ମୁଁ, ଯେ ବେଦନା ବନର ପକ୍ଷୀ
ମୋର,ବିଳପିତ ଦୁଇ ଆଖି ,
ପତ୍ର ଝଡା ଏଇ ତରୁର ଶାଖାରେ
ବସିଛି ଆଜି ଏକାକୀ ।
ଉଡିଗଲା ସାଥି ଦୂରେ ବହୁଦୂରେ
ଫେରିତ ଆସିଲା ନାହିଁ
ସବୁଜ ବନର ତରୁ ଡାଳେ ବସି
ଆଳାପ କରିବା ପାଇଁ
ମନ ଆଢୁଆଳେ ଅନେକ ଅକୁହା
କଥା ରହିଗଲା ବାକି ।
ମୁଁ ,ଯେ ବେଦନା ବନର ପକ୍ଷୀ ———
କୋଳାହଳ ଏଇ ନୀଳ ବନାନୀରେ
ନିଃସଙ୍ଗତା ଆସେ ମାଡି
ନୀଳ ଆକାଶର ଶୂନ୍ୟତା ମତେ
ଧରିଛି ଆଜି ଜାବୁଡି
ମାଟିରୁ ଆକାଶ ପ୍ରେମରୁ ବିଶ୍ବାସ
ସବୁଠି ପଡିଛି ଛକି ।
ମୁଁ,ଯେ ବେଦନା ବନର ପକ୍ଷୀ ———-
କ୍ଳାନ୍ତ ଅପରାହ୍ନ କଳରବ ଶୂନ୍ୟ
ନିରବତା ଖେଳେ ନୀଡେ
ମୋ,ବୁକୁ ବେଳାରେ ଲୁହର ଲହଡି
ନିତି ଆସି ମଥା କୋଡେ
ପାଦ ଚିହ୍ନ ତା,ର ଲିଭି ଯିବ ବୋଲି
ଲହୁରେ ଦେଇଛି ଲେଖି ।।
ମୁଁ,ଯେ ବେଦନା ବନର ପକ୍ଷୀ ———-
ରତ୍ନପ୍ରଭା ବାଇ
ସଂପାଦିକା ,ବର୍ଣ୍ଣାଳୀ ସାହିତ୍ୟ ସଂସଦ ,
ବଉଳ ଛକ ,ତାଳଚେର ଟାଉନ , ଅନୁଗୁଳ ।
ମୋ ,୯୩୩୭୯୭୨୭୪୯ ,