କିଛି ବି ଚିରାଚରିତ ନୁହେଁ ଏଠି
ଘଡିକେ ଘୋଡ଼ା ଛୁଟୁଥିବା
ଏ ପୃଥିବୀରେ
ଯେମିତି ନିରବତାକୁ ନିଶୁଣି କରିଥିବା
ସେ ବୁଢାଲୋକର ଜନ୍ମ,
ଅଶିବର୍ଷ ବୟସରେ ଜନ୍ମନେଲା
ଶୂନ୍ୟତାର ଗର୍ଭରୁ
ପାଚିଲା ନିଶ ଦାଢୀ ଓ ବାଳ ସହିତ,
ମାଟିତଳ ଅନ୍ଧାରକୁ ଜୋତା କରି ପିନ୍ଧିଲା
ଆକାଶକୁ ଟୋପିକରି ପିନ୍ଧିଲା ମୁଣ୍ଡରେ
ମଲାବେଳକୁ ଅବୋଧ ଶିଶୁପରି
ହସି ହସି ଗଡୁଥିଲା ମାଟିରେ
ମୁଁ ପ୍ରାୟତଃ ତା ସହ
ପ୍ରାତଭ୍ରମଣରେ ଯାଉଥିଲି
ସୂର୍ଯୋଦୟ ଦେଖିବାକୁ,
କେବଳ ଦୁଇଟି ଆଖିଛଡା
ଅନ୍ୟକିଛି ହେବାପାଇଁ
ରୋକ୍ ଠୋକ୍ ମନା କରିଥିଲା,
ଏପରିକି ପ୍ରଶ୍ନ ପଚାରିବା
ଓ ଉତ୍ତର ଖୋଜିବା ପାଇଁ
ମନା କରିଦେଇଥିଲା ଶବ୍ଦକୁ
ଦୃଶ୍ୟର ଭିଡରେ କୋଳାହଳ ଥିଲା
ସମୟର ଗତିରେ ବି ଥିଲା ଜୁଆର
ଜଠରର ନିଆଁ ଚରୁଥିଲା ମାଟି
ଯୁଦ୍ଧ ଚରୁଥିଲା ମଣିଷ
ତା ହାଡ ମାଂସର ହୁଲିଡଙ୍ଗା
ତଥାପି ଥିଲା ନିରବ ନିଥର
ମୃତ୍ୟୁର ମହାସମୁଦ୍ରରେ
ସେ ମୋତେ ଦେଖାଇ ଦେଇଥିଲା ଯେ
ସୂର୍ଯ୍ୟର ଉଦୟ ଅସ୍ତ କିଛି ନଥାଏ
ଥାଏ କେବଳ ଦେହର ।