ଅନେକ ଅନିଚ୍ଛା ଓ ବିରୋଧାଭାସ
ଜେବେ ଏକାଠି ହୁଅନ୍ତି
ସେଇଠୁ ଏକ ଇଚ୍ଛା ଅଙ୍କୁରିତ ହୁଏ
ଶ୍ରେଷ୍ଠତମ ପଦାଙ୍କକୁ ସ୍ପର୍ଶ କରିବା ପାଇଁ
ସେ ବିଭୋର ହୋଇ ଉଠେ
ଛାଟିପିଟି ହୁଏ, ବାହୁନି ହୁଏ
କେଉଁ ଏକ ଅଜଣା ଇଲାକାର
ଏକ ଅଭିଶପ୍ତ ଗର୍ଭରୁ ଜନ୍ମଗ୍ରହଣ ପାଇଁ
ଏକ ଅଚିହ୍ନା ପରିଚୟ ତାର
ଘନ ଅନ୍ଧକାର ନିଶବ୍ଦତା ମଧ୍ୟରେ
ଖୋଜିବା ଆରମ୍ଭ କରେ ଆଲୋକକୁ
ଦିବ୍ୟଜ୍ୟୋତିରେ ରୂପାନ୍ତରିତ କରିବା ପାଇଁ
ମୁଠାଏ ଧୂଳିକୁ ସମ୍ପଦ କରି
ଧୂଆଁ ରୁ ଧୂପ ରେ ରୂପାନ୍ତରିତ ହୁଏ
ଆନ୍ଦୋଳିତ କରେ ହଜାର ବକ୍ଷକୁ
ସୁପ୍ତ ରୁ ଯାଗ୍ରତ ପ୍ରହରୀ ପାଲଟିବା ପାଇଁ
ସଂଘର୍ଷର ଏଇ କାହାଣୀ
କେବଳ ଏକା ବୋହି ନଥାଏ ସମୟ ସହିତ
କିଛି ଭୟ, କିଛି କ୍ରୋଧ, କିଛି ଅପମାନ
ଅନେକ କିଛି ଇନ୍ଦ୍ରଧନୁ ତୋଳନ୍ତି ଆକାଶରେ
ଭ୍ରମର ଏକ ଜାଲ ବୁଣିବା ପାଇଁ
ଶେଷ ପଦଚିହ୍ନ କେବଳ ତୁମର ଥିବ
ତୁମ ଜନ୍ମ କଥା କେହି ପଚାରିବେନି
ପ୍ରତ୍ୟେକ ଅନ୍ତର ତଟସ୍ଥ ଥିବ
ଉଚ୍ଚାରଣ ହେଉଥିବ ସହସ୍ର ତୁଣ୍ଡ
କେବଳ ତୁମ ସ୍ତୁତି ଗାନ ପାଇଁ ।।
