ କାମ?” ତଥାପି ଆଶ୍ଚର୍ଯ୍ୟ ହୋଇ ପଚାରିଲା ରମ୍ୟା।

        “କହିନି ମାନେ?” ପୂର୍ବଥର ଅପେକ୍ଷା ଟିକେ ଉଚ୍ଚ ସ୍ବରରେ ପ୍ରଶ୍ନ ଆକାରରେ ଉତ୍ତର ଫେରାଇଲା ସୌରଭ। ସେ ପୁଣି ଯୋଡିଲା “ସବୁ କଥା କହିବା କ’ଣ ନିହାତି ଦରକାର? ମୋର କାମ ଅଛି, ମୁଁ ଯାଉଛି। ତମେ ଜାଣିବାର ଆବଶ୍ୟକତା କ’ଣ?”

        କ୍ୟାଣ୍ଟିନରେ ତିନିଜଣ କଲିଗଙ୍କ ମଝିରେ ବସି, ସୌରଭର ଏମିତିକା ପ୍ରଶ୍ନର କ’ଣ ଉତ୍ତର ଦେବ ଜାଣି ପାରିଲାନି ରମ୍ୟା। କିଛି ନକହିଲେ ବି ତା’ ମୁହଁର ରଙ୍ଗ ହାଲକା ବଦଳି ଯାଇଥିଲା। ନୀତା ତାକୁ ଆଖିରେ ଠାରି ‘କ’ଣ ହେଲା’ ପଚାରୁ ଥିଲା। ରମ୍ୟା କିଛି କହବା ଆଗରୁ ସୌରଭ ପୁଣି ଆରମ୍ଭ କଲା, “ମୋ ଦ୍ବାରା ଏସବୁ ଆଉ ମ୍ୟାନେଜ୍ କରି ହେଉନି। ରିଏଲି ଆଇ ଆମ୍ ନଟ ଫିଟ୍ ଫର ଲଭ୍। ବେକାରେ ଆମ ଦୁଇ ଜଣଙ୍କ ସମୟ ନଷ୍ଟ ହେଉଛି।”

        କାନକୁ ସୌରଭ କଥା ସ୍ପଷ୍ଟ ଶୁଭୁଥିଲେ ବି ରମ୍ୟା ବୁଝି ହିଁ ପାରୁ ନଥିଲା ସୌରଭ କ’ଣ କହୁଛି କି କ’ଣ କହିବାକୁ ଚାହୁଁଛି। ରମ୍ୟା କିଛି ପ୍ରତିକ୍ରିୟା କିମ୍ବା ପ୍ରଶ୍ନ ପଚାରିବା ପୂର୍ବରୁ ସୌରଭ ପୁଣି ଆରମ୍ଭ କଲା, “ଆଇ ଥିଙ୍କ୍ ଓ୍ବି ସୁଡ୍ ଏଣ୍ଡ୍ ଆଓ୍ବାର ରିଲେସନସିପ୍। ଦେଖ ରମ୍ୟା ଆମେ ଭଲ ବନ୍ଧୁ ହୋଇ ରହି ପାରିବା ଜୀବନ ତମାମ୍, ହେଲେ ଏ ଭଲ ପାଇବା, ସମୟ ବିତେଇବା, ଏକାଠି ବୁଲିବା……ସତରେ ମୋ ଦ୍ବାରା ସମ୍ଭବ ନୁହେଁ। ଏମିତି ଆମେ ଏକାଠି ରହିଲେ ମନରେ ତିକ୍ତତା ବଢି ଚାଲିବ। ତମେ ବୁଝୁଚ ନା’ ମୁଁ କ’ଣ କହୁଛି……?”

       “ନା’।”…..ଗୋଟିଏ ଶବ୍ଦରେ ଉତ୍ତର ଫେରାଇଥିଲା ରମ୍ୟା। ୟା ଭିତରେ ରମ୍ୟା ଖାଇବା ଟେବଲ୍ ପାଖରୁ ଉଠି ଆସି, କ୍ୟାଣ୍ଟିନ୍ କରିଡରରେ ଠିଆ ହୋଇଥାଏ। ନୀତା ଦୁଇଥର ତା’ ନମ୍ବର ବି ଡାୟେଲ୍ କରି ସାରିଥାଏ। ସୌରଭ ପୁଣି ଆରମ୍ଭ କଲା, “ମୁଁ ବାସ୍ ଏୟା କହୁଛି ଯେ, ଆମେ ଆଉ ଏ ସମ୍ପର୍କକୁ ଆଗକୁ ବଢେଇବା ଉଚିତ୍ ନୁହେଁ। ଓ୍ବି ସୁଡ୍ ଏଣ୍ଡ୍ ଦିସ୍।”

         “ମାନେ? ହଠାତ୍…..” ରମ୍ୟା କଥାକୁ ମଝିରୁ କାଟି ଦେଇ ସୌରଭ କହିଲା, “ହଠାତ୍ କିଛି ନାହିଁ, ମୁଁ ଏକଦମ୍ ଭାବିଚିନ୍ତି ଡିସାଇଡ୍ କରିଛି।”

        “ତମେ ଭାବିଚିନ୍ତି କରିଛ ମାନେ? ମୁଁ ତ ଡିସାଇଡ୍ କରିନି ନା?” ରମ୍ୟା ପ୍ରକୃତରେ କ’ଣ କହିବ ତା’ ମୁଣ୍ଡକୁ କିଛି ଜୁଟୁ ହିଁ ନଥାଏ। ସୌରଭର କଥାକୁ ଗ୍ରହଣ ନକରିପାରି ରମ୍ୟା କହିଲା, “ଛାଡ, ତମେ କୋଲକାତାରୁ ଫେରିଲେ ଆମେ କଥା ହେବା।”

        “କ’ଣ କଥା ହେବା? କିଛି କଥା ହେବା ପାଇଁ ନାହିଁ। ଓ୍ବି ଆର ଏଣ୍ଡି° ଦିସ୍ ରିଲେସନସିପ୍। ତମେ ଯାଅ ଖାଇଦିଅ, ମିଟିଂ ଥିଲା ପରା ଆଜି ଲଞ୍ଚ୍ ପରେ। ଖାଲି ପେଟରେ ମିଟିଂରେ କେମିତି ବସିବ? ଯାଅ।” ଏତିକି କହି ଫୋନ୍ କାଟି ଦେଇଥିଲା ସୌରଭ। ତଥାପି କିଛି ବୁଝି ପାରୁ ନଥାଏ ରମ୍ୟା। ବୁଝିବା ଅପେକ୍ଷା ଗ୍ରହଣ କରି ପାରୁ ନଥାଏ……ଯେ ଏଇ ଏବେଠାରୁ ସୌରଭ ଆଉ ତା’ର ସମ୍ପର୍କର କୌଣସି ମାନେ ନାହିଁ! ରମ୍ୟା କାନ୍ଦିବା ଉଚିତ୍ ନା’ ସୌରଭକୁ କଲ୍-ବ୍ୟାକ୍ କରିବା ଉଚିତ୍ ନା’ ସେଇ ଯାଗାରୁ ଦୌଡ଼ି ପଳାଇବା ଉଚିତ୍ ନା’ ସାମନା ଝରକାରୁ ତଳକୁ ଡେଇଁ ପଡିବା ଉଚିତ୍…… ରମ୍ୟାର ମସ୍ତିଷ୍କ କିଛି ଠିକ୍ କରି ପାରୁ ନଥାଏ।  ଖାଇବା ଟେବଲ୍ ପାଖକୁ ଫେରିଲା ବେଳକୁ ନୀତା ଅପେକ୍ଷା କରି ବସିଥାଏ। ବାକି ଦୁଇ ଜଣ କଲିଗ୍ ଉଠି ଚାଲି ଗଲେଣି। କିଛି ନଶୁଣିଲେ ବି ରମ୍ୟାର ଚେହେରାରୁ ନୀତା ବୋଧେ ଅନୁମାନ କରି ନେଇଥାଏ। ରମ୍ୟାକୁ ସ୍ବାଭାବିକ କରିବା ପାଇଁ କହିଲା, “ଜଲ୍ଦି ଖାଇ ଚାଲିଲୁ…..ମିଟିଂ ପୂର୍ବରୁ ଟିମ୍ କୁ ଦେବାକୁ ଥିବା ଡାଟା ତୋ ପାଖରେ ହିଁ ଅଛି। ମରିବା ନହେଲେ ସମସ୍ତେ।”

          କ’ଣ ଆଉ କେମିତି ଖାଇଲା ରମ୍ୟା ତା’ର କିଛି ହୋସ୍ ନଥାଏ, ନା’ ହୋସ୍ ଥାଏ ମିଟିଂ କି ଘରକୁ ଫେରିବା ବାଟର! ଏବେ ଭାବିଲେ ତାକୁ ଆଶ୍ଚର୍ଯ୍ୟ ଲାଗେ ସେଦିନ କେମିତି ସେ ଘରକୁ ଫେରିଲା ଆଉ କେମିତି ମା’ର କଲ୍ ରିସିଭ୍ କଲା ଆଉ କେମିତି ଫେରିବା ବାଟରୁ ପରିବା ବି କିଣିଲା! କି ସୌରଭ କଥାକୁ ସେ ପର୍ଯ୍ୟନ୍ତ ବିଶ୍ବାସ ନକରି ପାରିବାରୁ ଏ ସବୁ ହୋଇ ଯାଇଥିଲା, କେଜାଣି?

       ଓ୍ବେଟର ଆଣି ମେନୁ ଧରାଇ ନର୍ମାଲ ନା ମିନେରାଲ୍ ଓ୍ବାଟର ଦେବ ପଚାରିଲା। ମିନେରାଲ୍ ଓ୍ବାଟର ଆଣିବାକୁ କହି ଗୋଟିଏ ମେନୁ କାର୍ଡକୁ ଏପଟ ସେପଟ ଦେଖିବାକୁ ଲାଗିଲା ସୌରଭ। ସୌରଭ ଓ୍ବେଟରକୁ ନାନ୍, ବଟର ଚିକେନ୍ ଆଉ ଗୁଲାବ୍ ଜାମୁନ୍ ଅର୍ଡର ଦେଉଥିଲା। ତା’ପରେ ରମ୍ୟା ଆଡ଼କୁ ଅନାଇ ପଚାରିଲା, “ଆଉ କିଛି ମଗେଇବ?”

        “ମୋ ପାଇଁ ଗୋଟେ ହକ୍କା ନୁଡୁଲ୍ସ।” ଓ୍ବେଟରକୁ ଏତିକି କହି, ଓ୍ବାସରୁମ୍ ଆଡକୁ ଉଠିଗଲା ରମ୍ୟା।

         ଓ୍ବାସରୁମରୁ ବାହାରିବା ପୂର୍ବରୁ ଆଉ ଟିକେ ଟଚ୍-ଅପ୍ ନେଇ ନେଲା। ଖରାରେ କ୍ୟାବ୍ କୁ ଅପେକ୍ଷା କଲା ଭିତରେ ମେକ୍-ଅପ୍ ଟିକେ ଝାଉଁଳି ଯାଇଥିଲା। ହଁ, ଏଥର ଫ୍ରେସ୍ ଲାଗୁଥିଲା ନିଜକୁ। ଘରୁ ବାହାରିଲା ବେଳେ ମା’ର ଏକା ଜିଦ୍, “ଖରାରେ ସ୍କୁଟି ନେଇ ଯା’ନି। ସେଠି ପହଞ୍ଚିଲା ବେଳକୁ ଥକ୍କା ଥକ୍କା ଦେଖା ଯିବୁ। ଅଟୋ ନହେଲେ କ୍ୟାବ୍ କରି ଯା’।”

       ଟେବଲ୍ ପାଖକୁ ଫେରିଲା ବେଳକୁ, ସୌରଭ ମୋବାଇଲ ଦେଖିବାରେ ବ୍ୟସ୍ତ ଥାଏ। ରମ୍ୟା ଚୁପଚାପ ବସି ରେଷ୍ଟୋରାଣ୍ଟର ଇଣ୍ଟେରିଅର ପରଖୁ ଥିଲା। ଭଲ ଋଚି ଲୋକଟାର। ୟା ଭିତରେ ଖାଦ୍ୟ ଆସି ଯାଇଥିଲା ଟେବଲ୍ ଉପରକୁ। ଖାଇବା ମଝିରେ ସୌରଭ କହିଲା, “ଗୋଟେ କଥା କହିବି, ହେଲେ ତୁମେ ଏବେ ପଛକୁ ବୁଲି ଅନାଇବନି। ହ୍ୟାଣ୍ଡ୍-ଓ୍ବାସ କରିବାକୁ ଗଲାବେଳେ ଦେଖିବ। ଠିକ୍ ଆମ ପଛ ଟେବଲରେ ଯେଉଁ ଦୁଇ ଜଣ ପୁଅ-ଝିଅ ବସିଛନ୍ତି, ସେଇ ଝିଅକୁ ହିଁ ଦେଖା କରିବାକୁ ଆସିଥିଲି ଆଜି ଏପଟକୁ। ବ୍ଲାଇଣ୍ଡ୍-ଡେଟ୍।”

        ବିଲକୁଲ୍ ବି ପଛକୁ ନଅନାଇ, ପାଟିରେ ଥିବା ନୁଡୁଲ୍ସ ଢୋକି ସାରି ରମ୍ୟା କହିଲା, “ଦେଖି ସାରିଛି। ଓ୍ବସରୁମ୍ ଗଲା ବେଳେ। ସେଇ ଝିଅଟି ସାଙ୍ଗରେ ଥିବା ପୁଅକୁ ଭେଟିବା ପାଇଁ ହିଁ ମୁଁ ଆଜି ଆସିଥିଲି ଏପଟକୁ।”

         ରମ୍ୟା କଥା ଶୁଣି ସୌରଭ କହିଲା, “ଜଣକୁ ଦେଖା କରି ସାରି ପୁଣି ଆଉ ଜଣକୁ ଦେଖା କରୁଛନ୍ତି ଦିହେଁ? ଏତେ ଧୈର୍ଯ୍ୟ?”

         ଓ୍ବେଟରକୁ ପାଖକୁ ଆସିବା ପାଇଁ ହାତ ଠାରିବା ଭିତରେ ରମ୍ୟା ଉତ୍ତର ଦେଲା, “ଏକ୍ସ ବି ହୋଇ ଥାଇ ପାରନ୍ତି।”

        ଫିଙ୍ଗର ବାଓଲ୍ ଭିତରେ ଆଙ୍ଗୁଠି ସ୍ଥିର କରିଦେଇ ସୌରଭ ଚାହିଁଲା ରମ୍ୟା ଆଡ଼କୁ। ମୁହଁ ପୋଛି, ଟିସ୍ବୁକୁ ଚଉତି ପ୍ଲେଟ୍ ଉପରେ ରଖୁ ରଖୁ ରମ୍ୟା ଓ୍ବେଟରକୁ କହୁଥିଲା, “ଦୁଇଟା ସେପାରେଟ୍ ବିଲ୍ କରିଦେବ।”

ଡା ଇପ୍‌ସିତା ପ୍ରଧାନ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *