ପିଲାବେଳ ଧୂଳିଖେଳ

ଫେରି ଆସନ୍ତା କି ମୋ ପିଲାବେଳ
ସ୍ମୃତିରେ ବିସ୍ମୃତ ସେ ଧୂଳିଖେଳ।

ଖରାଦିନ ଆମ୍ବତୋଟାର ମାଳ
ଦୋଳି ଖେଳୁଥାନ୍ତି ବର ଓହଳ।

ବରଷାରେ ଭିଜି ଡ଼ଙ୍ଗା ଭସାନ୍ତି
ପାଣି ଖେଳେ ପୁଣି ଯାଆନ୍ତି ମାତି।

କଙ୍କି ପଛେ ପଛେ ଧରନ୍ତି ଛୁପି
ଫୁଲ ବଗିଚାରୁ ପରଜାପତି।

ଗିଲିଦଣ୍ଡା, ବାଟି, ଠିକିରିପୁଆ
ବୋହୁଚୋରି ପୁଣି ବରକନିଆ।

କେତେ ରକମର ରୋଷେଇ କରି
ମିଛେ ମିଛେ ପେଟ ଖାଆନ୍ତି ଭରି।

ସାଥୀ ମେଳେ ଯାଇ ନଈ, ପୋଖରୀ
ଏ ତୁଠୁ ସେ ତୁଠ ଯିବି ପହଁରି।

ବୋଉର ଆକଟ ବାପାଙ୍କ ଗାଳି
ଦେହ ସାରା ହୋଇ ଯାଆନ୍ତି ବୋଳି।

ଗଣିଆ ସାହୁର ବାଡ଼ିରେ ପଶି
ତୋଳି ଖାଉଥାନ୍ତି କାକୁଡ଼ି କଷି।

ମୋହନ ଗୁଡ଼ିଆ ଆଣିଲେ ବିକି
ଭିଡ଼ି ଧରୁଥାନ୍ତି ବୋଉ କାନିକି।

ବୋଉ କିଣି ଦେଲେ ଖଜା, ମିଠେଇ
ଖାଇଥାନ୍ତୁ ବସି ଭଉଣୀ, ଭାଇ।

ସଞ୍ଜ ହେଲେ ଆଈ ପାଶରେ ଯାଇ
ଗପ ଶୁଣୁ ଶୁଣୁ ପଡନ୍ତି ଶୋଇ।

ରାଗ, ରୁଷା, ହିଂସା ଓ ଅଭିମାନ
ଦୂରେଇ ଥାଆନ୍ତା ମିଠା ସପନ।

ହେ ସମୟ ଯଦି ପାରିବୁ ଥରେ
ମୋ ପିଲାଦିନକୁ ଫେରେଇ ଦେ ରେ।

ସରୋଜିନୀ ବେହେରା
ପାଳଲହଡ଼ା, ଅନୁଗୁଳ

Leave a Reply

Your email address will not be published. Required fields are marked *