ଫୁରସତର ବନ୍ଧୁ

ଦୀର୍ଘଦିନ ପରେ ଦେଖାହେଲେ ସଂଗ୍ରାମବାବୁ। ମୁଁ ବସକୁ ଉଠୁଉଠୁ ଡାକଦେଲେ ସେ। ଯୋଗକୁ ତାଙ୍କ ପାଖ ସିଟରେ କେହି ବସି ନଥିଲେ ଏଯାଏଁ।
କଥା ଆରମ୍ଭ ହୋଇଥିଲା ଅଫିସଠୁଁ ଆଉ ପହଞ୍ଚିଥିଲା ଘରପରିବାର ଓ ଛୁଆଙ୍କ ଠାରେ କିନ୍ତୁ ଆମ କଥାରେ ବାରମ୍ବାର ବାଧା ସୃଷ୍ଟି କରୁଥିଲା ସଂଗ୍ରାମବାବୁଙ୍କ ଫୋନ।
ରିଙ୍ଗ ହେଉଥିଲା ବାରମ୍ବାର। ଆଉ ଫୋନକୁ ସେମିତି ବାଜିବାକୁ ଦେଉଥିଲେ ସଂଗ୍ରାମବାବୁ।
ସମ୍ପୂର୍ଣ ରିଙ୍ଗ ହେଉଥିଲା ଫୋନ। ସ୍କ୍ରିନରେ ଆସୁଥିଲା ସୁନୀଲବାବୁଙ୍କ ନାଁ।
ଯଦିଓ ସୁନୀଲବାବୁଙ୍କୁ ମୁଁ ବି ଜାଣିଥିଲି। କିନ୍ତୁ ବହୁତ ଦିନ ହେଲା ତାଙ୍କ ସହ ପ୍ରାୟ ସମ୍ପର୍କ ନଥିଲା।
ସୁନୀଲବାବୁ, ସଂଗ୍ରାମବାବୁ ଓ ମୁଁ ଅତୀତରେ ଆମେ ତିନିହେଁ ଗୋଟିଏ ଅଫିସରେ ଥିଲୁ। ସୁନୀଲବାବୁଙ୍କ ଘନିଷ୍ଠତା ଥିଲା ସଂଗ୍ରାମବାବୁଙ୍କ ସହ। କିନ୍ତୁ ତାଙ୍କ ଫୋନ କାହିଁକି ଉଠାଉ ନାହାନ୍ତି ସଂଗ୍ରାମବାବୁ। ଆଶ୍ଚର୍ଯ୍ୟ ହେଉଥିଲି ମୁଁ ଏଣୁ ପଚାରିଦେଲି।
ଭାଇ ଫୋନ ଉଠାଉନାହାନ୍ତି କାହିଁକି? ସୁନୀଲବାବୁ ପରା
ଏକ ରହସ୍ୟମୟ ହସଟିଏ ହସି ଦେଇ ସଂଗ୍ରାମବାବୁ କହିଲେ –
ମୋର ଦରକାର ଥିଲା ତ ମୁଁ ଗତକାଲି ତିନି ଚାରିଥର କରିଥିଲି କିନ୍ତୁ ସେ ଉଠାଇ ନଥିଲେ ଏବେ ତାଙ୍କ ଫୁରସତ ଥିବ ବୋଲି କରୁଛନ୍ତି।
ସେ ଏମିତି ଭାଇ। ଆପଣଙ୍କ ଦରକାର ସମୟରେ ତାଙ୍କ ପାଖରେ ସମୟ ନଥାଏ କିମ୍ବା ସେ ସମୟ ଦେବାକୁ ଚାହାନ୍ତିନାହିଁ। ଆଉ ଯେତେବେଳେ ଟାଇମ ପାସ ଦରକାର ଥିବ ସେ ଏମିତି ଫୋନ କରି ଘଣ୍ଟାଘଣ୍ଟା ଗପିବେ।
ଏବେ ବୋଧେ ଫୁରସତରେ ଥୁବେ ସେଇଥିପାଇଁ ଫୋନ କରୁଛନ୍ତି।କିନ୍ତୁ ଏବେ ମୋର ସମୟନାହିଁ।
ମୁଁ ବି ତାଙ୍କୁ ମୋର ଫୁରସତ ହେଲେ କରିବି ଯେ।
ହସି ଦେଉଥିଲେ ସଂଗ୍ରାମବାବୁ କିନ୍ତୁ ମୁଁ ହସି ପାରୁ ନଥିଲି। ଆଜି ବନ୍ଧୁତ୍ୱର ଏକ ନୂତନରୂପ ମୋ ଆଖି ଆଗରେ ଥିଲା।
ଝରକା ଦେଇ ବାହାରକୁ ଚାହୁଁଥିଲି ମୁଁ କିନ୍ତୁ ମୋର ଓଠକୁ ଆସି ଯାଉଥିଲା ଫୁରସତର ବନ୍ଧୁ………….!!!!!!!!

ଶିବାଶିଷ ପାଢ଼ୀ
ହେମଗିର, ସୁନ୍ଦରଗଡ଼
9778174978

Leave a Reply

Your email address will not be published. Required fields are marked *