ପତ୍ନୀ ପ୍ରତି


ତୁମେ ଯଦି ବୁନ୍ଦାଏ ଲୁହ ମାଗ
ମୁଁ ତୁମକୁ ସମୁଦ୍ରେ ଲୁହ ଦେବି
ତୁମେ ଯଦି ଟୋପାଏ ରକ୍ତ ଚାହଁ
ମୁଁ ରକ୍ତର ନଦୀ ବୁହାଇ ଦେବି,
ତୁମେ ଯଦି ଜୀବନ ଟା ଚାହଁ
ମୁଁ ତୁମ ପାଇଁ ହଜାର ଥର ଜନ୍ମ ନେବି
ତା ବଦଳରେ ମୁଁ ଚାହେଁ
ତୁମ ଠାରୁ ମୋ ଅଧିକାର ଟିକକ
ଯଦି ସେତିକି ଦେଇପାର
ସହିପାରେ ତୁମ ପାଇଁ
ଦୁନିଆର ସମସ୍ତ ଯନ୍ତ୍ରଣା ଓ ଦୁଃଖ
ସତ କହ,ସତ କହ
ତୁମେ କଣ ସେହିଦିନ
ମୋ ହାତ ପାପୁଲି ପରେ
ସମର୍ପିଥିଲ ତୁମ ହାତ
ନିମିଷକ ପାଇଁ
ହୃଦୟରେ ଅନ୍ତର ସହିତ
ମନେ ମୋ ସନ୍ଦେହ ଉଙ୍କି ମାରେ
କାହିଁକି ବିଶ୍ୱାସ ହେଉନି
ଜମା ତୁମରି ଉପରେ
କେଉଁଠି କାଳେ କର୍ଣ୍ଣ ଥାଇପାରେ
ହୃଦୟର ସାତ ତାଳ ପାଣି ଆଉ
ସାତ ତାଳ ପଙ୍କର ଭିତରେ
ତଥାପି ମୁଁ ଆକାଶ ଉପରେ ତୋଳେ
ବିଶ୍ଵାସର ନଗର
ତୁମେ ମୋର ରାଧା ଆଉ
ମୁଁ ସେହି ଚନ୍ଦ୍ରସେଣା,
ତୁମ ନପୁଂସକ ବର
ତୁମର ମନ, ହୃଦୟ,ପ୍ରୀତି ଆଉ ପ୍ରେମ
ସେ ଉପରେ ଲେଖିବାକୁ
ଚାହେଁ ନାହିଁ ମୋର ନାମ
ତାହା ତୁମ ଏକାନ୍ତ ନିଜର
ଚାହୁଁ ନାହିଁ କରିବାକୁ
ସେହି ସବୁ ରାଜ୍ୟ ଅଧିକାର
ଦେହ ତୁମ ଶବରୁଣୀର କୋଳି
ଦେଲେ ଦିଅ ନ ଦେଲେ ବି
କିଛି ଯାଏ ଆସେ ନାହିଁ ମୋର
ମୁଁ ସେହି ଚନ୍ଦ୍ରସେଣା
ତୁମ ନପୁଂସକ ବର
ମୁଁ ରାତିରେ ରାଜାଙ୍କ ନଗର ଜଗେ
ମୋ ନଗର ଯାଏ କିଏ ଲୁଟି
ରାତି ଯାକ ତୁମ ପାଇଁ
ଆଖିରେ ମୋ ବାନ୍ଧିଛି କଳା ପଟି
କିନ୍ତୁ ଜାଣି ରଖ ରାଧା ଦିନ ଯାକ ତୁମ ଠାରେ
ଅଛି ମୋର ପୂର୍ଣ୍ଣ ଅଧିକାର
ସମାଜର ସମ୍ମୁଖରେ
ତୁମେ ସ୍ବୀକାର କରିବାକୁ ବାଧ୍ୟ
ତୁମେ ମୋର ପତ୍ନୀ ଆଉ
ପତି ମୁଁ ତୁମର ।

ଜୟକୃଷ୍ଣ ବେହେରା
ବଡବଜାର,ସମ୍ବଲପୁର

Leave a Reply

Your email address will not be published. Required fields are marked *