ଆସନ୍ତେ ଶରତ କାଳ ଆକାଶ ଦିଶେ ନିର୍ମଳ,
ଗଗନ ପାଣ୍ଡୁର ବର୍ଣ୍ଣ ଶୋଭା ପ୍ରକାଶେ,
ଗଭୀର ଗର୍ଜନ କାରୀ ବାରିଦ ପଟଳ ଲୁଚି,
ଖଣ୍ଡ ଖଣ୍ଡ ମେଘମାଳ ନୀଳ ଆକାଶେ,
ଶାନ୍ତ କୋମଳ ନିଳୋତ୍ପଳ,
ପ୍ରକାଶଇ ଦିବ୍ୟ ଶୋଭା ହୋଇ ନିର୍ମଳ (1)
କେତକୀ ଟଗର ମଲ୍ଲୀ ରଜନୀ ଗନ୍ଧା ନିଆଁଳି,
ଧଳା ପଟରେ ସଜ୍ଜିତା ଧରଣୀ ମାତ,
କୁଟଜ ଅର୍ଜୁନ ବୃକ୍ଷ ଗନ୍ଧହୀନ ବହେ ବାତ
ଅତିବେଗର ଗତି ହେଲାଣି ବିରତ,
ପ୍ରଖରତା ଶୁନ୍ୟ ସମୀର,
ଶାନ୍ତ ତପୋବନ ପରି ସୁମନୋହର (2)
ସୂର୍ଯ୍ୟ ଚନ୍ଦ୍ର ତାରା ପ୍ରଭା ବିତରଣ କରି ଆଭା,
ଦିବସ ରଜନୀ ଦିଶେ କି ମନୋରମ,
ସୁନ୍ଦରୀ ରଜନୀ ମୁଖ ହୋଇଛି ଚନ୍ଦ୍ରମା ଦେଖ,
ତାରାଗଣ ନୟନ ପରାୟେ ସୁରମ୍ୟ,
ପିନ୍ଧିଛି ଜ୍ୟୋତ୍ସ୍ନାର ବସନ,
ଶୁକ୍ଳ ବସ୍ତ୍ର ପରିହିତା ରୂପ ଲାବଣ୍ୟ (3)
ବିକଚ କମଳ ସରେ ବିଭୂଷିତ ସୌନ୍ଦର୍ଯ୍ୟରେ,
ରାଜହଂସପଳ ବହି ହରଷ ମନ,
ମଦମତ୍ତ ଅଳି ଶ୍ରେଣୀ ସୁଗନ୍ଧ ରସ ଆଘ୍ରାଣୀ,
ଉନ୍ମାଦେ ପ୍ରମତ୍ତ ସର୍ବ ମଧୁପ ଗଣ,
ନଳିନୀ ପାଖୁଡା ମେଳାଇ,
ବିଷୟକ ନାରୀ ପରି ଥାଏ ଅନାଇ (4)
କାଶତଣ୍ଡି ନଈତଟେ ବିଚିତ୍ର ଛଟା ପ୍ରକଟେ
ପବନେ ଖେଳଇ ଦୋଳି ହୋଇ ମଗନ,
ଗଗନେ ସାରସଦଳ ବିହରନ୍ତି ମାଳ ମାଳ
ଜ୍ୟାମିତି ରୈଖିକ ପ୍ରାୟେ ହୋଇ ଅଙ୍କନ,
ମନ୍ଦ ଗତି ନଦୀର ସ୍ରୋତ,
ସମୁଦ୍ରର ଅଙ୍ଗ ସଙ୍ଗ ପାଇଁ ପ୍ରମତ୍ତ (5)
କାମିନୀ ରମଣୀ ମତି ପ୍ରଣୟର ଜାଗେ ରତି
ଅଳସ ପ୍ରାଣରେ ଭରି ଦିଏ ଉନ୍ମାଦ,
ଅଙ୍ଗ ରାଗେ ହୋଇ ସଜ ମୁଖ ମଣ୍ଡଳ ମନୋଜ
ହୃଦୟରେ ପ୍ରଣୟର ଭରେ ଦରଦ,
ଲଭିବାକୁ ପ୍ରୀତି ସଂଭୋଗ,
ଶରତ ଋତୁର ଦୃଶ୍ୟ ଅତି ମନୋଜ୍ଞ୍ (6)
ରାଗ –ଚୋଖି
ତ୍ରିବିକ୍ରମ ଗଡ଼ତୀୟା,
ଖରମୁଣ୍ଡା, ବରଗଡ଼