ଫେରିବାର ବେଳ

ଜହ୍ନ
ଉଠିବ ଉଠିବ ବୋଲି….
ତାରକାଙ୍କ ଆଶ୍ଵାସନାରେ
ପାହିଗଲା ରାତି
କାଇଁ ….ଆସିଲାନି ତ… !!

ଜହ୍ନ ବି
ଆଉ କା’ ପାଲରେ ପଡ଼ି
ଶୋଇ ଯାଇଥିବ
ସାରା ରାତି ତା’ କୋଳରେ
ଯେମିତି ତୁମେ…..
ଆସ ନାଇଁ ବେଳେବେଳେ ।।

ଦେଖ….
ମୁଁ ପୁଣି ପିନ୍ଧିଲିଣି ନାଲି ପାଟ
ସୀମନ୍ତକୁ କରିଛି ବି
ଲାଲ୍ ଜରଜର
ଏବେତ ହୁଅ ମୋର ପରିତ୍ରାଣ….
ଫେରେଇ ଦିଅ ମୋର
ଅପେକ୍ଷାର ସମସ୍ତ ପ୍ରହର ।।

ତୁମେ ନ ଆସିବା ଯାଏ
କେମିତି ଉତ୍ସବମୁଖର ହେବ
ମୋର ଫେରିବାର ବେଳ….
କେମିତି ଯୋଗାଡ଼ ହେବ
ଛଅ ଖଣ୍ଡ କାଠ….
କୋକେଇ ବାଉଁଶ….
ଖଇ କଉଡ଼ିର ।।

ସାବିତ୍ରୀ ପୁରୋହିତ
ବୃନ୍ଦାବନ ବିହାର
ବୁଢ଼ାରଜା, ସମ୍ବଲପୁର

Leave a Reply

Your email address will not be published. Required fields are marked *