ପୁଣ୍ଯ ମାସେ ପୁଣ୍ଯ ଦୀପାବଳି

ପୁଣ୍ୟ ମାସ ରେ ପୁଣ୍ୟ ଦୀପାବଳି
ହୃଦୟେ ଭକ୍ତି ଅଶେଷ
ଲକ୍ଷ୍ମୀ ଗଣେଶ ଙ୍କ ପୂଜା ବିଶେଷ
ମହାନ କାର୍ତ୍ତିକ ମାସ

ପୟା ଶ୍ରାଦ୍ଧ ଦେଇ ବଡ ବଡୁଆଙ୍କୁ
କରୁ ଆମେ ନିମନ୍ତ୍ରଣ
ଜୀବନ ହେଉ ଆଲୋକିତ ମୟ
କରିଥାଉ ନିବେଦନ

ବଡ଼ ଦେଉଳରେ ବାଇଶି ପାହାଚେ
ବଡ ବଡୁଆଙ୍କୁ ଡାକୁ
ଜାଳି ଦିଅ ସବୁ ଅଶୁଭ ଚିନ୍ତନ
ଦିବ୍ୟ ଚେତନା ଜାଗୁ

ପ୍ରୀତିର ଦୀପାଳୀ ଜାଳିଦେବା ଆମେ
ହିଂସା ହୋଇଯାଉ ଦୂର
ଘରେ ଘରେ ଜଳୁ ପ୍ରୀତିର ଦୀପାଳୀ
ହଟି ଯାଉ ଅନ୍ଧକାର

ପିତୃ ପୁରୁଷଙ୍କୁ ପିଣ୍ଡ ଶ୍ରାଦ୍ଧ ଦାନ
ପୂଜା ହୁଅନ୍ତି ମା’କାଳୀ
ବଡ଼ ବଡୁଆଙ୍କୁ ଡକାଯାଇଥାଏ
କାଉଁରିଆ କାଠି ଜାଳି

ଆଲୋକିତ ହେଉ ଏ ସାରା ଜଗତ
ଅନ୍ଧାର ଯାଉ ଅପସରି
ପରିବାର ସବୁ ସୁଖମୟ ହେଉ
ସ୍ନେହଶ୍ରଦ୍ଧା ରହୁ ଭରି

ଇର୍ଷା ଅହଂକାର ଦେବା ଦୂର କରି
ଶ୍ରଦ୍ଧାର ଦୀପାଳି ଜାଳି
ସଭିଙ୍କ ଜୀଵନ ଆଲୋକିତ ହେଉ
ରୋଗ ଶୋକ ଯାଉ ଟଳି

ସୁଖ ପ୍ରଦାୟିନୀ ଶକ୍ତି ସ୍ୱରୂପିଣୀ
ମହମାୟୀ ମା’ କାଳୀ
ଅସତ୍ୟ ଉପରେ ସତ୍ୟର ବିଜୟ
ଏତିକି ମୋର ଅଳି

ସିନ୍ଧୁ ନନ୍ଦିନୀ

ଭୁବନେଶ୍ୱର

Leave a Reply

Your email address will not be published. Required fields are marked *