ଅନଲାଇନ ସପିଙ୍ଗ ଯୁଗରେ, ଦ୍ରବ୍ୟର ବହୁଳତା କାହିଁରେ କ’ଣ । ଦରକାର ଥାଉ କି ନ ଥାଉ କିଣା ଚାଲିଛି । କମ୍ପାନୀ ଗୁଡ଼ାକ ମଧ୍ଯ ମନଲୋଭା ବିଜ୍ଞାପନ ଦେଇ, ସବୁଠୁ ଶସ୍ତା ଦେଲା ଭଳିଆ ଅଫର ଦର୍ଶାଇ ଭ୍ରମ ସୃଷ୍ଟି କରୁଛନ୍ତି । ଗ୍ରାହକ ବିଚରା ଆତ୍ମ ସଂଯମ ହରାଇ, ବିଚଳିତ ମନରେ କିଣିବାରେ ଲାଗିଛି । ପୁଣି ସୁଲଭ ମୂଲ୍ୟରେ ପାଇଛି ବୋଲି, ଆତ୍ମ ସନ୍ତୋଷ ଲାଭକରୁଛି । ଘରେ ଦ୍ରବ୍ଯ ବଢୁଛି ସିନା, ବଢୁନି ଘରର ଦୈର୍ଘ୍ୟପ୍ରସ୍ଥ । ଜାଗା ନିଅଣ୍ଟ ପଡୁଛି । ପୁରୁଣା କାଢି, ନୂଆକୁ ସ୍ଥାନ ପ୍ରଦାନ କରା ଯାଉଛି।
ଆଜି ଝିଅ ରୁମରୁ ଦି’ବସ୍ତା ରଦ୍ଦି, ମାନେ ପୁରୁଣା ବାହାରିଛି । ସେଥିରେ ଥିବା ବାପାଙ୍କ (ଶ୍ଵଶୁର ) ପାନଡବା ମାନସୀ ଆଖିରେ ପଡ଼ିଗଲା । ଧୂଳି ଧୂସରିତ ହୋଇ ଯାଇଛି ଡବାଟି । ତାକୁ ଅତି ସରାଗରେ ପୋଛିବାକୁ ଲାଗିଲା । କେତେ ସ୍ମୃତି ବହନ କରିଛି ଏ ଡବାଟି। ମାନସୀ ଯେତେବେଳେ ବୋହୂ ହୋଇକି ଆସିଲା, ପାନଭାଙ୍ଗି ଏଇ ଡବାରେ ଶ୍ୱଶୁର ଅଫିସ ଗଲାବେଳେ ଦେଉଥିଲା । ପାନ ଭଙ୍ଗା ଶିଖି ନ ଥିଲା ମାନସୀ । ଶାଶୂଙ୍କ ତାଗିଦ୍ ରେ ଧୀରେ ଧୀରେ ଶିଖିଗଲା । ପାଖରେ ବସି ଶାଶୂ ତିଆରୁ ଥିବେ, ଚୂନ ସମାନକରି ଲଗା, ଖଇର ଠିକ ସେ ଦେ । ନ ହେଲେ କଳ କାଟିଦେବ । ସୁପାରି ପତଳା କାଟିବୁ । ପିପରମେଣ୍ଟ, ଚମନ ବାହାର, ଲବଙ୍ଗ, ଅଳେଇଚ ଏବଂ ଅଳ୍ପଟିକେ ଜରଦା ଦେବୁ ଇତ୍ୟାଦି । ଯା ବି ହେଉ ଦୁଇ ତିନି ଦିନରେ ମନଲାଖି ପାନବନା ଶିଖିଗଲା ।
ଶାଶୂ ଗଲାପରେ, ବାପା
ଆଉ ପାନ ଖାଇଲେନି କି ବନାଇବାକୁ ପଡିଲାନାହିଁ । କିନ୍ତୁ ପାନ ଡବାକୁ ପାଖଛଡ଼ା କଲେନି ବାପା । ତା ଦେହରେ ଲବଙ୍ଗ ଅଳେଇଚ ପୁରେଇ, ପାଖେ ପାଖେ ରଖିଲେ ।ବେଳେବେଳେ ନିଜ ଗାମୁଛାରେ ତାକୁ ପୋଛି ଦେଉଥିବେ । ପାନଡବା ପ୍ରତି ବାପାଙ୍କ ଭଲ ପାଇବା ଟିକେ ଅଧିକ ଥିଲା ପରି ମନେହୁଏ ।
ଡ୍ରେସିଂ ଟେବୁଲ ଉପରେ ପାନଡବାଟି ରଖି ଦେଇଛି ମାନସୀ । ପୋଛା ପୋଛି କରି ଦେବାରୁ ଡବାଟି ପୂର୍ବ ଭଳି ଚକ ଚକ କରୁଛି । ସ୍ୱାମୀ ଅଫିସରୁ ଆସିଲା ପରେ, ତାଙ୍କ ଆଖି ପାନଡବା ଉପରେ ପଡ଼ିଗଲା । ବାପାଙ୍କ ପାନଡବା କୋଉଠୁ ପାଇଲ କହି, ଅତ୍ୟନ୍ତ ଖୁସି ହୋଇଗଲେ । ସତେ କିବା ଅମୂଲ୍ୟ ରତ୍ନଟିଏ, କୋଉଠି ହଜି ଯାଇଥିଲା । କେତେ ସ୍ନେହରେ, ଯତ୍ନ ସହିତ ଡବାଟିକୁ ଏପଟ ସେପଟ କରି ଦେଖୁଥାନ୍ତି । ବୋଧହୁଏ ଦିବଙ୍ଗତ ବାପାମା”ଙ୍କର ସ୍ପର୍ଶ ଅନୁଭବ କରିବାକୁ ଚେଷ୍ଟା କରୁଥିବେ ?
ଜାଣିଛ ମାନସୀ, ଏ ପାନଡବା ମା ଆଣିଥିଲେ, ତାଙ୍କ ବାହାଘର ବେଳେ । ବାପାଙ୍କ ପାଇଁ ତାଙ୍କର ପ୍ରଥମ ଉପହାର । ଦିନେ ମା କହୁଥିଲେ, କେତେ ସନ୍ତର୍ପଣରେ ସାଙ୍ଗସାଥି ଏବଂ ଭାଉଜଙ୍କ ଠାରୁ ଲୁଚେଇ କି କିଣିଥିଲେ ବାପାଙ୍କ ପାଇଁ । ସେମାନେ ଜାଣିଲେ ଚିଡେଇବେ । ତା ଛଡା କିଏ ଜାଣିଲେ ସେ ନିଜେ ବି ଲାଜ ସରମରେ ମୁଁହ ଦେଖେଇ ପାରିବେନି । ସେ ସମୟରେ ଭାବି ସ୍ବାମୀ କି ଭାବି ସ୍ତ୍ରୀ ବିଷୟରେ କଥା ଲାଗି ପାରୁ ନ ଥିଲେ । ଅତ୍ୟଧିକ ଲଜ୍ଜା ସଙ୍କୋଚ ବଶତଃ । ଉପହାର ତ ଦୂରର କଥା । ମା, ବାପାଙ୍କୁ ବାହା ପୂର୍ବରୁ ଦେଖି ନ ଥିଲେ । ଘରର ବୟୋଜ୍ୟୋଷ୍ଠ ମାନେ ବିବାହ ସ୍ଥିର କରିଥିଲେ । ମା କେବଳ ଫୋଟୋ ଦେଖିଥିଲେ । ଶୁଣିଥିଲେ ବାପା ପାନ ଖାଆନ୍ତି ବୋଲି ।
ମାନସୀ ମନେ ମନେ ଭାବି ବସିଲା, କେବଳ ପାନ ଖାଆନ୍ତି ଶୁଣି ପାନଡବା କିଣିଥିବେ ? ମନ ଭିତରର ଅବଦମିତ ଇଚ୍ଛା, ଆଗ୍ରହକୁ ଏଡାଇ ନ ପାରି, ଲଜ୍ଜା ସଙ୍କୋଚର ଅଭେଦ୍ୟ ପାଚେରି ଡେଇଁ, ଭାବି ସ୍ଵାମୀ ପାଇଁ ପ୍ରଥମ ଉପହାର କିଣିଥିବେ । ଏକ ଅନୁଢ଼ା କିଶୋରୀର ଅନେକ ସ୍ଵପ୍ନ , ଅକୁହା ପ୍ରେମ, ନିଜ ଭିତରେ ପୁରାଇ ଶାଶୂ ସହିତ ଆସିଥିବ ପାନଡବାଟି, ଗୋଟିଏ ଅଜଣା ରାଇଜକୁ । ବହୁ ସମ୍ଭାବନାର ମଧୁର କଳ୍ପନାରେ । ସେଇ ପ୍ରଥମରାତି, ପ୍ରଥମ ଦେଖା, ଲଜ୍ଜାର ଆବରଣ ତଳେ ପ୍ରଥମ ଭେଟି, ପ୍ରକମ୍ପିତ ତନୁପ୍ରାଣର ପ୍ରଥମ ସ୍ପର୍ଶ.. କେତେ ମାଦକତା ଭରି ଦେଇଥିବ ! ତାଙ୍କ ଦାମ୍ପତ୍ୟ ପ୍ରେମର ମୁକସାକ୍ଷୀ ଡବାଟି । ଶାଶ୍ଵତ ପ୍ରେମର ପ୍ରତୀକ।
ମାନସୀକୁ ହଲେଇ ଦେଇ ସ୍ୱାମୀ କହିଲେ କୁଆଡେ ହଜିଗଲ, ଦେଖ ଡବାଟି ଆଜି ବି ସୁନ୍ଦର ଆକର୍ଷଣୀୟ । ଗଠନ ଏମିତି ଯେ ବାପାଙ୍କ ପ୍ୟାଣ୍ଟ୍ ପକେଟରେ ସୁବିଧାରେ ରହି ଯାଉଥିଲା । ସେ ସମୟରେ ଅଫିସ ଷ୍ଟାଫ ହେଉ କି ସାଙ୍ଗ ସାଥି ମହଲ ହେଉ, ପାନଡବା ର ସୁନ୍ଦରତା ପ୍ରଶଂସା ସବୁଠି ଥାଏ । ସେତେବେଳେ ପ୍ରଶଂସା ଶୁଣି ସର୍ବ ସମ୍ମୁଖରେ କିଛି ପ୍ରକାଶ ନ କଲେବି ଏକ ଆନ୍ତରିକ ଖୁସିର ଲହରୀ ଖେଳି ଯାଉଥିଲା ବାପାଙ୍କ ମୁଖ ମଣ୍ଡଳରେ ।