ବହୁ କଥା ଅଛି

ବହୁ କଥା ଅଛି। କିଛି କଥା ଦେଲି ଏବେ
ପ୍ରତିପଦାର ପହିଲି ସୂରୁଜ ଉଇଁବା ଆଗରୁ ଯେବେ
ଦୁଧିଆ ଦିନାଙ୍କ ଦୋହଲି ଦୋହଲି ଯାଏ
ମଉଳା ମାସକୁ ମସିହା ମୂଲେଇ ନିଏ।

ଯାଯାବର ସାଜି ଜୀବନ ଜଉରେ ଜଳେ
ଯୌବନ କେବେ କଏଦୀ ସାଜି କାୟା କାନ୍ଥରେ ଝୁଲେ
ଆଖିର ଆଳାପ ଅକୁହା ପ୍ରଳାପ ଲହୁ ଲୁହେ ଯାଏ ଲେସି
ଆନମନା ସଦା ଅଳପ ବୟସୀ ଭରସା ପଡଇ ଧସି।

ଆକାଶର ଆୟତ୍ତ ଜହ୍ନ ଅମୁହାଁ ଅମାକୁ ଭେଟେ
କୁଆଁରୀଆଖିର କଜଳଗାରେ କୁମୁଦ କଣେଁଇ ଉଠେ
ଆମ୍ର ମୁକୁଳ କଅଁଳକାକରେ ସହଳ ସିନାନ ସାରି
ଉଷତ ଉଷା ଉଇଁବା ଆଗରୁ କୁଆଁତରା ଯାଏ ମରି।

ବହୁ କଥା ରହୁ। ବାମାବର୍ତ୍ତର ସାଥେ
ବାର୍ଣ୍ଣିକର ବାର୍ତ୍ତା ନ ଛୁଉଁ ବାରିଜାକ୍ଷୀର ଚିତ୍ତେ।

ମାଧୁରୀ ନନ୍ଦ
ରେମୁଣା, ବାଲେଶ୍ବର

Leave a Reply

Your email address will not be published. Required fields are marked *