ତିନି ବର୍ଷ ତଳେ ଗୋଟିଏ କୋରିଆନ୍ ଭିଡିଓ ଦେଖିଥିଲି। ଉକ୍ତ ଭିଡିଓରେ ଜଣେ ସୁନ୍ଦରୀ ତରୁଣୀ ଧଳା ଜିନ୍ସ ଏବଂ କ୍ରପ-ଟପ୍ ପିନ୍ଧି ସହରର ରାସ୍ତାରେ ଚାଲିକି ଯାଉଥିବା ସମୟରେ ଅନେକ ଲୋକ ତାଙ୍କୁ ବୁଲି ବୁଲି ଚାହିଁ ହସୁଥିଲେ, ନିଜ ଭିତରେ ଚୁପଚୁପ କଥା ହେଉଥିଲେ। କିଛି ସମୟ ଝିଅଟି କିଛି ନବୁଝି ପାରି ଚାରି ପାଖର ଲୋକଙ୍କୁ ଚାହିଁ ସେମିତି ଚାଲୁଥିବା ସମୟରେ ହଠାତ୍ ଜଣେ ଯୁବକ, ଝିଅଟିର ପଛ ଆଡୁ ଆସି ତାକୁ ଟିକେ ଘେରିଲା ପରି ଚାଲେ। ସେଇ ସମୟରେ କ୍ୟାମେରା ପଛ ପାଖରୁ ଫୋକସ୍ ହେବାରୁ ଜଣା ପଡେ ଯେ, ହଠାତ୍ ବଜାର ମଝିରେ ଝିଅଟିର ଋତୁସ୍ରାବ ଆରମ୍ଭ ହୋଇ, ଧଳା ପ୍ୟାଣ୍ଟଟି ଭିଜି ଯାଇଛି, ଯାହାକୁ ରାସ୍ତାରେ ଅନ୍ୟମାନେ ଦେଖି ହସୁଛନ୍ତି। ତା’ପରେ ସେହି ଯୁବକ ଜଣକ ଝିଅଟିକୁ ନିଜ ସାର୍ଟ ଓହ୍ଲାଇ ଦେଇ ଦିଅନ୍ତି। ଝିଅଟି ସାର୍ଟକୁ ନିଜ ଅଣ୍ଟା ପାଖରେ ଗୁଡାଇ ବାନ୍ଧି ଦିଏ। ଆଜି ଏଇ ଭିଡିଓଟି ବିଷୟରେ ଉଲ୍ଲେଖ କରିବାର କାରଣ ହେଉଛି ଏଇ ଅଳ୍ପଦିନ ତଳେ ଠିକ୍ ସମାନ ବର୍ଣ୍ଣନା ଥାଇ ଜଣେ ତରୁଣ ଓଡ଼ିଆ ଲେଖକଙ୍କ କାହାଣୀ ଟିଏ ପଢିଥିଲି। କେବଳ ଦୃଶ୍ୟରେ ତରୁଣୀଙ୍କ ଚାଲୁଥିବାର ସ୍ଥାନ ଓ ଦିନର ସମୟରେ ଫରକ ଥିଲା। ଏ ପ୍ରକାର ଆଉ ଗୋଟିଏ ଘଟଣା ବିଷୟରେ ମଧ୍ୟ ମୁଁ ଆଉଥରେ ଉଲ୍ଲେଖ କରିଥିଲି। ଗତବର୍ଷ ଗୋଟିଏ ଖବରକାଗଜର ସାହିତ୍ୟ ପୃଷ୍ଠାରେ ଛୋଟ ଗପଟିଏ ପଢିଥିଲି। ତା’ର କିଛିଦିନ ପରେ ଜଣେ ବନ୍ଧୁ ୧୧ -୧୨ ବର୍ଷ ତଳର ଗୋଟିଏ ୟୁ-ଟ୍ବୁବ୍ ଭିଡିଓର ଲିଙ୍କ୍ ସେୟାର କରିଥିଲେ। ଖୋଲି ଦେଖିଲା ବେଳକୁ ସେଥିରେ ପ୍ରସିଦ୍ଧ ବେଙ୍ଗଲି କବି, ସିନେ ତାରକା, ରାଜନେତା ଶତାବ୍ଦୀ ରୟ ତାଙ୍କର ଗୋଟିଏ କବିତା ଆବୃତ୍ତି କରିଥିଲେ, ଶୀର୍ଷକ “ଏକଟି ପଦ୍ୟୋ”। ଏହି କବିତାରେ କବି ରାସ୍ତାରେ ଯାଉଥିବା ସମୟରେ ଭେଟିଥିବା ଗୋଟିଏ ଛୋଟ ଅନାଥ ଝିଅ ବିଷୟରେ କହିଛନ୍ତି। ତା’ ସହ କଥା ହେବା ଭିତରେ ଯେତେବେଳେ ସେ ପଚାରିଛନ୍ତି – “ସକାଳୁ କେତେ ମା’ ତାଙ୍କ ଛୁଆ ମାନଙ୍କୁ ସ୍କୁଲ୍ ଛାଡିବାକୁ ଯାଉଛନ୍ତି, ଦେଖି ତା’ର ଇଚ୍ଛା ହେଉନି ସ୍କୁଲ ଯିବାକୁ? ଉତ୍ତରରେ ଝିଅଟି କହିଛି- ସତ କହିବି, ଯେତେବେଳେ ସେମାନଙ୍କୁ ଦେଖେ ମୋର ସ୍କୁଲ ଯିବାକୁ ନୁହେଁ, ଇଚ୍ଛା ହୁଏ ମା’ର ହାତ ଧରି ଚାଲିବାକୁ, ମା’ ପାଖରେ କାନ୍ଦିବାକୁ!” ବାସ୍ ଖବରକାଗଜରେ ପଢିଥିବା ଗପଟିରେ ମଧ୍ୟ ସମାନ କାହାଣୀ, ଆଉ ଶେଷ ପଦଟି ତ ଏକଦମ ସମାନ, ଯାହା ଖାଲି ଓଡ଼ିଆରେ ଅନୁବାଦ କରି ଦିଆ ଯାଇଛି। ସାହିତ୍ୟ ବା କଳା କ୍ଷେତ୍ରରେ ଏ ପ୍ରକାର ଆଚରଣକୁ “ପ୍ଲେଜାରିଜମ୍” କୁହାଯାଏ। ବା ସାଧାରଣ ଭାଷାରେ କହିଲେ “କପି କରା ସାହିତ୍ୟ” ଆଉ ଚାଲୁ ଭାଷାରେ “ଚୋରି”।
ପ୍ଲେଜାରିଜମ୍ ର ଅର୍ଥ ହେଉଛି: “the practice of taking someone else’s work or ideas and passing them off as one’s own”। ଅର୍ଥାତ ଅନ୍ୟ ଜଣଙ୍କ ଚିନ୍ତା, ଆଇଡିଆ, କାହାଣୀ, କବିତାକୁ ନିଜର କୃତି କହି ପେସ୍ କରିବା। ପକୃତରେ ଏହା ଗୋଟିଏ ପ୍ରକାରର ଚୋରି କହିଲେ ଅତ୍ୟୁକ୍ତି ହେବ ନାହିଁ। କଥା, କାହାଣୀ, ଗପ, କବିତା, ପ୍ରବନ୍ଧ ରଚନା କରୁଥିବା ମଣିଷଟିଏ ହିଁ ଅନୁଭବ କରିପାରେ ଯେ, ତା’ ରଚନାଟି ତା’ର କେତେ ଅନ୍ତରଙ୍ଗ, ତା’ ପାଇଁ କେତେ ମୂଲ୍ୟବାନ୍। ଆଉ କ୍ରିଏଟିଭ ରଚନା ପାଇଁ ପ୍ରକୃତରେ ଜଣେ ଲେଖକ କୌଣସି ପୂର୍ବ ପ୍ରସ୍ତୁତି କରେନି। ସେଇ ଚିନ୍ତା, ସେଇ ପ୍ରେରଣା ତା’ ମନରେ କେଉଁଠୁ ଓ କେମିତି ଆସେ ପ୍ରକୃତରେ ସେ ନିଜେ ବି ଜାଣି ନଥାଏ। ପ୍ରତିଦିନ ଜୀବନରେ ଆମେ କେତେ ବ୍ୟକ୍ତି ଏବଂ ଘଟଣାକୁ ଭେଟିଥାଉ, ହେଲେ ସବୁ କ’ଣ ଲେଖାରେ ପରିଣତ ହୁଅନ୍ତି? ନା’ ସମସ୍ତେ ଲେଖନ୍ତି? ସେଥିପାଇଁ ପ୍ଲେଜାରିଜମ୍ କୁ ମୁଁ ସବୁବେଳେ କପିକରା ସାହିତ୍ୟ କୁହେ।
ଯଦି ଆପଣ ଲକ୍ଷ୍ୟ କରିବେ ତା’ହେଲେ ଜାଣି ପାରିବେ ଯେ, ବର୍ତ୍ତମାନର ଡିଜିଟାଲ୍ ଏବଂ ସୋସିଆଲ୍ ମିଡିଆ ଯୁଗରେ ଏହି କପି କରା ସାହିତ୍ୟ ବା ପ୍ଲେଜାରିଜମ୍ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ସ୍ମାର୍ଟ ଫୋନ୍ ଏବଂ ଇଣ୍ଟରନେଟର ବହୁଳ ବ୍ୟବହାର କାରଣରୁ ମଣିଷ ଏବେ ଅତି ସହଜରେ ଗୋଟିଏ ଗୋଟିଏ ଟିପ ଛୁଆଁରେ ଅଗଣିତ ଲେଖା, ଗୀତ, ଭିଡିଓକୁ ଦେଖି ପାରୁଛି। ଇଣ୍ଟରନେଟ ଅନ୍ କଲା ମାତ୍ରେ ଆମେ ବିଭିନ୍ନ ଭାଷାର ଫିଲ୍ମ, ଗୀତ ଏବଂ ଭିଡିଓ ଦେଖି ପାରୁଛେ। ଅନେକ ସମୟରେ କିଛି ଲୋକ ଭାବୁଛନ୍ତି ଯେ, “ହଁ ଏ ବିଦେଶୀ ଭିଡିଓ କିଏ ଦେଖୁଛି?” “ଫିଲ୍ମଟା ତ, ମୁଁ ଟିକେ ବଦଳେଇ ଗପ କରିଦେଲେ କିଏ ଜାଣୁଛି?” ” ଏତେ ବର୍ଷ ତଳର କୃତି କିଏ ମନେ ରଖିଥିବ।” ସମାନ ବ୍ୟବହାର ସୋସିଆଲ୍- ମିଡ଼ିଆ ପୋଷ୍ଟକୁ ନେଇ ମଧ୍ୟ ଦେଖିବାକୁ ମିଳୁଛି। ଇଂରାଜୀ, ହିନ୍ଦୀ କିମ୍ବା ଅନ୍ୟ ଭାଷାର ଛୋଟ କବିତା ଏବଂ ସାୟରୀ କୁ ଓଡ଼ିଆରେ ଲେଖି, କିମ୍ବା ଅନ୍ୟ କେହି ଅଚିହ୍ନା ମଣିଷର ପୋଷ୍ଟକୁ ନିଜ ନାଁ ଦେଇ ପ୍ରକାଶିତ କରୁଛନ୍ତି। କିଛି ବର୍ଷ ତଳେ ଓଡ଼ିଆ ସାହିତ୍ୟରେ ଏମିତି ଗୋଟାଏ ଖୁବ୍ ଚର୍ଚ୍ଚିତ ଦୁର୍ଘଟଣା ସାମନାକୁ ଆସିଥିଲା। କପି କରାଯାଇଥିବା ସର୍ଟ ଫିଲ୍ମ ନିର୍ମାତା ଖୁବ୍ କ୍ଷୁବ୍ଧ ହୋଇଥିଲେ। ଖବରକାଗଜରେ କିଛି ଦିନ ଧରି ଏହି ଅପମାନଜନକ ଘଟଣାକୁ ନେଇ ଖବରମାନ ପ୍ରକାଶ ପାଇଥିଲା। କିନ୍ତୁ ଏହା ହେଉଛି ଗୋଟିଏ ବିକୃତ ଏବଂ ଅସୁସ୍ଥ ମାନସିକତାର ପରିଚୟ। ଯଦି ଆମେ ଆଇନ ଅନୁସାରେ ବିଚାର କରିବା ତା’ ହେଲେ ପ୍ଲେଜାରିଜମ୍ ଗୋଟିଏ ଦଣ୍ଡନୀୟ ଅପରାଧ ମଧ୍ୟ। Copyright Act 1957ର ଧାରା 57, 63 ଏବଂ 63(a) ଦ୍ବାରା plagiarism ନିୟନ୍ତ୍ରିତ। ଏଥିରେ କେବଳ ଆର୍ଥିକ compensation ଦେବାକୁ ପଡେନି ବର° ଅପରାଧୀକୁ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ମଧ୍ୟ ହୋଇପାରେ।
ମୁଁ ଜାଣେ, ପୃଥିବୀର ଯେ କୌଣସି ସ୍ଥାନ କିମ୍ବା ଭାଷାର, ଯେକୌଣସି ସମୟର ବା ଯୁଗର ସାହିତ୍ୟକୁ ବିଚାର କଲେ ତାହା
ପ୍ରେମ, ଆନନ୍ଦ, ବିରହ, ଦୁଃଖ, କ୍ରୋଧ, ଲୋଭ, ଭୟ, ପ୍ରତିଶୋଧ ……ଏଇ ଭାବନା କୁ ନେଇ ତିଆରି। ଭାବନା ଆଉ ସୃଷ୍ଟିରେ similarities ରହିବା ସ୍ବାଭାବିକ। ସବୁ ସମୟରେ ମଣିଷର ରଚନା ତତ୍କାଳୀନ ସାମାଜିକ ବ୍ୟବସ୍ଥାର ଚିତ୍ର ଦେଖେଇବା ସହ ପ୍ରଚଳିତ କୁବ୍ୟବସ୍ଥାକୁ ସଜାଡିବାର ପ୍ରୟାସ ମଧ୍ୟ କରିଥାଏ। ସାହିତ୍ୟରେ ଆମର ବ୍ୟବହୃତ ବିଷୟବସ୍ତୁ ପରି ମୋର ଉପରୋକ୍ତ ବାକ୍ୟରେ ବି ମୁଁ କିଛି ଗୋଟିଏ ସମ୍ପୂର୍ଣ୍ଣ ନୂତନ ତଥ୍ୟ ଦେଇନାହିଁ। ବର୍ତ୍ତମାନ ଏବଂ ସତକୁ ଛାଡିଦେଲେ ମଣିଷ କେବେ out of the world ବିଷୟବସ୍ତୁ କୁ ନେଇ ଲେଖି ପାରେନି। ଯେବେ ଲେଖା ହୁଏ ଆମେ ତାକୁ କାଳ୍ପନିକ କହୁ ବା fairytale ବା ଆମ ଭାଷାରେ ଆଈ-ମା’ କାହାଣୀ। ଯଦିଓ ସାହିତ୍ୟ ମଣିଷର ସେଇ ପ୍ରେମ- ବଳିଦାନ -ଦୁଃଖ -ଲୋଭ -ରାଗ -ହି°ସା -ପ୍ରତିଶୋଧ ଏଇ ସମାନ feelings କୁ ନେଇ ଆଧାରିତ ତଥାପି ଲେଖକ ନିଜର ବର୍ଣ୍ଣନା ଶୈଳୀ, କାହାଣୀ ବା ଘଟଣାକୁ କେମିତି ପ୍ରସ୍ତୁତ କରେ, ସେଇ କଥା ହିଁ ନୂତନ ସାହିତ୍ୟ ସୃଷ୍ଟି କରେ। ଆମକୁ ପଢିଲେ ନୂଆ ଲାଗେ। ସେମିତି ଆମେ କୌଣସି ରଚନା ବା ଫିଲ୍ମ ବା creative work ଦ୍ବାରା ପ୍ରଭାବିତ ହେବା ଖୁବ୍ ସ୍ବାଭାବିକ ମଧ୍ୟ। କୌଣସି ଭଲ ଲାଗୁଥିବା ଲେଖକଙ୍କ ଦ୍ବାରା ବି ପ୍ରଭାବିତ ହେବା ଖୁବ୍ ସ୍ବାଭାବିକ। କିନ୍ତୁ ମୂଳ ଲେଖକ କିମ୍ବା ସୃଷ୍ଟିକର୍ତ୍ତାଙ୍କୁ ଧନ୍ୟବାଦ ନଦେଇ, credit ନଦେଇ, ଭାବନା ଏବଂ ଲେଖାକୁ ନିଜ ନାଁ ରେ ପ୍ରକାଶିତ କରିବା କେବଳ ଅଶୋଭନୀୟ ନୁହେଁ, ଅପରାଧ ମଧ୍ୟ। ଅନ୍ୟ ଜଣକର ସୃଷ୍ଟିକୁ ନଜଣାଇ କପି କରିବା “ଚୋରି” ହିଁ କୁହାଯାଏ…..ଆଉ ଏ ଚୋରମାନେ ମନେ ରଖିବା ଦରକାର ଚାହିଦା ଆଉ ଭଲପାଇବା ସବୁବେଳେ ମୌଳିକ ଲେଖା ପାଇଁ ଥାଏ।
(ଅନୁବାଦ କରନ୍ତୁ, ପ୍ରଭାବିତ ହୋଇ ଛାୟାରେ ରଚନା ବି କରନ୍ତୁ। କିନ୍ତୁ ଚୋରି କରି ନୁହେଁ…… ମୂଳ ସ୍ରଷ୍ଟାଙ୍କୁ ଧନ୍ୟବାଦ ଓ ସମ୍ମାନ ଜଣାଇ।)
ଡା. ଇପ୍ସିତା ପ୍ରଧାନ
Ekdum thik katha 👍👍