ମୋ ଅଜାଣତରେ
ମୁଁ ନିଜକୁ ଖୋଜେ ବାରମ୍ବାର
ସେଇ ଅବୋଧ ଶିଶୁ ପରି
ଯିଏ ଚିତ୍ର ଟିଏ ଆଙ୍କିବା ପାଇଁ
ସାଧା କାଗଜରେ
ଏଣୁ ତେଣୁ ଖାଲି ଗାରେଇ ଚାଲେ ବାରମ୍ବାର
ପୁନଃ ପୁନଃ ର ଏହି ଗତି
କେତେବେଳେ ଗୋଟିଏ ବିନ୍ଦୁରୁ ଆରମ୍ଭ ହୋଇ
କେବେ ତ୍ରିଭୁଜ, କେବେ ଚତୁର୍ଭୁଜ କେବେ
ଜ୍ୟାମିତିକ ସୂତ୍ରକୁ ଭୁଲି
ଦୁଇଟି ସମାନ୍ତରାଳ ରେଖାରେ ବିଭକ୍ତ ହୋଇ
ପରସ୍ପରକୁ ସ୍ପର୍ଶ ପାଇଁ ଚେଷ୍ଟା କରେ ବାରମ୍ବାର
ବୃତ୍ତ, ପିରାମିଡ୍ ର ଆକୃତି ମତେ ରୂପ ଦିଏ ସମୟ
ମୁଁ ବୁଝି ପାରେନା କାହିଁକି ମୋର ସୃଷ୍ଟି
ମୋର ଅସ୍ତିତ୍ବକୁ ନେଇ ଅନେକ ଅବଧାରଣା
ମୁଁ ସର୍ବାକାର ବୋଲି ଅନୁଭବ ହୁଏ ବାରମ୍ବାର
ହଁ କେବଳ ଗୋଟିଏ ବିନ୍ଦୁ
ଯେଉଁଠି ମୋର ଉତ୍ପତ୍ତି ସ୍ଥଳ ଥିଲା
ସେ ଆଜି କେତେ ଆକାର ନେଲା
କେମିତି ମୁଁ ବିଭକ୍ତ ହେଲି ବାରମ୍ବାର
ସେଇ ସୂତ୍ରକୁ ଖୋଜି ଚାଲିଛି
ବାହୁ ପ୍ରସାରିତ ଆଜି ମୋର
ବିନ୍ଦୁ କୁ ସିନ୍ଧୁ ସହ ଯୋଡିବା ପାଇଁ
ଚେଷ୍ଟା କରିଚାଲିଛି ମୁଁ ବାରମ୍ବାର ।।

ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର