ପରିଚୟ

            କଲିକତା ସହର ରାସ୍ତା କଡ଼ରେ ଗୋଟେ ଛୋଟ ଆର୍ଟସପ୍ (ପଟ୍ଟଚିତ୍ର ଦୋକାନ) । ଦୋକାନର କାନ୍ଥରେ ଟଙ୍ଗା ହେଇଛି ବିଭିନ୍ନ ପ୍ରକାରର ଚିତ୍ର ସବୁ। ବଡ଼ ବଡ଼ ନେତା, ସ୍ଵାଧୀନତା ସଂଗ୍ରାମୀ , ଅଭିନେତା-ଅଭିନେତ୍ରୀ , ଦେବା-ଦେବୀ, ବଣ-ଜଙ୍ଗଲ , ଝରଣା ଆଦି ଅନେକଗୁଡ଼ିଏ ଚିତ୍ର ସବୁ ଏଠି  କାନ୍‌ଭାସରେ ଅଙ୍କା ହୁଏ। ଗରାଖ ଆସି ନିଜ ମନ ପସନ୍ଦର ଚିତ୍ରକୁ କିଣି ନେଇ ଯାଆନ୍ତି , କେହି କେହି ନିଜର ଚାହିଦା ଅନୁଯାୟୀ ଚିତ୍ର ବରାଦ କରି ଯାଆନ୍ତି । ତେବେ ଚିତ୍ରକର ଜଣକ ଜଣେ ଓଡ଼ିଆ । ଏଇ କିଛି ବର୍ଷ ତଳେ ସେ କଲିକତା ଆସିଛନ୍ତି। ସେଠି ସେ ବେଶ୍ ପ୍ରସିଦ୍ଧି ଅର୍ଜନ କରି ସାରିଲେଣି ଏଇ କିଛିଦିନ ଭିତରେ , ତଥାପି କେମିତି ଗୋଟେ ଅବସୋସ ତାଙ୍କୁ ବେଶ୍ 

ଆଘାତ ଦିଏ । ଏମିତି ଅନ୍ୟମନସ୍କ ଭାବରେ ସେଦିନ ତୂଳୀ ଧରି ଚିତ୍ର କଲା ବେଳେ ନିଜ ଅଜାଣତରେ ସେ ଆଙ୍କି ପକେଇଲେ ତାଙ୍କ ଅତୀତର ପଟ୍ଟଚିତ୍ର ।

              କଟକ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀରେ ବାସ କରନ୍ତି ବ୍ରଜବିହାରୀ ମହାପାତ୍ର। ବିଧବା ବୋଉ, ସ୍ତ୍ରୀ ଓ ପୁଅକୁ ନେଇ ତାଙ୍କ ପରିବାର । ମହାପାତ୍ରେ ଗାଁ ସ୍କୁଲ୍‌ରେ ଶିକ୍ଷକତା କରନ୍ତି। ଏଣୁ ତାଙ୍କୁ ଗାଁରେ  ସଭିଏଁ ଡାକନ୍ତି ମାଷ୍ଟର ବାବୁ। ବହୁତ ଶାନ୍ତ ଓ ସରଳ ସ୍ୱଭାବର ମଣିଷ । ଏକାଧାରରେ ଜଣେ ଛାତ୍ରବତ୍ସଳ ଶିକ୍ଷକ, ଜଣେ ଉଚ୍ଚକୋଟୀର ଚିତ୍ରକର ଓ ଜଣେ ଗାୟକ ମଧ୍ଯ। ପ୍ରାଚୀନ ଛାନ୍ଦ, ଚମ୍ପୁ, ଚଉପଦୀ, ଭଜନ ଜଣାଣ ଆଦି ବୋଲିବାରେ ମହାପାତ୍ରେଙ୍କ ଦକ୍ଷତା ପରଖିବାର ନୁହେଁ । ଦିନବେଳେ ସ୍କୁଲ୍ ରେ ଶିକ୍ଷକତା କରନ୍ତି ଓ ସନ୍ଧ୍ୟାବେଳେ ନିଜ ଘର ଅଗଣାରେ ପିଲାମାନଙ୍କୁ ମାଗଣା ଟ୍ୟୁସନ୍ କରନ୍ତି । ପୁଅ ତରୁଣ ଗାଁ ସ୍କୁଲ୍‌ରେ ପଢ଼େ। ସେଇ ଗାଁର ମୁଖିଆ ହେଉଛନ୍ତି ଦୋଳଗୋବିନ୍ଦ ସାହୁ। ସ୍ୱଭାବରେ ଭାରି ଗର୍ବି ଓ ଅହଙ୍କାରୀ, ଏଣୁ ଲୋକେ କୁହନ୍ତି ମୁଖିଆଙ୍କ ନାଁଟା ଦୋଳଗୋବିନ୍ଦ ନ ହୋଇ ମାନଗୋବିନ୍ଦ ହେବାର ଥିଲା। ତା ପୁଅ ଟୁକୁନା ମଧ୍ଯ ସେଇ ଗାଁ ସ୍କୁଲ୍ ରେ ପଢ଼େ। ତରୁଣ ଓ ଟୁକୁନା ଦୁହେଁ ସହପାଠୀ ବନ୍ଧୁ। ଏଇ ଟୁକୁନା ଠିକ୍ ତା ବାପାଙ୍କ ସ୍ୱଭାବର , ଅଯଥାରେ ସାଙ୍ଗ ପିଲାଙ୍କ ସହ କଳି ଝଗଡ଼ା କରେ, ପାଠ ପଢା ପ୍ରତି ଧ୍ୟାନ ଦିଏନି।

                 ଏକଦା ଦିନେ ଖେଳଛୁଟି ସମୟରେ ଟୁକୁନା ତରୁଣକୁ ସ୍କୁଲ୍ ପାଖ ଆମ୍ବ ତୋଟାକୁ ନେଇ ଯାଇଛି ଓ ତରୁଣକୁ କହିଛି ଗଛ ଉପରକୁ ଚଢ଼ି ସେ ଆମ୍ବ ପକେଇଲେ ତଳେ ନିଜେ ଗୋଟେଇ ରଖିବ। ସାଙ୍ଗର ଏ କଥା ଶୁଣି ତରୁଣ ଗଛ ଉପରକୁ ଉଠି ଯାଇଛି ହେଲେ ଆମ୍ବ ତୋଳିବା ସମୟରେ ଡାଳଟା ଭାଙ୍ଗିବା ସହ ସେ ମଧ୍ଯ ଗଳି ପଡ଼ିଛି। ଡାକ୍ତର x-ray ରିପୋର୍ଟ ଦେଖି କହିଛନ୍ତି ତରୁଣର ଡାହାଣ ହାତ କହୁଣିର ହାଡ଼ ଖସି ଯାଇଛି ଠିକ୍ ହେବା ପାଇଁ ଗୋଟେ ମାସ ସମୟ ଲଗିବ। ଘରକୁ ଫେରିବା ପରେ ମାଷ୍ଟର ବାବୁ ତରୁଣକୁ ଅନେକ ଗାଳି ଦେଇ ଏପରି ଭୁଲ୍ ଭବିଷ୍ୟତରେ ନ କରିବାକୁ ତାଗିଦ୍ କରିଦେଲେ। ତରୁଣ ତା ଭୁଲ୍ ବୁଝିପାରି ଅନୁତାପ କରିଛି ଓ ବାପାଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ଏମିତିକା ଭୁଲ୍ ଆଉ କରିବନି ବୋଲି କଥା ଦେଇଛି।

             ସେ ମାସ ୨୨ ତାରିଖରେ ପିଲାଙ୍କର ବାର୍ଷିକ ପରୀକ୍ଷା ହେବାର ଥାଏ। ଟୁକୁନା ମନେ ମନେ ଭାରି ଖୁସି, ତା’ର ଧାରଣା ଯେ ଏଥରକ ପରୀକ୍ଷାରେ ତରୁଣ ଆଉ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇପାରିବ ନାହିଁ କାରଣ ତା ଡାହାଣ ହାତ ଜଖମ ଥିବାରୁ ସେ ଠିକ୍ ରେ ଲେଖିବା ଅସମ୍ଭବ । କିନ୍ତୁ ତରୁଣ ହାର ମାନିବା ପିଲା ନୁହଁ , ବହୁତ କଷ୍ଟ ସତ୍ତ୍ୱେ  ସେ ବାଆଁ ହାତରେ ପରୀକ୍ଷା ପତ୍ରରେ ଉତ୍ତର ଲେଖିଛି । କିଛିଦିନ ପରେ ପରୀକ୍ଷା ଫଳ ପ୍ରକାଶିତ ହୋଇଛି , ପୂର୍ବ ବର୍ଷ ଭଳି ଏଥରକ ମଧ୍ଯ ତରୁଣ ଶ୍ରେଣୀରେ ପ୍ରଥମ ସ୍ଥାନ ଗ୍ରହଣ କରିଛି । ଏକଥା ଟୁକୁନାକୁ ଅସହ୍ୟ ମନେ ହେଇଛି, ତା ଚକ୍ରାନ୍ତରେ ସେ ବିଫଳ ହୋଇଥିବାରୁ ତରୁଣ ପ୍ରତି ତାର ଭାରି ରାଗ। ଏଣୁ ସେ ଯାଇ ତା ବାପାଙ୍କୁ ଜଣେଇଛି । ମୁଖିଆ କିଛି କିଛି ଟଙ୍କାର ପ୍ରଲୋଭନ ଦେଖାଇ ଟୁକୁନାକୁ ପ୍ରଥମ କରିବା ପାଇଁ ମାଷ୍ଟର ବାବୁଙ୍କୁ କହିଲାରୁ ମାଷ୍ଟର ବାବୁ ତାଙ୍କୁ ତାଙ୍କୁ ମୁହେଁ ମୁହେଁ ମନା କରିଦେଇଛନ୍ତି। ସେ ଜଣେ ସ୍ଵାଭିମାନୀ ଲୋକ, ଏମିତି କୁତ୍ସିତ କାମକୁ ସେ ଘୃଣା କରନ୍ତି । ମାତ୍ର ସ୍କୁଲ୍ ର ଅନ୍ୟ ଶିକ୍ଷକମାନେ କିଛି ଟଙ୍କା ଲୋଭରେ ଏମିତି ନିନ୍ଦନୀୟ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ସେମାନେ ମୁଖିଆର କଥାରେ ପଡ଼ି ମାଷ୍ଟର ବାବୁଙ୍କ ନାଁରେ ମିଛ ଅଭିଯୋଗ କରିଛନ୍ତି ଉପର ଅଫିସରଙ୍କ ପାଖରେ । ଗାଁର କେତେକ ଅଭିଭାବକ ମଧ୍ୟ କହିଛନ୍ତି ଯେ ତରୁଣ ମାଷ୍ଟର ବାବୁଙ୍କ ପୁଅ ବୋଲି ତାକୁ ସେ ଜାଣି ଜାଣି ସବୁଥର ଶ୍ରେଣୀରେ ପ୍ରଥମ ସ୍ଥାନ ଦେଉଛନ୍ତି ବୋଲି। ଫଳରେ ମାଷ୍ଟର ବାବୁଙ୍କୁ ନିଲମ୍ବିତ ହେବାକୁ ପଡ଼ିଛି।

            ମହାପାତ୍ରେ କେବେହେଲେ ଅନ୍ୟାୟ କରନ୍ତିନି କି କେବେ ଅନ୍ୟାୟର ପକ୍ଷ ନିଅନ୍ତି ନାହିଁ । ତାଙ୍କ ବିରୁଦ୍ଧରେ ଏତେବଡ଼ ଅନ୍ୟାୟକୁ ସହ୍ୟ କରି ନପାରି ସେ ଗାଁ ଛାଡ଼ି ପରିବାରକୁ ନେଇ କଲିକତା ଚାଲି ଯାଇଛନ୍ତି। ଏଠି ସେ ଆଉ ମାଷ୍ଟର ବ୍ରଜବିହାରୀ ମହାପାତ୍ର ନୁହଁନ୍ତି ଏଠି ତାଙ୍କୁ ସମସ୍ତେ ଜାଣନ୍ତି  ଚିତ୍ରଶିଳ୍ପୀ ବ୍ରଜ ମହାପାତ୍ର ନାମରେ ।

             

ବର୍ଷାରାଣୀ ନନ୍ଦ

 ପ୍ରାକ୍ତନ ସ୍ନାତକୋତ୍ତର ଛାତ୍ରୀ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *