ଦୀନ ଜନ ବନ୍ଧୁ ଗୋପବନ୍ଧୁ ତୁମେ
ଅଟ ଯେ ପ୍ରକୃତ ବନ୍ଧୁ
ଦେବ ଦୂତ ପରି ସାହା ହେଉଥାଅ
ଦୁଃଖୀ ପ୍ରାଣେ କୃପାସିନ୍ଧୁ ।।
ପିତା ଦୈତାରି ମାତା ସ୍ୱର୍ଣ୍ଣମୟୀ
ଅଟନ୍ତି ଧନ୍ୟ ଦମ୍ପତି
ଦୁଃଖୀ ଜନ ସେବା ଜୀବନେ ତୁମର
ଅଟେ ଅମୂଲ୍ୟ ସମ୍ପତ୍ତି ।।
ପିଲା ବେଳୁ ତୁମ ସୁଗୁଣ ଦେଖିଛି
ସୁଆଣ୍ଡୋ ଗ୍ରାମର ଲୋକେ
ପରିବାର ଭୁଲି ଦୁଃଖୀ ସେବା କଲ
ନ କରିଲ ଚିନ୍ତା ଟିକେ ।।
ଅନ୍ୟାୟକୁ ଯେବେ ନ ସହିଲ ଯେଣୁ
ଓକିଲାତି ଦେଲ ଛାଡି
ପର ଦୁଃଖେ ତୁମେ ଲୁହ ଝରାଇଲ
ଜୀବନେ ଚାଲିଲ ମାଡି ।।
ପୁତ୍ର ମୃତ୍ୟୁରେ ବି କଲ ଜନ ସେବା
ହେଲ ନାହିଁ ବିଚଳିତ
କର୍ମ କରି ଗଲ ହେଲ ନାହିଁ ତୁମେ
ମୋହ ମାୟା କବଳିତ ।।
ପୁତ୍ରକୁ ହରାଇ ଶତ ଶତ ପୁତ୍ର
ବଞ୍ଚାଇଣ ହେଲ ଖୁସି
ପାଠ ପଢା ପାଇଁ ବନବିଦ୍ୟାଳୟ
ଗଢିଲ ଆଗକୁ ଆସି ।।
ସତ୍ୟବାଦୀ, ସମାଜ ପତ୍ରିକା ତୁମ
ଆଲୋକ ବର୍ତ୍ତିକା ପରି
ଭାଷା ସାହିତ୍ୟରେ ଜୀବନ ଢାଳିଛ
ଜନନୀର ସେବା କରି ।।
ଦୁଃଖୀ ରଙ୍କି ସେବା ଅବା ସାହିତ୍ୟର
ପ୍ରକୃତରେ ବନ୍ଧୁ ତୁମେ
ତୁମକୁ ଝୁରୁଛୁ ଏ ସାରା ସଂସାର
ଝୁରୁଅଛୁ ସବୁ ଆମେ ।।
ଜୟନ୍ତୀରେ କବି କବିତା ସଳିତା
ଜଳାଇଛି ତୁମ ପାଇଁ
ଫେରି ଆସିବାକୁ କରେ ମୁଁ ମିନତି
ପାଖେ ଜଗତର ସାଇଁ ।।
ନିକୁଞ୍ଜ କୁମାର ଘୋଷ
ବାଲେଶ୍ବର
8144851045 .