ପ୍ରିୟତମା

ଘରେ ତେଳ ଲୁଣର ବଜେଟ୍ ସମ୍ଭାଳୁଥିବା ଘରଣୀ ହଠାତ୍ ଚେତାବନୀ ଦେଲେ, ବହୁତ ହୋଇଗଲା। ଏଥର କବିତା ଲେଖା ବନ୍ଦ କର। ଦେଖ ଦୁନିଆଁ କେବେଠୁ ବଦଳିଗଲାଣି। ଆଉ ତୁମେ ଭଙ୍ଗା ଚେୟାର୍ ଭଳି ସେମିତି ଗୋଟିଏ କଣରେ ପଡ଼ିଥାଅ। କ’ଣ ମିଳୁଛି ସେଥିରୁ ଯେ।
ଘରଣୀଙ୍କ ମଥା ହଠାତ୍ କାହିଁକି ଘୁରିଲା କିଛି ବୁଝିବା ଆଗରୁ ଆଉ ଏକ ବିସ୍ପୋରଣ। ଦରଦାମ୍ କେବେଠୁ ଆକାଶ ଛୁଆଁ ହେଲାଣି। କିଛି ଜାଣିପାରୁଛ ନା ନାହିଁ। ଏଥର ତ ଆଉ କିଛି କର। ତୁମ ଦରମା ଟଙ୍କାରେ ଚଳିବା ଆଉ ସମ୍ଭବ ନୁହେଁ, ନହେଲେ ସମ୍ଭାଳ ତୁମର ତେଳ ଲୁଣର ସଂସାରକୁ। ମତେ ଟିକେ ଶାନ୍ତି ଦିଅ। ଦିନ ଯାକ ଅଫିସରେ ଆଉ ଘରେ ଥିଲେ ଖାଲି କବିତା।
ଲାଗାତାର ଭାବେ ଚାଲିଥିଲା ଏଭଳି ଆକ୍ରମଣ ଏକ ଅସହାୟ ମଣିଷ ଉପରେ। ପ୍ରଥମେ ତ ବହୁତ ରାଗ ଲାଗିଲା। ମନେ ମନେ ଭାବିଲି ସାହିତ୍ୟ ସାଧନା ସେ, ବା କେମିତି ବୁଝିବ। ହେଉ ହେଲା ଦୀର୍ଘ ୨୦ ବର୍ଷ ଧରି ଚୁପ୍ ରହିଥିଲା। ଆଜି ଅଳ୍ପ କିଛି କହିଦେଲା। ଆପେ ତୁନି ହୋଇ ପୁଣି ସମ୍ବାଳିନେବ ଯେ, ମୋର ତେଳ ଲୁଣର ସଂସାରକୁ। ରାଗ ଥଣ୍ଡା ହେବା ପର୍ଯ୍ୟନ୍ତ ଅନ୍ତତଃ ଟିକେ ବଜାର ଅଡ଼େ ବୁଲି ଆସିବାକୁ ମନହେଲା।
ଘରୁ ବାହାରି ଗୋଲବଜାର ଛକ ଆଡେ ମୁହାଁଇଲି। ରାସ୍ତାରେ ଦେଖା ହେଲେ ଯୁବ ସାହିତ୍ୟକ ବନ୍ଧୁ ଜଣେ। ଦେଖିବା ମାତ୍ରେ ସସମ୍ମାନେ ପ୍ରଣାମ ଜଣାଇ ଭଲମନ୍ଦ ପଚାରିଲେ। ତାଙ୍କୁ କେମିତି ବା କହନ୍ତି, ମୋ ତେଳ ଲୁଣ ସଂସାରର ଇତି ବୃତାନ୍ତ। ନୂଆଁ ନୂଆଁ ସୃଜନ କ୍ଷେତ୍ରରେ ପାଦ ଥାପିଛନ୍ତି। ଅତି ସୁନ୍ଦର ମନଛୁଆଁ କବିତା ମଧ୍ୟ ଲେଖୁଛନ୍ତି। ତାଙ୍କ ଆଗରେ ଘର କଥା ପ୍ରକାଶ କଲେ ସାହିତ୍ୟ ସାଧାନା ପ୍ରତି ତାଙ୍କର କାଳେ ମୋହଭଙ୍ଗ ହୋଇପାରେ। ଏଣୁ ଯୋର ଜବରଦସ୍ତ ମୁହଁରେ ଚେନାଏ ହସ ଆଣି ତାଙ୍କ ସାହିତ୍ୟ ସାଧାନା ପାଇଁ ଶୁଭକାମନା ଜଣାଇ ଆଗକୁ ବଢ଼ିବା ଶ୍ରେୟସ୍କର ମଣିଲି।
ଇଚ୍ଛା ହେଲା ଘରଣିଙ୍କ କଥାରେ ମୁଣ୍ଡଟା ଗୋଳମାଳିଆ ହୋଇ ଯାଇଛି। ଚା ପିଇଲେ କାଳେ ଆଶ୍ବସ୍ତି ଅନୁଭବ ହେବ ଭାବି ପହଞ୍ଚିଲି ଚା ଦୋକାନରେ। ମୁଚୁକୁନ୍ଦି ସହ ଟିଏ ଖେଳେଇ ହରି ଭାଇନା ବଢ଼ାଇଦେଲେ ସୁଗର୍ ସ୍ପେସାଲ୍ ବିନା ଚିନିର ଚା ଗ୍ଲାସ୍। ପାଖରେ ଥିବା ବରଗଛ ଛାଇରେ ଠିଆ ହୋଇଛି। ଦୃଷ୍ଟି ନିକ୍ଷେପ ହେଲା ଆମ ପୁରୁଖା ବୟୋଜ୍ୟେଷ୍ଠ କବି ବନ୍ଧୁ ଫ୍ଲଇଓଭର୍ ତଳେ ଦଣ୍ଡାୟମାନ। ସୁଖ ଦୁଖଃ ହେବାକୁ ଇଚ୍ଛା ହେଲା। ପହଞ୍ଚିଲି ତାଙ୍କ ନିକଟରେ।
ଆନନ୍ଦିତ ହୋଇ କୁଣ୍ଡେଇ ପକାଇଲେ। କେମିତି ଅଛ, ବହୁ ଦିନ ପରେ ଦେଖା ହେଲା, କିବତା ଆସର ଅଛି ଗତକାଲି, ଆସୁଛନା ବୋଲି ଏକା ଧାରରେ ପଚାରି ଚାଲିଥାନ୍ତି ସେ। କ’ଣ ବା ଉତ୍ତର ଦେବି ତାଙ୍କୁ ଭାବୁ ଭାବୁ ଗୀତ ଟିଏ ମନେ ପଡ଼ିଲା। ଗୁଣୁଗୁଣାଇବା ଆରମ୍ଭ କଲି, ଏ ବନର ଛାଇ ଯଦିଁ ପ୍ରଥମ ପ୍ରେମ ସପନ ଯାଇଛି ସତ ହୋଇ ମୁଁ ଭୁଲିବି ନାହିଁ, ମୁଁ ଭୁଲିବି ନାହିଁ।
ଆରେ ଆଜି ପୁରା ରୋମାଣ୍ଟିକ୍ ହୋଇ ଯାଇଛ ଯେ, କ’ଣ ପୁରୁଣା ଦିନ ମନେ ପଡ଼ିଗଲା କି ?। ନା ଭାଇ ଏମିତି କିଛି ନାହିଁ ବୋଲି କହି ତାଙ୍କ ଠାରୁ ବିଦାୟ ନେଲି। ଯାଉ ଯାଉ ପଛରୁ କେହି କହୁଥିଲେ, ଦେଖ ଆମର କବି ଆଜି କେମିତି ଭାବୁକ ପାଲଟିଛନ୍ତି। ନିଶ୍ଚୟ ଆଜି ରୋମାଣ୍ଟିକ୍ କବିତା ପୋଷ୍ଟ ହେବ ଫେସବୁକ ରେ। ପଛକୁ ଓଲଟି ଦେଖିବାକୁ ଇଚ୍ଛା ହେଲା, ହେଲେ ସେହିକ୍ଷଣି ବାଜି ଉଠିଲା ମୋବାଇଲ୍।
କେଉଠି ଅଛ, ଶୀଘ୍ର ଘରକୁ ଆସ। ତୁମର ପ୍ରେମିକା ମାନେ ମୋର ସଉତୁଣୀ ଘରେ ହାଜର୍ ହେଲାଣି। ଘରଣୀଙ୍କ ଠାରୁ ଏଭଳି କିଛି ଶୁଣି ଅସ୍ତବ୍ୟସ୍ତ ହୋଇପଡ଼ିଲି। କେଉଁ ପ୍ରେମ ଆଉ କେଉଁ ପ୍ରେମିକା, କିଛି ବୁଝିବା ମୋ ପକ୍ଷେ ସମ୍ଭବ ନଥିଲା। ଆଜି ତ କଥା ସରିଲା। ବେଗି ବେଗି ଘର ମୁହାଁ ହେଲା ମୋର ଦୁଇ ପାଦ।
ଘରେ ପହଞ୍ଚିବା ପରେ ଦେଖିଲି ଘରଣୀ ସାମାନ୍ୟ ଶାନ୍ତ ମନେ ପଡ଼ୁଛନ୍ତି। ସୋଫା ଉପରେ ବସୁବସୁ ଘରଣୀ ପାଣି ଗ୍ଲାସ୍ ଟିଏ ଆଣି ବଢ଼ାଇଦେଲେ। ମନେ ମନେ ଭାବିଲି ଯୁଦ୍ଧ ହେବା ଆଗରୁ ଶାନ୍ତି ବାର୍ତ୍ତାଳାପର ପର୍ବ ଆରମ୍ଭ ହୋଇଛି। ଘରଣୀ ସେଠାରୁ ଚାଲି ଯାଇ କିଛି କ୍ଷଣ ପରେ ପୁଣି ଫେରିଲେ। ହାତରେ ଗୋଟିଏ ବଡ଼ ଲଫାପା। ମୋ ହାତକୁ ବଢ଼ାଇ ଦେଇ କହିଲେ ନିଅଁ ତୁମ ପ୍ରେମିକାକୁ। ଏଥର ହୃଦୟର ସ୍ପନ୍ଦନ ବଢ଼ି ଯାଇଥିଲା। ମନ ଭିତରେ ଚାଲିଥିଲା ଶୀତଳ ଯୁଦ୍ଧ। ଲଫାପା ଖୋଲିବା ପାଇଁ ଦେଖିଲା ବେଳକୁ ତାହା ଆଗରୁ ଖୋଲା ଥିଲା। ଭିତରେ କଣ ଅଛି ଜାଣିବାକୁ ଚେଷ୍ଟା କଲି। ମନମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରିବା ଆରମ୍ଭ କରିଥାଏ। ଆଶଙ୍କାର ବାତାବରଣ, ପ୍ରଳୟ ଆସିବା ପୂର୍ବରୁ ଏହା ଶାନ୍ତିର ବାତାବରଣ ନୁହେଁ ତ?
ହେଇଟି ଶୁଣୁଛ, ତୁମର କବିତାଟି ଅତ୍ୟନ୍ତ ସୁନ୍ଦର ହୋଇଛି। ମୋ ଉପରେ କେବେ କବିତା ଲେଖି ଛ ନା ନାଇଁ। କାଇଁ ଆଜି ପର୍ଯ୍ୟନ୍ତ ତ କେଉଠି ଛପା ହେବା ପରି ମନେ ହେଉନି। ଘରଣୀଙ୍କ ଏଇ କିଛି ପଦ କଥା ମତେ ଆଶ୍ବସ୍ତ କଲା। କଣ କହି ଉତ୍ତର ଦେବି ତାଙ୍କୁ ଭାବିବାକୁ ଲାଗିଲି।
ସତରେତ ତାଙ୍କ ବିନା ଜୀବନଟା କଣ ଏତେ ସହଜ ହୋଇଥାନ୍ତା। ସେ ମୋର ତେଳ ଲୁଣର ସଂସାର ସମ୍ଭାଳିନଥିଲେ କଣ କବିତା ସୃଷ୍ଟି ହୋଇଥାନ୍ତା। ଯା ହେଉ ଆଜି ମୋ ପାଇଁ କବିତା ଲେଖିବାକୁ ଏକ ଶୀର୍ଷକ ମିଳିଗଲା। ଆରମ୍ଭ ହେଲା କବିତା ଲୋଖା ‘ପ୍ରିୟତମା’।

ତଫିଜୁଲ

Leave a Reply

Your email address will not be published. Required fields are marked *