ବିଶ୍ଲେଷଣ

ମୋ ଅହମିକା ନିକଟରେ
ଅନ୍ୟମାନେ କେତେ ଯେ ନଗଣ୍ୟ
ଏଇ ଭାବନାଠୁ ହିଁ ତ ଆରମ୍ଭ ହୁଏ
ଜୀବନର ବିଶ୍ଲେଷଣ ।

ତୁଚ୍ଛ ତୁମକୁ କହି, ଯଦି ମୁଁ
ବଡ଼ ପାଲଟିଗଲି
ତାହାଲେ ସତରେ ମୁଁ କ’ଣ କଲି
ସେଇଆ କଲି ଯାହା ଅନ୍ୟମାନେ କରୁଛନ୍ତି
ତାହେଲେ ସେମାନଙ୍କଠୁ ଭିନ୍ନ କେମିତି ହେଲି ?

ମୁଁ , ମୋର, ମୋ ପାଇଁର ଭାବନା
ମତେ ଏତେ ମାତ୍ରାରେ ଗ୍ରାସିଗଲା ଯେ
ସମ୍ପର୍କ ମୂଲ୍ୟହୀନ ପାଲଟିଲା
ଆମ୍ଭେର ପରିଭାଷା ମଳିନ ପଡ଼ିଲା
ସବୁତକ ବିକିଦେଲି ଧନ ପାଇଁ
ଶାନ୍ତି କେଉଁଠି ମିଳିଲା ?
ଅନେକ ତ ସେଇଆ କରନ୍ତି
ତେବେ ମୁଁ ଭିନ୍ନ କ’ଣ କଲି ।

ଆଶ୍ଚର୍ଯ୍ୟ କ’ଣ ଜାଣନ୍ତି ଜୀବନର
ଜନ୍ମ କିମ୍ବା ମୃତ୍ୟୁର ଆକଳନ
ନୁହେଁ ଆମ ଅକ୍ତିଆରରେ
ଆଉ ସେଇ ଶ୍ମଶାନ, ସେଇ କବରସ୍ତାନ
ସେଠାକୁ ଆସୁଥିବା କାଠ ଓ
ଏଠାକୁ ଆସିଥିବା କଫନ ।

କାଠ ଓ କଫନ ଯିଏ ପ୍ରସ୍ତୁତ କରେ
ସେ ବିକ୍ରି କରିଦିଏ
ଯିଏ କିଣେ ସେ ବ୍ୟବହାର କରେନାହିଁ
ଯାହା ପାଇଁ ବ୍ୟବହାର ହୁଏ
ସେ ଜାଣିପିରେ ନାହିଁ
ଯଦି ସତରେ ଏତିକି ମାତ୍ର ଜୀବନ
କାହିଁକି ତେବେ ଏତେ ମାନ ଅଭିମାନ ।।

ତଫିଜୁଲ ହୁସେନ
ଚିପିଲିମା, ସମ୍ବଲପୁର

Leave a Reply

Your email address will not be published. Required fields are marked *