ଭାରି ଖୁସି ଲାଗୁଥିଲା ପୁଅ ର ଉନ୍ନତି ଦେଖି l ଯେତେହେଲେ ବାପା ପରା l କୋଉ ବାପା ନ ଚାହେଁ ତା ଠାରୁ ତା ପୁଅ ଅଧିକା ହେଉ ବୋଲି ? ପୁଣି କୌଳିକ ବୃତ୍ତି ମାନେ ବିକାଶ ବାବୁ ଡକ୍ଟର ଏବଂ ତାଙ୍କ ପୁଅ ସୁପ୍ରତିମ ବି ସେଇ ରାସ୍ତା କୁ ଆପଣେଇଲା ଯଦି ଖୁସି ର କଥା ଓ ଏବେ ସିଏ ପୁଅର ଭବିଷ୍ୟତ ନେଇ ନିଶ୍ଚିନ୍ତ l ତାଙ୍କ ପୁଅ ବି ତାଙ୍କ ଠାରୁ ଦଶ ଗୁଣା ଅଧିକ ସଫଳତା ହାସଲ କରି ପାରିଛି l ପିଲା ଦିନୁ ବିଟୁ ଟା ବାଦୁଆ ଥିଲା ବୋଲି ହସି ହସି ବିକାଶ ବାବୁ ପତ୍ନୀଙ୍କ ସାମ୍ନା ରେ କହନ୍ତି l କିନ୍ତୁ ପତ୍ନୀ ଏତେ ଟା ଖୁସି ହେଲା ଭଳି ଲାଗନ୍ତି ନାହିଁ l ନ ହୁଅନ୍ତୁ କଣ ଯାଏ ଆସେ l ଏମାନେ କଣ ବୁଝିବେ ଅର୍ଥ ପ୍ରତିପତ୍ତି ଗାଡି ଘୋଡା ର ମୂଲ୍ୟ ? ଦରକାର ବେଳେ ହାତ ପାଖରେ ସବୁ ଯୋଗାଇ ଦେବାକୁ ହେବ l ହେଲେ ପଇସା କୋଉଠୁ ଆସୁଛି କେମିତି ଆସୁଛି କିଛି ବି ମୁଣ୍ଡ କୁ ନେବ ନାହିଁ ଏଇ ସ୍ତ୍ରୀ ଲୋକ ଜଣକ l
ବିଟୁ ଟା ଆରମ୍ଭ ରୁ ପାଠ ରେ ଆଗୁଆ ଥିଲା l ସମସ୍ତଙ୍କୁ ହରାଇ ନିଜେ ଜିତିବାର ଯୋଉ ଯୋଶ ତାହା ବିଟୁ ପାଖରେ ହିଁ ଥିଲା l ପ୍ରତିଦ୍ବନ୍ଦୀ କହିଲେ ସେଇ ରବି ଯାହାର ବାପା ଦୋକାନ କରିଥାନ୍ତି ଏବଂ ବିକାଶ ବାବୁ ଖାସେ ସେଇ ଦୋକାନ ରୁ ନିଜେ ଯାଇ ଜିନିଷ ଆଣନ୍ତି ଖାଲି ବିଟୁର ଗୁଣଗାନ କରିବା ପାଇଁ l ରବି ଓ ବିଟୁ ଉଭୟେ ମେଡିକାଲ ରେ ପାଇଲେ ଏବଂ ଦୁଇ ଜଣ ଯାକ ଗୋଟିଏ ସହର ରେ ଡାକ୍ତର କିନ୍ତୁ ଯାହା କହୁଛ କୁହ ବିଟୁ ଭଳି ରବି ପାଖରେ ରୋଗୀଙ୍କର ସେତେ ଗହଳି ନାହିଁ l ବିଟୁ ତାଙ୍କର ସୁଯୋଗ୍ୟ ସନ୍ତାନ l
ବିକାଶ ବାବୁ ଦେଖନ୍ତି ଏବଂ ମନେ ମନେ ବିଟୁ ର କ୍ଲିନିକ ଦେଖି ଆତ୍ମ ତୃପ୍ତି ଲାଭ କରନ୍ତି l ଏତେବଡ଼ ଲାଉଞ୍ଜ ସାଙ୍ଗକୁ ଓଷଦ ଦୋକାନ ଏବଂ ଟେଷ୍ଟ ସବୁ କରିବା ପାଇଁ ସୁବିଧା ଅଛି l ବିଟୁ ର ବିରାଟ ଚେମ୍ବର ସାଙ୍ଗକୁ ସବୁଠୁ ଦାମିକା ଟାଇଲ ପଡ଼ି ଆଖି ଝଲସେଇ ଦେଉଛି l କୋଉ ଦିନ କୋଉ ରଙ୍ଗ ର ପରଦା ଲାଗିଥିବ l ରୋଗୀ ଆସୁ…ଥିବେ ଯେ ଆସୁ…ଥିବେ ଦିନ ସାରା l ବିକାଶ ତାଙ୍କ ଜୀବଦଶା ରେ ଏଡ଼େବଡ଼ ଚେମ୍ବର ରେ ବସି ନଥିଲେ କେବେ l ବିକାଶ ବି ଭଲ ପଢ଼ୁଥିଲେ ଏବଂ ଡାକ୍ତରଟିଏ ହୋଇଥିଲେ କିନ୍ତୁ ବିଟୁ ପରି ଅଭୁତପୁର୍ବ ସଫଳତା ପାଇ ନଥିଲେ l
ଯେତେ ରୋଗୀ ସେତେ ଆୟ ବିଟୁର l କିନ୍ତୁ ଗୋଟିଏ ଜିନିଷ ବିକାଶ ବାବୁଙ୍କ ମୁଣ୍ଡ ଭିତରେ ଖଟକୁ ଥାଏ ତାହା ହେଲା ବିଟୁ ର ମୁହଁ ରେ କେବେ ବି ପ୍ରଶାନ୍ତି ର ଲେସ ମାତ୍ର ପ୍ରଲେପ ନଥାଏ l ଦିନେ ପାଖରେ ବସାଇ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ବିଟୁ କହିଲା –
—ବାପା ମୋର କେତେ ଟେନସନ ଆପଣ କଣ ଜାଣିଛନ୍ତି ? ଘର ଟା ଏପର୍ଯ୍ୟନ୍ତ ବିଲଡର ମୋତେ ହସ୍ତାନ୍ତର କରିନାହିଁ l ଆଉ ଦୁଇ ମାସ ଆଉ ଚାରି ମାସ କହି ଗଡ଼ାଇ ଗଡ଼ାଇ ଚାଲିଛି l
—ସବୁ ହେବ ବାପା l ଚିନ୍ତା କରନା l
—ଦେଢ଼ କୋଟି ରୁ ପରା ସବୁ ନେଇ ସାରିଲାଣି ମାତ୍ର ଆଉ ଦଶ ଲକ୍ଷ ବାକି ଅଛି ହେଲେ ବି ଘର ମିଳୁନାହିଁ ମୋତେ l ଚିନ୍ତା କେମିତି କରିବିନି କହୁଛ ?
ବିଟୁ ର ଏଇଟା ତୃତୀୟ ଘର l ପୂର୍ବରୁ ଦୁଇଟି ଘର କିଣା ସରିଛି l ଗୋଟେ ଭଡ଼ା ଲାଗିଛି ଏବଂ ଆଉ ଗୋଟିଏ କ୍ଲିନିକ ତଥାପି ଆଉରି ଘର ଘର ହେଉଛି ବିଟୁ l ହେଇଥିବ ଭବିଷ୍ୟତ ଚିନ୍ତା କରୁଥିବ l କାଲି ସିଏ ବାହା ହେବ ପିଲା ଛୁଆ ହେବେ ସେମାନଙ୍କ ପାଇଁ ବ୍ୟବସ୍ଥା କରିବାକୁ ହୁଏତ ତତ୍ପର ଥିବ l
ଏଣେ ବାହାଘର କଥା କହିଲେ ଚିହିଁକି ଆସୁଛି କଣ ନା ମୂଁ କଣ ଝିଅ ପିଲା ହେଇଛି କି ବୟସ ଗଡ଼ିଯିବ ଯେ l କେତେ ବୁଝାଇବେ ସିଏ l
ବିଟୁର ହାତ ନିଶ୍ଚୟ ଭଲ ଥିବ ନହେଲେ ଏତେ ରୋଗୀ ସେଠିକି କେମିତି ଆସିଥାନ୍ତେ l ଏକା ସହର ରେ ରବି ର କ୍ଲିନିକ ହେଲେ ବି ସେଠାରେ ଏଭଳି ଗହଳି ନଥାଏ l ହେଇଟି ପରା ସେଦିନ ରବି ସାଙ୍ଗେ ଦେଖା ହେଇଗଲା ମାର୍କେଟ ରେ l
—ଏତେବଡ଼ ଡାକ୍ତର ଅବଶ୍ୟ ଆମ ବିଟୁ ଆଗରେ କିଛି ନୁହଁ, ପରିବା କିଣିବାକୁ ନିଜେ ଆସୁଛି l
ବିକାଶ ବାବୁଙ୍କ କଥା ଶୁଣି ପତ୍ନୀ କହିଲେ –
—ଆଜି ରବି କେଡ଼େବଡ଼ ଧର୍ତ୍ତବ୍ୟ ଅପରାଧଟିଏ କରି ପକାଇଲା ନୁହଁ ? ପରିବା ନେବାକୁ ନିଜେ ଆସିଲା ? ଯାହା କଲ କଲ ପୁଅକୁ ଏସବୁ ବାଜେ କଥା ଶିଖାଅ ନାହିଁ l ଲୋକଙ୍କ ସେବା କରିବା ପାଇଁ ଭଗବାନ ତାକୁ ସୃଷ୍ଟି କରିଛନ୍ତି ସେଥିରେ ସିଏ କେମିତି ଅନୁପ୍ରାଣିତ ହେବ ତାକୁ ରାସ୍ତା ଦେଖାଇବା ବଦଳରେ ରବି କାହିଁକି ଏମିତି କଲା ରବି କାହିଁକି ସେମିତି କଲା ତୁମ ର ଚିନ୍ତା l କେତେ କାମ କରିବ ଆଉ ପିଲାଟା ? ଦିନେ ବି ଶାନ୍ତିରେ ଘଡିଏ ବସି ପାରିଲା ନାହିଁ l କଣ ହେବ ସେ ପଇସା ଯଦି ଭୋଗ ହେଲା ନାହିଁ l
ବିକାଶ ବାବୁଙ୍କୁ ପତ୍ନୀଙ୍କ କଥା ଭଲ ଲାଗିଲା ନାହିଁ କିନ୍ତୁ ଖାଣ୍ଟି ସତ କଥାଟିଏ କହିଦେଲେ ସିଏ l ବିକାଶ ବାବୁ ବି ଦେଖୁଛନ୍ତି ବିଟୁର ଯେତେ ରୋଗୀ ସଂଖ୍ୟା ଦିନ କୁ ଦିନ ବଢ଼ୁଛି ବିଟୁ ଘରେ ଆସି ସେତିକି ଚିଡ ଚିଡ ହେଉଛି l ନା ଖାଇବା ନା ଶୋଇବା କୋଉଥିରେ ବି ଠିକ ଠିକଣା ନାହିଁ l ଖାଇବା ପାଞ୍ଚ ମିନିଟ ରେ ଶେଷ ଓ ଭଲ ହେଇଛି କି ନାହିଁ ଭାବିବାକୁ ତର ନାହିଁ ତାର l ପୁଣି ଦୌଡ଼ କ୍ଲିନିକ କୁ ଏବଂ ଯାଉ ଯାଉ ରୋଗୀ ପ୍ୟାକ ହେଇ ଯାଇ ଥିବେ ସୁତରାଂ ନିଶ୍ୱାସ ନେବାକୁ ବି ଫୁରୁସତ ନଥିବ l
ସେଥର ବିଟୁ ଗୋଟେ ଟ୍ରେନିଂ ନେବାକୁ ତିନି ମାସ ପାଇଁ ଜର୍ମାନୀ ଯାଇଥାଏ l ବିକାଶ ବାବୁଙ୍କୁ ସକାଳୁ ସକାଳୁ ମର୍ଣ୍ଣି ୱାକ ରେ ମୁଣ୍ଡ ବୁଲାଇ ଦେଲା ଏବଂ ରହି ରହି ତିନି ଚାରିଥର ଏମିତି ହେଲା l ସେ ଠିକ କଲେ ପୁଅକୁ ଫୋନ ରେ ପଚାରି ଓଷଦ ଖାଇବା ଆପେକ୍ଷା ଦଶଟା ବେଳେ ଯାଇ ରବି ର କ୍ଲିନିକ ରେ ଦେଖାଇ ଦେଲେ ହେବ l ପୂର୍ବରୁ କହିଦେଲେ ସବୁ ରୋଗୀଙ୍କୁ ଛାଡ଼ି ପ୍ରଥମେ ତାଙ୍କୁ ଦେଖିବା ପାଇଁ ରବି କାଳେ ଚେମ୍ବର ରୁ ବାହାରି ଆସିବ ତେଣୁ ସେ ନିଜେ ଯାଇ ନମ୍ବର କରି ରିସେପସନ ରେ ବସି ରହିଲେ l ବିଟୁ ର କ୍ଲିନିକ ଭଳି ଏଠାରେ ବିଶେଷ ଗହଳି ନାହିଁ l ଲାଗୁଛି ଅଳ୍ପ ସମୟ ପରେ ତାଙ୍କ ନମ୍ବର ଆସିଯିବ l ଲୋକଙ୍କ ଆସିବା ଯିବା ଭିତରେ ଗୋଟେ ଲୋକ ଆସି ଚେମ୍ବର ପାଖକୁ ଯାଇ ଟିକେ ଉହୁଁକି ମାରି କବାଟ ଫାଙ୍କ ରୁ ଦେଖି ଆସିଲାଣି ଦି ଥର l ବୋଧେ ନିୟମିତ ରୋଗୀ ହେଇଥିବ l ବିକାଶ ବାବୁ ପଚାରିଲେ –
—ଆପଣ ଏଠିକୁ ନିୟମିତ ଆସନ୍ତି କି ଆଜ୍ଞା ? ଡକ୍ଟରଙ୍କ ସହିତ ଆପଣଙ୍କର ଚିନ୍ହା ପରିଚୟ ଅଛି ବୋଧେ l
—ନାଇଁ ଆଜ୍ଞା ମୋର ଚିନ୍ହା ଏଠି କେହି ନାହାନ୍ତି l ମୁ ବି ଏଠିକି ଜମା ଥରେ ଆସିଛି ଆଉ ଏଇଟା ଦ୍ଵିତୀୟ ଥର l
ବିକାଶ ବାବୁ ଆଉ ଟିକେ ଉଖାରିବା ପାଇଁ ପଚାରିଲେ-
—ହଁ ଏବେ କେତେଦିନ ତ ଏଇଠି ଭିଡ଼ ହେବ l କାହିଁକି ନା ଡକ୍ଟର ସୁପ୍ରତିମ ଏବେ ଇଣ୍ଡିଆ ବାହାରେ ରହିବେ ତିନି ମାସ l ଟ୍ରେନିଂ ଚାଲିଛି ନା ସେଥିପାଇଁ l
—ତିନି ମାସ କାହଁକି ଆଜ୍ଞା ସବୁଦିନ ପାଇଁ ସିଏ ସେଇଠି ରହି ଗଲେ ଭଲ ହୁଅନ୍ତା l
ବିକାଶ ବାବୁଙ୍କ ର ଏଥର ଚମକିବା ପାଳି l କହିଲେ –
—କାଇଁ ଆପଣଙ୍କ ର ତାଙ୍କ ସହିତ ଝଗଡା ହେଇଥିଲା କି ? ଏଡ଼େ ବଡ଼ ଡାକ୍ତରଙ୍କୁ ଏମିତି କଣ କହୁଛନ୍ତି ଯେ ?
—ଆଉ କେମିତି କହିବି ? କଣ ଟିକେ ଇଆଡୁ ସିଆଡୁ ଖାଇକି ପେଟ ଟା ଗୋଳମାଳ ହେଇଥିଲା ଯେ ଯାଇଥିଲି ତାଙ୍କ ପାଖକୁ l ମୋତେ ଏମିତି ଡରେଇ ଡରେଇ ଥରେଇ ଦେଲେ ଯେ ଏକା ଥର କେ ମୂଁ ସେଠୁ ଭାଗିଲି l ଏଣ୍ଡୋସ୍କୋପି ଠାରୁ ଆରମ୍ଭ କରି ଅଲଟ୍ରା ସାଉଣ୍ଡ ପର୍ଯ୍ୟନ୍ତ ଯେତେ ସବୁ ପରୀକ୍ଷା ଅଛି ମୋତେ କରିବାକୁ ହେବ ସବୁ କିଛି l ମୁ କହିଲି ସାର ବଟିକା କିଛି ଦିଅନ୍ତୁ ଦି ଚାରିଦିନ ଦେଖିବା ଭଲ ନହେଲେ ଯାଇ….l
—ସେଠୁ ଆପଣଙ୍କୁ କଣ କହିଲେ ସିଏ ?
—କହିଲେ ଏଇସବୁ ଟେଷ୍ଟ କଲା ପରେ ଯାଇ ଓଷଦ ଦେବେ ନହେଲେ ଦେବେ ନାହିଁ l ସେଇଠି କିଛି ନ କହି ସିଧା ଚାଲି ଆସିଲି ଏଇ ସାରଙ୍କ ପାଖକୁ l ଜମା ତିନି ଦିନ ପାଇଁ ଓଷଦ ଦେଲେ ଏବଂ ମୂଁ ଖାଲି ଘୋଡା ଛୁଆ ଭଳି ଡେଇଁଲି ଆଜ୍ଞା ମିଛ କହୁନାହିଁ l
ବିକାଶ ନିରବ ରେ ଶୁଣୁଥିଲେ ସବୁ ଏବଂ ସେ ଗଢ଼ିଥିବା ସ୍ବପ୍ନ ର ସୌଧ ଟି ତାଙ୍କ ସମ୍ମୁଖରେ ଚୁରମାର ହେବାର ଦେଖୁଥିଲେ ଖାଲି l ଟିକେ ରହି ଲୋକ ଟି ପୁଣି କହିଲା-
—ଆଜ୍ଞା ଗୋଟେ କଥା ସତ କହିବେ ମୋତେ ? ସମସ୍ତେ ତ ସେଇ ଏକା ପାଠ ପଢ଼ନ୍ତି ହେଲେ ଅଲଗା ଅଲଗା କଥା କାହିଁକି କହନ୍ତି କହିଲେ l
—ଘର ର ସଂସ୍କାର ଏବଂ ଶିକ୍ଷା ଦୀକ୍ଷା ରେ ବାବୁ ! ସୁପ୍ରତିମ ବାବୁଙ୍କୁ ଉଚିତ ସଂସ୍କାର ମିଳି ନାହିଁ l
— ସମାପ୍ତ —
ପଦ୍ମାଳୟା ପାଢ଼ୀ
ପୋଷ୍ଟାଲ ଆସିଷ୍ଟାଣ୍ଟ
ବ୍ରହ୍ମପୁର