ବସୁନ୍ଧରା!!!
ତୁ ଆମର ମା ପରା
ତ୍ଯାଗ, ତିତିକ୍ଷା , ସ୍ନେହ, ପ୍ରେମର ଗାଗରୀଟିଏ
ଠିକ୍ ମୋ ମା’ ପରି ତୋର କୋଳର କୋମଳ ସ୍ପର୍ଶ
ହରି ନିଏ କ୍ଳାନ୍ତି , ଭ୍ରାନ୍ତି, ଅଶାନ୍ତି!
ହେଲେ ତୁ କାନ୍ଦୁଛୁ କାହିଁକି ମା’ ବସୁନ୍ଧରା?
ତୋ ପୁଅ ମରିଗଲା?
ନା ଜୀବାଣୁ, ଭୂତାଣୁ କୋରି ଖାଇଗଲେ ତୋ କଲିଜା?
ନା ରେ ଧନ ନା, ମରିନି ମୋ ପୁଅ
ମରିଗଲା ତା ମରମ ତଳର ମମତା
ମା’ ଦେଇ ପାରିଲାନି ଭାତ ଥାଳିଏ ତ
ହାଣି , କାଟି, ଖୋଳି , ତାଡି ଅଣ୍ଡାଳିଲା ମୋ ବକ୍ଷ, ମୋ ପେଟ, ପିଠି
କାଳେ କେଉଁଠି ଲୁଚେଇ ରଖିଥିବି ତା ପାଇଁ ମୁଠେ କି ଆଂଜୁଳେ
ବଡ ଭୋକ ମୋ ପୁଅକୁ
ଯେତେ ଖୁଏଇଲି ସାରା ବନସ୍ପତି
ଚେର, ମୂଳ, ଡାଳ, ପତ୍ର, ଫୁଲ , ଫଳ, ମଂଜି , ଛେଲି କି ବକଳ ବି
ତଥାପି ପୂରିଲାନି ତା ପେଟ!
ଓହୋ! ବୁଝିଲି ମା ବସୁନ୍ଧରା
ଭୋକ ନୁହେଁ ତୋ ପୁଅର ପେଟରେ-
କେଡେ ଚାଖଣ୍ଡେ ପେଟ ପୂରନ୍ତାନି
ତୋ ଶସ୍ଯଶ୍ଯାମଳା ତନୁର ରସରେ, ଶସରେ?
ଭୋକ ନୁହେଁ ମା, ଲୋଭ-ତା ମସ୍ତିସ୍କରେ, ତା ଧମନୀରେ, ତା ରକ୍ତକୋଷରେ
ସେଭୋକ ପରା ଉଇ,
ଚରି ଚରି ନିରବରେ ଖାଇ ଶେଷ କରିଦେବ ସବୁ
ଜଳ, ସ୍ଥଳ, ପବନ, ଆକାଶ, ଜଂଗଲ , ପାହାଡ, ନଦୀ, ସମୁଦ୍ର!!!
ମୋ ପୁଅ ତ ନଥିଲା ରେ ଏତେ ଲୋଭୀ,
ଯାହା ମିଳୁଥିଲା- ଖାଉଥିଲା
ଯେଉଁଠି ଇଚ୍ଛା- ସେଇଠି ଶୋଉ ଥିଲା
କୋଉଠୁ ଉଡି ଆସି ତା ମୁଣ୍ଡରେ ପଶିଗଲା ଏ ଲୋଭ ଭୂତାଣୁ?
ମା’ ମୋର ବସୁନ୍ଧରା
ଲୋଭ, ମୋହ, କାମ, କ୍ରୋଧ, ହିଂସା,
ଭୟକଂର କରୋନା ଭୂତାଣୁ ଠୁ ଆହୁରି ଭୟକଂର , ବିଭୀଷିକାମୟ
ଏ ଭୂତାଣୁ ସବୁ ଜନ୍ମ ହେଲେ ତାରି ମସ୍ତିସ୍କର ସୂକ୍ଷ୍ମ ଅଣୁରେ,
ତିଆରି କଲେ ଜାଲ ଅଭୀପ୍ସାର, ପ୍ରାପ୍ତିର, ଉଚ୍ଚାକାଂକ୍ଷାର
ବୁଦ୍ଧିର ତଲୱାର ରେ ସେ କାଟି ପକେଇଲା ବିବେକର ଡାଳସବୁ
ଛେଦି ପକେଇଲା ମାନବତାର ସାଂଜୁଟିକୁ
ଆଉ କଣ ପାରିବୁ ତୁ ତାକୁ ରକ୍ଷା କରି
ଏ ପାଶବିକ ଲୋଭର, କାମନାର ବଳୟରୁ?
ବରଂ ତୁ ସେଇମିତି ନିରବ ରହି ସହି ଯା’
ତୃଷାର୍ତ୍ତ ଭୂମିଖଣ୍ଡକ ପରି
ଶୋଷି ନେ ସବୁ ଯନ୍ତ୍ରଣାର, ନିର୍ଯାତନାର ଆଷାଢୀ ବାରିଧାରା!!!
ମୁଁ ଫେରି ଆସିଲି କଳ୍ପନା ଜଗତରୁ
ବାସ୍ତବ ଦୁନିଁଆକୁ
ହେଲେ କାନରେ,
ମନରେ ପ୍ରତିଧ୍ୱନିତ ହେଉଥିଲା ମା’ ବସୁନ୍ଧରାର କଇଁ କଇଁ ସ୍ୱର!
ଡଃ ସୁମିତ୍ରା ମିଶ୍ର
କୋଳଥିଆ, ଭୁବନେଶ୍ୱର,
୯୯୨୦୬୯୬୮୧୫
ମା ଓ ମା ବସୁଧା ଉଭୟ ଏବେ ଉତ୍ପୀଡିତା! କେହି ଶୁଣନ୍ତୁ ନ ଶୁଣନ୍ତୁ କବି ଜଣେ ଶୁଣି ପାରେ ତାର କାନ୍ଦ!
ଶୋକ ସନ୍ତପ୍ତା ବସୁନ୍ଧରା ର ଦୁର୍ବିସହ୍ୟ ଅନ୍ତର ବେଦନା ଆଉ କ୍ଷୋଭ ଭରା କୋହ ଚମତ୍କାର ଭାବରେ ଫୁଟି ଉଠିଛି କବିତା ଟିରେ। କାଳଜୟୀ ସୃଜନୀ……