ବଡ଼ ସହରଟିର ଛୋଟିଆ ପାର୍କ ଭିତରେ ଭାଲେଣ୍ଟାଇନ୍ସ ଡ଼େ ର ପ୍ରେମୀ ଯୁଗଳ ଙ୍କୁ ଠାଏ ଠାଏ ଦେଖିବାକୁ ମିଳୁଥିଲା ସେଦିନ l ଅନ୍ୟ କେତେଜଣ ଏମିତି ଉଦ୍ଦେଶ୍ୟ ବିହୀନ ହୋଇ ପଶି ଆସିଥିଲେ ଟିକେ ଘେରାଏ ବୁଲି ଆସିବା ପାଇଁ ନହେଲେ ଦିନ ଏଗାରଟା ରେ କାହାର କାମ ନାହିଁ ଯେ ପାର୍କ ବୁଲିବାକୁ ଯିବ, ଆଜିକାଲି ତ ରାତି ରେ ହିଁ ପାର୍ଟି କରିବା ପାଇଁ ଲୋକ ପସନ୍ଦ କରୁଛନ୍ତି l ଝିଅଟିଏ ଅଳ୍ପ ଦୂର ରୁ କାହାକୁ ଖୋଜି ଖୋଜି ଆସି ପହଞ୍ଚି ଚାରିଆଡେ ଦେଖୁ ଦେଖୁ ତାର ଇପ୍ସିତ ବ୍ୟକ୍ତିଟି ର ସନ୍ଧାନ ମିଳି ଯିବାରୁ ଆଶ୍ବସ୍ତି ରେ ସେ ପୁଅଟି ନିକଟ ରେ ପହଞ୍ଚି ଯାଇ ସାମ୍ନା ରେ ଠିଆ ହୋଇଗଲା l ପୁଅଟି କୁ ଦେଖିଲେ ଲାଗୁଥାଏ ଯେପରି କି ନିର୍ଦ୍ଧାରିତ ସମୟ ର ଅନେକ ପୂର୍ବ ରୁ ଆସି ଝିଅଟି କୁ ଅପେକ୍ଷା କରିଥିଲା l ଝିଅଟି ହସି ଦେଲା ଏବଂ ପୁଅଟି କୋଟିନିଧି ପାଇଲା ଭଳି ହେଇଗଲା କିନ୍ତୁ କେହି କାହାରିକୁ କିଛି କହି ପାରୁ ନଥାନ୍ତି l ଦୁହେଁ ଅଭ୍ୟସ୍ତ ଥିଲା ଭଳି ଗେଟ ଠାରୁ ଦୂର ରେ ପଡ଼ିଥିବା ଗୋଟିଏ ବେଞ୍ଚ ରେ ଯାଇ ବସିଲେ l କିଛି ସମୟ ବସି ପରସ୍ପର ର ସାନ୍ନିଧ୍ୟ ଲାଭ କଲା ପରେ ମୁଁ ଅପେକ୍ଷା କରିଥିଲି ବୋଲି କହୁ କହୁ ଝିଅଟି ସଫେଇ ଦେବା ଆରମ୍ଭ କରିଦେଲା ଯେ ଆସୁ ଆସୁ ମାଆ ର କାମ ବରାଦ ପୁଣି ସାନ ଭାଇ ର ହାତ ରୁ କାଚ ଗ୍ଲାସ ଖସାଇ ଦେବା ଏବଂ ସାନ ଭଉଣୀ ର ଭଜା ଭାଜୁ ଭାଜୁ ପୋଡି ଦେବା ଇତ୍ୟାଦି ଘଟଣା ଗୁଡ଼ିକ ତା ସହିତ ଘଟି ସାରିଛି ଏବଂ ଏହା ହିଁ ପରୋକ୍ଷ ରେ ତାର ସାମାନ୍ୟ ବିଳମ୍ବ ର କାରଣ ହୋଇପାରେ l
ଆଉ କିଛି ନ କହି ଝିଅଟି ଗୋଟେ ଗିଫ୍ଟ ପ୍ୟାକ ବାହାର କଲା ଯାହା ଛୋଟିଆ ହେଲେ ବି ରଙ୍ଗୀନ ଜରି ରେ ଆଖି କୁ ଝଲସାଇ ଦେବା ସଙ୍ଗେ ସଙ୍ଗେ ପୁଅଟି ର ମନ କୁ ମଧ୍ୟ କିଛି ସମୟ ପାଇଁ ହରରଙ୍ଗୀ କରି ଦେଇଥିଲା l ଚକ ଚକ ହୋଇ ଉଠିଥିଲା ତାର ଆଖି ଦୁଇଟି l
—କାଇଁ କାଇଁ ହାତ ଦେଖେଇଲ ଦେଖାଅ ତ ଶୀଘ୍ର l
ପୁଅଟି ପ୍ରଥମେ ନିଜ ଉପହାର ଦେବା କଥା ଭୁଲି ଯାଇ ବାମ ହାତ ଟି ବଢ଼ାଇ ଦେଲା l ଝିଅଟି କାଳ ବିଳମ୍ବ ନକରି ସୁଦୃଶ୍ୟ ପ୍ୟାକ ଭିତରୁ ଗୋଟେ ହାତ ଘଣ୍ଟା ବାହାର କରି ପୁଅଟି କୁ ପିନ୍ଧାଇ ଦେଇଥିଲା l ପରିଶ୍ରମ ସାର୍ଥକ ହେଲା ବୋଲି ଝିଅଟି ଭାବୁଥିଲା କାରଣ ଏତେ ଦିନ ଧରି ସେ ପକେଟ ମନି ବଞ୍ଚାଇ ବଞ୍ଚାଇ ଆଠ ଶହ ଟଙ୍କା ଦେଇ ଘଣ୍ଟାଟିଏ କିଣି ତାର ପ୍ରିୟ ବ୍ୟକ୍ତିଟି କୁ ଦେଇ ପାରିଛି ଆଜି l ସେଥର ନାନୀ ର ପୁଅ ଜନ୍ମ ହେଲା ଏବଂ ଡେ଼ଲିଭରି ପରେ ଶାଶୁ ଘର କୁ ଫେରିଲା ବେଳେ ନାନୀ ଏକାବେଳକେ ପାଞ୍ଚ ଶହ ଦେଇଥିଲା ହାତ ଖର୍ଚ୍ଚ l ଆଉ ବହି ପତ୍ର କିଣିବାକୁ ମାମୁଁଙ୍କ ଠାରୁ ଆଣି ମାଆ ଦେଇଥିବା ଟଙ୍କା ରୁ କିଞ୍ଚିତ ପରିମାଣ ରେ ବଞ୍ଚାଇ ଏଇଟି କିଣି ପାରିଛି ସିଏ l ପୁଅଟି ର ଆଖି ଦୁଇଟି ପୁଣି ଥରେ ଚକ ଚକ ହୋଇ ଉଠିଥିଲା ଯେଉଁଥିରେ ଏଥର ବିସ୍ମୟ ନଥିଲା ବରଂ ସେଥିରେ ଥିଲା ଆନନ୍ଦାଶ୍ରୁ l
ଏଥର ଝିଅଟି ଅପେକ୍ଷା କରୁଥିଲା ପ୍ରତି ବଦଳ ରେ ତାର ପ୍ରିୟ ବ୍ୟକ୍ତି ଟି ଠାରୁ ଭାଲେଣ୍ଟାଇନ୍ସ ଗିଫ୍ଟଟିଏ l ପୁଅ ପିଲା ଟି କେତେବେଳୁ ଧରି ଥିବା ଛୋଟିଆ ଫୁଲ ତୋଡ଼ାଟିଏ ଝିଅ ହାତକୁ ବଢ଼ାଇ ଦେବାରୁ ଝିଅ ର ନଜର ଏତେବେଳକୁ ଯାଇ ଫୁଲ ଗୁଡ଼ିକ ଉପରେ ପଡ଼ିଲା l ସରପ୍ରାଇଜ ଗିଫ୍ଟ ଟି କଣ ହୋଇପାରେ ରାସ୍ତା ସାରା ଭାବି ଭାବି ଧଡ଼ ଧଡ଼ ହେଉଥିବା ହୃଦୟ ଟି ଏକା ବେଳକେ ଧଡ଼ କରି ଅଟକି ଯାଇଥିଲା l ଘାସ ର ରଜ୍ଜୁ ରେ ବନ୍ଧା ହୋଇଥିବା ଛୋଟ ବଡ଼ ଫୁଲ ଗୁଡ଼ିକ ର ପୁଷ୍ପ ଗୁଚ୍ଛ ଟି ଗୋଟିଏ ନିଖୁଣ ଶିଳ୍ପୀ ହସ୍ତ ର ପ୍ରାଣ ଭରା ସ୍ପର୍ଶ ସଦୃଶ ପ୍ରତୀୟମାନ ହେଉଥାଏ ଯାହାକୁ ପୁଅଟି ଅତି ଆଦର ରେ ବଢ଼ାଇ ଦେଇଥିଲା ଝିଅ ଆଡ଼କୁ l ମୋ ବୟ ଫ୍ରେଣ୍ଡ ର ସମ୍ମାନ ମୋ ହାତ ରେ ଯାହାକୁ ମୁଁ କୌଣସି ମତେ ତଳେ ପକାଇବାକୁ ଦେବିନାହିଁ ବୋଲି ପଣ କରିଥିବା ଝିଅ ଟି କୌଣସି ମତେ ଖୁସି ର ଭାବ ଦେଖାଇ ପୁଷ୍ପ ଗୁଚ୍ଛ ଟି ଧରି ଦୁଇ ଚାରି ଥର ଏକଡ଼ ସେକଡ଼ କରି ଦେଖି ସାରି ଫୁଲ ଗୁଡିକୁ ନେଇ ଆଉ କିଛି କରିବା ପାଇଁ ନଥିବାରୁ ସେ ବସି ଥିବା ବେଞ୍ଚ କଡ଼ ରେ ଥୋଇ ଦେଇଥିଲା l
ଘଣ୍ଟା ଟି ପାଇ ପୁଅ ଜଣକ କୃତକୃତ୍ୟ ହୋଇ କିଛି କହିବାକୁ ଚାହୁଁଥିଲା କିନ୍ତୁ ଝିଅ ଟି ତା ଠାରୁ ଏଇ କୃତଜ୍ଞତା କୁ ସହଜ ରେ ଗ୍ରହଣ କରି ପାରୁ ନଥିଲା l ନୀରବ ରେ ଉଭୟେ ବସିଥିଲେ ଏବଂ ସମୟ ଏ ଦୁହିଁଙ୍କୁ ପରସ୍ପର ଠାରୁ ଦୁରେଇ ଦେବା ପାଇଁ ସତେ ଯେପରି ବଦ୍ଧ ପରିକର ଥିଲା ତେଣୁ ବହୁତ ଜୋର ରେ ଦୌଡୁଥିଲା ସମୟ l କେତେ ସମୟ ଅତିକ୍ରାନ୍ତ ହେଲା ପରେ ଝିଅ ଟି ଉଠି ଠିଆ ହେଲା ଏବଂ ପୁଅ ର ମୁଖ ମଣ୍ଡଳ କୁ ଅର୍ଥପୂର୍ଣ୍ଣ ଦୃଷ୍ଟି ରେ କେତେ ସେକେଣ୍ଡ ନିରୀକ୍ଷଣ କଲା l ପୁଅ ଟି ଅବୁଝା ଥିଲେ ବି ଝିଅ କିନ୍ତୁ ଜାଣିଥିଲା ଯେ ଏଇଟା ତାର ଶେଷ ଭାଲେଣ୍ଟାଇନ୍ସ ଡ଼େ ଏବଂ ଆର ଥର କୁ ସିଏ ଆଉ ଆସିବ ନାହିଁ ଏଠିକି l
ସପ୍ତାହେ ତଳେ ମାମୁଁ ଗୋଟିଏ ବିବାହ ପ୍ରସ୍ତାବ ଆଣି ଦେଇଛନ୍ତି l ତାର ଭାବି ପତି ଟି ଦୁବାଇ ରେ ଅଛି ତେଣୁ ଆଖି ବୁଜି ତା ମାଆ ରାଜି ହୋଇ ଯାଇଛନ୍ତି ଯେତେହେଲେ ବାପା ନଥିବା ଝିଅ ତାର ଗୋଟେ ରାଜି ଅରାଜି କଣ ? ତଳେ ଆଉରି ଭାଇ ଭଉଣୀ ଅଛନ୍ତି l ଭାଗ୍ୟ ରେ ଥିଲେ ଦୁବାଇ ବାଲା ମିଳିବ l ଫେରି ଯାଇଥିଲା ଝିଅଟି ଆଉ ହଁ ଯିବା ପୂର୍ବରୁ ଦୁଇ ତିନି ଥର ପଛକୁ ଫେରି ପୁଅଟି ର ମୁହଁ ଦେଖି ନେଉଥିଲା ଶେଷ ଥର ପାଇଁ ତଥାପି ମନ ମାନୁ ନଥିଲା l ପୁଅଟି ବି ଅସହାୟତା ର ହାତ ହଲାଉ ହଲାଉ ହଠାତ ଝିଅ ଛାଡ଼ି ଦେଇ ଯାଇଥିବା ଫୁଲ ତୋଡ଼ା ଉପରେ ନଜର ପଡ଼ି
ଗଲା l
—ଆରେ ଏଇଟି ରହିଗଲା ଯେ !
—ଥାଉ ! ତାକୁ ନେଇ ଘର କୁ ଯାଇ ପାରିବି
ନାହିଁ l
ଯଦି ଅନ୍ୟ କିଛି ହୋଇଥାନ୍ତା ମାନେ ପର୍ସ ଭିତରେ ରେ ରଖିହେଲା ଭଳି ତେବେ ଝିଅଟି ତାକୁ ସାଙ୍ଗ ରେ ନେଇ ଯାଇ ପାରିଥାନ୍ତା ଏପରିକି ଦୁବାଇ ବି ନେଇ ଯାଇଥାନ୍ତା l ପୁଅଟି ର ଶେଷ ସନ୍ତକ ହିସାବ ରେ ସେଥିପାଇଁ ସେ ଫୁଲ ତୋଡ଼ାଟି ଦେଖି ନିରାଶ ହୋଇଗଲେ ବି ପୁଅଟି କୁ ଜାଣିବାକୁ ଦେଇ ନଥିଲା ହୁଏତ ପ୍ରେମିକାଟି କୁ ଲୋଭୀ ବୋଲି ଭାବି ପାରେ ସେ l ପନ୍ଦର ଦିନ ପରେ ପୁଅଟି ଶୁଣିଲା ଯେ ଝିଅଟି ବାହା ହୋଇ ଦୁବାଇ ଚାଲି ଯାଉଛି l କିନ୍ତୁ କଣ ସେ କରି ପାରିଥାନ୍ତା ଆଉ ? ବାପା ରାତ୍ରି ଜଗୁଆଳି, ମାଆ କୁ ବୋନ କ୍ୟାନ୍ସର, ବଡ଼ ଭଉଣୀ ଟି ଶାଶୁ ଘରୁ ବିତାଡିତ ହୋଇ ସିଲେଇ କରୁଛି ସାହି ରେ ଏବଂ ସେ ନିଜେ କଣ ପଢ଼ୁଛି କାହିଁକି କଲେଜ ଯାଉଛି ଜାଣିନାହିଁ l ବାପା କଲେଜ ଫିସ ଭରୁଛନ୍ତି, ଭଉଣୀ ରାନ୍ଧି ବାଢ଼ି ଥୋଉଛି ଏବଂ ଶେଷ ଅବସ୍ଥା ରେ ଶଯ୍ୟାଶାୟୀ ମାଆ ଆହୁରି ଆଶା ରଖିଛି ଯେ ପୁଅ ବଡ଼ ଚାକିରୀ ପାଇ ତାକୁ ଭଲ ହସ୍ପିଟାଲ ରେ ଦେଖାଇ ଭଲ କରିବ l
ତହିଁ ପର ବର୍ଷ ଠିକ ଏଇଦିନ ପୁଣି ପୁଅଟି ଆସି ସେଇ ନିର୍ଦ୍ଦିଷ୍ଟ ବେଞ୍ଚ ଉପରେ ଫୁଲ ତୋଡ଼ା ଟି ଧରି ବସି ରହିଥିଲା l ବର୍ଷେ ଭିତରେ ପୁଅଟି ର ଜୀବନ ରେ ଆକାଶ ପାତାଳ ପରିବର୍ତ୍ତନ ହୋଇ ଯାଇଛି l ବଡ଼ ଭଉଣୀ ଟି ଛାଡ଼ପତ୍ର ନୋଟିସ ପାଇ ଆତ୍ମହତ୍ୟା କରିଛି ଏବଂ ଏସବୁ ଦେଖି ମାଆ ସହ୍ୟ କରି ନପାରି ଆର ପାରି କୁ ଟିକଟ କାଟିଛି l ମାଆ ର ଶେଷ ସମୟ ରେ ଘର ର ଅନ୍ୟାନ୍ୟ ଦ୍ରବ୍ୟ ସହିତ ଘଣ୍ଟାଟିକୁ ମଧ୍ୟ ବିକ୍ରି କରିବାକୁ ପଡ଼ିଛି ତାକୁ l
ଏତିକି ବେଳେ କୁଆଡ଼େ ଗଲା ସିଏ…? ପାଖ ରେ ଥିଲେ ତା କାନ୍ଧ ରେ ମୁଣ୍ଡ ରଖି କାନ୍ଦି ହୁଅନ୍ତା ଟିକେ ଏବଂ ସେ କହିଥାନ୍ତା
—ବାବୁ ! ଜୀବନ ଯୁଦ୍ଧ ରେ ତୁମେ ହିଁ ଜିତିବ l ଅପେକ୍ଷା କର l ମୁଁ ଥାଏ କି ନଥାଏ କିନ୍ତୁ ମୋର ଗୋଟେ କଥା ମନେ ରଖିଥିବ l ତୋଫାନ ବେଳେ ନଇଁ ଯାଅ ରକ୍ଷା ପାଇଯିବ ଏବଂ ଜିତାପଟ ତୁମର ହିଁ ହେବ ବାବୁ ! ଧର୍ଯ୍ୟହରା ହୁଅନାହିଁ ସ୍ଥିର ଚିତ୍ତ ରେ ଥୟ ଧରି ରୁହ l
ସବୁ ପ୍ରେମିକା ନିକଟ ରେ ମାତୃସତ୍ତାଟିଏ ଥାଏ ପରା !!! ହେଲେ ଆଜି ସିଏ ନାହିଁ ତା କଥା ଗୁଡ଼ିକ ଶୁଭି ଯାଉଛି l ଫୁଲ ତୋଡ଼ାଟା ବେଞ୍ଚ ଉପରେ ଥୋଇ ଦେଇ ଉଠି ଆସିଲା ବେଳକୁ ଲୁହ ଟୋପାଏ ଖସି ପଡ଼ି ଥିଲା l
— ସମାପ୍ତ —