ମୋ ଶରୀର
ରକ୍ତ, ମାଂସ, ହାଡ଼ କଙ୍କାଳଶୂନ୍ୟ
ତଥାପି ମୁଁ ବିଶ୍ବର ପ୍ରହରୀ
ସୁନାର ଫସଲକୁ ଯେବେ ମୁଁ ଜଗିଥାଏ
କେତେ ଯେ ପଶୁ ପକ୍ଷୀ ଯାଆନ୍ତି ଡ଼ରି
ସଦା ଜାଗ୍ରତ ମୁଁ
ନିରବ ନିଶ୍ଚଳେ ହୋଇଥାଏ ଦଣ୍ଡାୟମାନ
ଗ୍ରାସ କରେନାହିଁ ମୋହ, ଲାଳସା ମତେ
ମୋ ପାଇଁ ବଡ଼ ଅଟେ ମୋର ସ୍ବାଭିମାନ
ମୁଁ ବୁଝିପାରେ ନାହିଁ
ଯେଉଁ ମଣିଷ ମତେ ଗଢ଼ିଛି
ଭୁଲି ଚାଲିଛି ତାର ହିତାହିତ ଜ୍ଞାନ
ଫମ୍ପା ପ୍ରତିଶ୍ରୁତି ଦେଇ ସେ ଚାଲିଛି
ସୁରକ୍ଷିତ କରିବା ପାଇଁ ନିରୀହ ଜୀବନ
ବିଳାପର ସ୍ବର ତୀବ୍ର ହେଲାଣି
କେତେ ଯେ, ସ୍ବପ୍ନକୁ ଉଈ ଖାଇଲାଣି
ସବୁଠି କେବଳ କୋଠା କଙ୍କାଳ
ସର୍ବତ୍ର ବିଶ୍ବାସର ମଢା ଦୁର୍ଗନ୍ଧେ,
ଜୀବନ ଅଟ୍ଟାଳିକା ଏବେ ଜରାଜୀର୍ଣ୍ଣ
ହେ ମଣିଷ ! ବିହି ଗଢ଼ିଛି ତୁମକୁ
ସମ୍ପୂର୍ଣ୍ଣ ଶରୀର ସହ ଦେଇଛି ହୃଦୟ
ଶୁଣିଛି ସର୍ବ ହୃଦେ ରହିଛି ତା’ ସ୍ଥାନ
ତଥାପି କାହିଁକି ବିମୁଖ ତୁମେ
କେଉଁ ପଥେ ଅଗ୍ରସର
କାହିଁ ଭୁଲିଯାଉଛ
ସଭିଙ୍କ ଶେଷ ସନ୍ତକ ଅଟଇ ଶ୍ମଶାନ ।।