ସକାଳୁ ଖାଲି ଚିଡ଼ ଚିଡ଼ ଲାଗୁଛି l କୋଉ କାମରେ ମନ ଲାଗୁନାହିଁ ତାଙ୍କର l ଏମିତିରେ ବି କାମ କଣ ଅଛିକି ? କାମବାଲୀଟିଏ ସକାଳେ ସନ୍ଧ୍ୟାରେ ଆସି ରୋଷେଇ ପତ୍ର କରିଦେଇ ଯାଏ l ହାତରେ ଖାଇବା ଆଣି ଯାହା ଖାଇବା କଥା l ବେଳେ ବେଳେ ଏମିତି କାହିଁକି ଲାଗେ କେଜାଣି l ଗୋଟିଏ ଅସୁରକ୍ଷିତ ଭାବନା ମାଡ଼ି ବସେ ସରିତାଙ୍କୁ l ଚଉଷଠି ବର୍ଷ ହେଲାଣି ଆସିକି l ଯଦି କିଛି ଭଲ ମନ୍ଦ ହୋଇଯାଏ ତେବେ କିଏ ଅଛି ପାଖରେ l ଏପରି ଚିନ୍ତା ପୂର୍ବରୁ କେବେ ପଶି ନଥିଲା ସ୍ୱାମୀ ଅନୁଜଙ୍କ ଯିବା ପରେ ହିଁ ଗୋଟିଏ ଗୋଟିଏ ଚିନ୍ତା ମୁଣ୍ଡ ଖାଉଛି l ଦି ଦିନ ହେଲାଣି ନିଲୁ ବି ଫୋନ କରିନାହିଁ l ନିଲୁ, ଗେଲୁ, ନୀଳାମ୍ବର, ନିଶିକାନ୍ତ କେତେ ନାଁ ସବୁ ବଛା ହୋଇ ହୋଇ ଶେଷରେ ନୀଳାମ୍ବର ଭଲ ନାଁ ଓ ନିଲୁ ଘର ନାଁ ଦୁଇଟି ହିଁ ରହିଲା l
ଦିନ ମାସ ବର୍ଷ କେତେ ଶୀଘ୍ର ପାଣି ପରି ବୋହି ଯାଉଛି l କେତେବର୍ଷ ତଳର କଥା l ପିଲାଛୁଆ ଯେତେବେଳେ ନହେଲା ସରିତାଙ୍କ ମାନସିକ ସ୍ଥିତି କ୍ରମଶଃ ବିଗିଡ଼ିବାରେ ଲାଗିଲା l ପରିସ୍ଥିତି ଅସମ୍ଭାଳ ହେବାରୁ ଅନୁଜ ତାଙ୍କୁ ଗୋଟିଏ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ବତାଇ ଥିଲେ l ପ୍ରଥମେ ତ ସରିତା ନାକ ଟେକିଥିଲେ l ପୋଷ୍ୟ ? ପୋଷାପୁଅ ଗୁଂଜାରୁଅ ସେ ପୁଣି ନିଜର ହେବ ? ନିଜ ରକ୍ତର ସନ୍ତାନ ଆଜିକାଲି ନିଜର ହେଉ ନାହାନ୍ତି ଆଉ କାହା ଛୁଆକୁ ଆଣି ନିଜର କରିବା କଥା ସ୍ବପ୍ନ ବ୍ୟତିରେକ ସମ୍ଭବ ନୁହେଁ l ହଉ କହୁଛନ୍ତି ଯଦି ଦେଖାଯାଉ l ସେଇଠୁ ସାତ ଆଠ ମାସର କାଗଜ ପତ୍ର କାମ ସମ୍ପୂର୍ଣ୍ଣ ହେଲା ପରେ ଦେଢ଼ ବର୍ଷର ନିଲୁ ଆସିଥିଲା ତାଙ୍କ ଘରକୁ l ଶାନ୍ତ ସୁଧାର ପିଲାଟିଏ କୌଣସି କଥାରେ ଜିଦ ନାହିଁ କି ପାଟିତୁଣ୍ଡ ନାହିଁ l ଖାଲି ଶୋଇଲା ବେଳେ ସରିତାଙ୍କର କାଣୀ ଆଙ୍ଗୁଠିଟିକୁ ପାଟିରେ ଧରି ଶୋଇବ l ନିଲୁକୁ ନିଦ ହୋଇଗଲେ ସରିତା ହାତ ବାହାର କରି ଆଣନ୍ତି ଆଙ୍ଗୁଠି ସାରା ନିଲୁ ପାଟିରୁ ବାହାରି ନାଳ ଲାଗିଥାଏ l ଉଠି ଯାଇ ହାତ ଧୋଇ ଆସନ୍ତି l ପିଲାଟି ସହିତ ତାଙ୍କୁ ସେତେ ସହଜ ଲାଗେନାହିଁ l
ଜନ୍ମିତ ସନ୍ତାନଟି ଗର୍ଭରେ ରହିବା ପୂର୍ବରୁ କଳ୍ପନାରେ ହିଁ ତାର ବାପା ମାଆଙ୍କର ସ୍ନେହ ପାଇ ସାରିଥାଏ ଏବଂ ଗର୍ଭସ୍ଥ ହେଲା ପରେ ସ୍ନେହର ପରିମାଣ ଅହେତୁକ ଭାବରେ ବୃଦ୍ଧି ପାଏ ଏବଂ ଭୂମିଷ୍ଠ ହେଲା ପରେ ରକ୍ତର ସନ୍ତାନଟି ବାପା ମାଆଙ୍କ ସ୍ନେହ ଓ ପ୍ରେମରେ ଉବୁଟୁବୁ ହେଉଥାଏ ଜୀବନ ସାରା l ହେଲେ ଅଭାଗା ନିଲୁର ଜନ୍ମ ଦାତାଙ୍କର ଖୋଜ ଖବର ନଥିଲା କି ସରିତାଙ୍କ ଘରେ ପୋଷ୍ୟ ପୁତ୍ର ହୋଇ ରହିଲା ପରେ ହୃଦୟ ଖୋଲା ସ୍ନେହ ପାଇ ପାରିଲା ନାହିଁ ତାଙ୍କ ଠାରୁ l ସରିତା କେବେ ତାକୁ ଅବହେଳା ବି କରି ନାହାନ୍ତି l କାହିଁକି ଦୋଷ ଦେବା ତାଙ୍କୁ ? ସ୍ନେହର ଅଫୁରନ୍ତ ସ୍ରୋତଟିଏ ନିଜ ଜନ୍ମ କଲା ଛୁଆଟିକୁ ଯେପରି ବନ୍ଧ ବାଡ଼ ଭାଙ୍ଗି ଭସାଇ ଦିଏ ନିଲୁ କ୍ଷେତ୍ରରେ ସେମିତି କିଛି ହୋଇ ନଥିଲା l ବାପା ବୋଉ ଡ଼ାକିବା ନିମନ୍ତେ ସରିତା ଶିଖାଇ ଥିଲେ କିନ୍ତୁ ପ୍ରଥମ ଡ଼ାକରା ସରିତାଙ୍କ ମନରେ ସେପରି କିଛି ଉନ୍ମାଦନା ସୃଷ୍ଟି କରି ନଥିଲା l ହୁଏତ କିଛି ଭାବାନ୍ତର ହୋଇଥାନ୍ତା ହେଲେ ନିଲୁର ” ବୋଉ ” ଡ଼ାକିବା ପରିବର୍ତ୍ତେ ” ଗୋଉ ” ଡ଼ାକିବା ହେତୁ ସମସ୍ତେ ପ୍ରଥମେ ସନ୍ଦେହରେ ପଡିଗଲେ ଯେ ପିଲାଟି କଥା କହି ପାରିବ ତ ? କିନ୍ତୁ ସମସ୍ତଙ୍କର ଆଶଙ୍କାକୁ ଅମୂଳକ ବୋଲି ପ୍ରମାଣ କରି ନିଲୁ ବଡ଼ ହେଲା କଥା କହିଲା ସିନା କିନ୍ତୁ ଗୋଉ ଡ଼ାକଟା ଜୀବନ ଯାକ ରହିଗଲା l
ଯେତେବେଳେ ତାକୁ ବାର ବର୍ଷ ହେଲା ଉଭୟେ ସ୍ଥିର କଲେ ଯେ ତାକୁ ସବୁ ସତ କଥା କହିଦେବା ଉଚିତ l ବେଶୀ ଦିନ ଅନ୍ଧାରରେ ରଖି ବିଳମ୍ବରେ କହିଲେ ତାକୁ ବି ତା ନିଜର ପରିଚୟ ଗ୍ରହଣ କରିବାକୁ ଅସୁବିଧା ହେବ ଏବଂ ସହି ନପାରି ହୁଏତ କିଛି ଭୁଲ ପଦକ୍ଷେପ ନେଇ ଯାଇପାରେ l ତେଣୁ ଉଭୟେ ନିଲୁକୁ ପାଖରେ ବସାଇ କୌଣସି ଉପକ୍ରମ ନକରି ସବୁ ସତ ସତ କହି ଦେଇଥିଲେ l
ବାପାରେ ! ତୁ ଆମର ଜନ୍ମିତ ସନ୍ତାନ ନୁହଁ l ତୋ ମା କିଏ ବାପା କିଏ ତୁ କାହାର ପୁଅ ଆମେ ଜାଣିନାହୁଁ l ଆମର କେହି ପିଲାପିଲି ନଥିବାରୁ ଆମକୁ ତୋ ଭଳିଆ ଗୋଟେ ଗୁଲଗୁଲିଆ ଛୁଆକୁ ପାଇବାକୁ ଇଚ୍ଛା ହେବାରୁ ମା ଯଶୋଦା ବାଳାଶ୍ରମରୁ ତୋତେ ଆଣିଥିଲୁ l ସେତେବେଳକୁ ତୋତେ ଦେଢ଼ ବର୍ଷ ହୋଇଥାଏ l ଏକଥା ଆଜି ଯାଏଁ ତୋତେ କହି ନଥିଲୁ ଏବେ କହିଲୁ l ଏକଥା ଜାଣିଲେ ତୋ ମନରେ ଆମ ପ୍ରତି ସ୍ନେହ ରହିବ କି ନାହିଁ ଆମେ ଜାଣିନାହୁଁ l ଏତିକି କହିଲା ପରେ ସରିତାଙ୍କ କଣ୍ଠ ରୁଦ୍ଧ ହୋଇଗଲା l ଅନୁଜ ପରିସ୍ଥିତି ସମ୍ଭାଳିବାକୁ ଯାଇ ଆରମ୍ଭ କଲେ
ଧନ ! ତୁ ଆସିଲା ଦିନଠୁଁ ହିଁ ଘରଟା ଘର ଭଳି ଲାଗୁଛି ରେ l କିନ୍ତୁ ବିଶ୍ୱାସ କର ଆମ ମନରେ ତୋ ପ୍ରତି ଭଲ ପାଇବା କୌଣସି ମାତ୍ରାରେ କମି ନାହିଁ l ଆମ ଜନ୍ମିତ ସନ୍ତାନକୁ ଆମେ ଯେତିକି ଭଲ ପାଇବା ଦେଇଥାନ୍ତୁ ତୋତେ ବି ସେତିକି ଦେଉଛୁ l ସେଇ ଭଗବାନ ହିଁ ସାକ୍ଷୀ ଅଛନ୍ତି l
ନିଲୁ ଧ୍ୟାନରେ ବସିଲା ଭଳି କେତେ ସମୟ ଚୁପଚାପ ବସି ରହିଲା l ସେ ସବୁ କଥାରେ ଏମିତି ସ୍ଥିତପ୍ରଜ୍ଞ l ହଠାତ କେବେ କିଛି ପ୍ରତିକ୍ରିୟା ଦେଖାଇବ ନାହିଁ l କେତେ ସମୟ ବସି କଣ ଭାବିବା ପରେ ଦୌଡ଼ି ଯାଇ ସାମ୍ନା ସୋଫାରେ ବସିଥିବା ସରିତାଙ୍କୁ ଅନେକ ସମୟ କୁଣ୍ଢାଇ ଧରିଥିଲା l ଏହାପରେ ନିଲୁ, ସରିତା କି ଅନୁଜ ଏ ବିଷୟରେ ଆଉ କିଛି ଚର୍ଚ୍ଚା କରି ନଥିଲେ l
ସେଇ ନିଲୁ ଆଜି ଛବିଶ ବର୍ଷରେ ପଦାର୍ପଣ କରି ବାଙ୍ଗାଲୋରରେ ଗୋଟିଏ କମ୍ପାନୀରେ ଅଛି l ପ୍ରଥମ ଥର ସେ ଯେତେବେଳେ ବାପା ମାଆଙ୍କୁ ଛାଡ଼ି ବାଙ୍ଗାଲୋର ଗଲା ସେତେବେଳେ ହିଁ ସରିତା ଭାବୁଥିଲେ କହିଦେବେ ଯେ
ନିଲୁ ରେ ତୁ ଆମ ଦୁହିଁଙ୍କୁ ଛାଡ଼ି ଏତେ ଦୁରକୁ ଯାଆନା l ଆମର କଣ ଅଭାବ ଯେ ତୁ ଯିବୁ ଚାକିରୀ କରିବାକୁ l ଆମର ଯାହା ଅଛି ସବୁ ତ ତୋର ଆଉ କିଏ ଅଛି ଯେ ଖାଇବ l ତୁ ତୋ ପିଲା ଛୁଆଙ୍କ ସହ ବସି ଖାଇଲେ ବି ସରିବ
ନାହିଁ l
ହେଲେ ଏତେ କଥା ମୁହଁରୁ ବାହାରିଲା ନାହିଁ l କାଳେ ନିଲୁ ଖରାପ ଭାବିବ ଯେ ଜନ୍ମ କଲା ବାପା ମାଆ ହୋଇଥିଲେ ପୁଅର ଭବିଷ୍ୟତ ବିଷୟରେ ଏମିତି କଣ କହିଥାନ୍ତେ ? ପାଳିତ ବୋଲି ସିନା କହୁଛନ୍ତି l ତେଣୁ ଚୁପଚାପ ଦୁହେଁ ନିଲୁକୁ ଯିବାକୁ ଦେଲେ l ନିଲୁ ପାଠ ସାରି ଚାକିରୀ କଲା ପରେ ଅନୁଜଙ୍କର ସ୍ବର୍ଗବାସ ହୋଇଗଲା ଏବଂ ସରିତା ଏତେବଡ଼ ଘରଟିରେ ଏକାକୀ ରହି ଗଲେ ସିନା ଦିନେ ନିଲୁକୁ ପଦେ କିଛି କହି ନାହାନ୍ତି l ରାତି ହେଲେ ଭୟ ଲାଗେ ଛାତି ଧଡ଼ ଧଡ଼ ହୁଏ କାଳେ କଣ ହେଇଯିବ କି ତାଙ୍କୁ ? କେହି କିଛି ଜାଣି ପାରିବେନି l ନିଲୁ ପାଖରେ ଥିଲେ ହୁଏତ ଠିକ ସମୟରେ ହସ୍ପିଟାଲ ନେଇଗଲେ ସେ ବଞ୍ଚି ଯାଇଥାନ୍ତେ l ମନର ଆଶଙ୍କା ମୁହଁ ଯାଏଁ ଆସେ
ନିଲୁରେ ମୋତେ ସାଙ୍ଗରେ ନେଇଯାଆ l ତୋତେ ବି ଖାଇବା ପିଇବାକୁ ଅସୁବିଧା ହେଉଥିବ l ମୁଁ ତୋ ଘର ସଜାଡି ଦେବି l ଏଠି ଏକୁଟିଆ ରହିବାକୁ ମାଡ଼ି ପଡ଼ୁଛି ଭୟ ଲାଗୁଛି ମୋତେ ସାଙ୍ଗରେ ନେଇ ଯାଆ l
ହେଲେ ମୁହଁରୁ କଥା ପଦିଏ ବାହାରେ ନାହିଁ l ସେ କଣ ଜନ୍ମ କଲା ପୁଅ କି ? ପୁଣି ଦେଖନ୍ତି ଯେ କଲୋନୀର ମିଶ୍ର ବାବୁ ରଥ ବାବୁ ଶର୍ମା ମାଡ଼ାମ ପିଲା ଛୁଆ ଥାଇ ମଧ୍ୟ ଏକୁଟିଆ l ସେମାନଙ୍କ ପିଲା ମାନେ ବାହାରେ ଅଛନ୍ତି l ମିଶ୍ର ବାବୁଙ୍କ ସ୍ତ୍ରୀ ଛଅ ବର୍ଷ ହେଲା ଚାଲି ଗଲେଣି
ମିସେସ ଶର୍ମା ତ ଦୁଇ ବର୍ଷ ହେଲା ସ୍ୱାମୀଙ୍କୁ ହରାଇଲେଣି l ଏକୁଟିଆ ଖାଲି ତାଙ୍କର କାହିଁକି ଅନ୍ୟ ମାନଙ୍କର କଣ ନିଜ ପିଲାଙ୍କ ପାଖେ ଯାଇ ରହିବାକୁ ଗୋପନ ଇଛାଟିଏ ନଥିବ କି ? ନିଜ ରକ୍ତର ସନ୍ତାନ ହେଲେ ବି ପିଲା ବଡ଼ ହୋଇଗଲେ କହିବାକୁ ଜିଭ ଓଲଟେ ନାହିଁ କାହିଁକି ? କେମିତି ଏତେ ହୀନ ହୋଇ କହିବା ? କାଳେ କଣ ଭାବିବ l ବୋଝ ବୋଲି ଭାବି ଯଦି ମନା କରିଦେବ ତେବେ ସହି ହେବ ତ ? ସେମାନଙ୍କର ଅବସ୍ଥା ଯାହା ସରିତାଙ୍କର ବି ଅବସ୍ଥା ସେଇଆ l
ଦୁଇ ଦିନ ହେଲା ନିଲୁ ଫୋନ କରିନାହିଁ l ଏଣେ ସରିତାଙ୍କୁ ଅସୁସ୍ଥ ଲାଗିଲେ ବି ନିଜ ଆଡୁ ଫୋନ କରି ନାହାନ୍ତି l ବ୍ୟସ୍ତ ଥିବ କି କଣ ବିରକ୍ତ ହୋଇପାରେ l ଦେହ ଭଲ ଲାଗୁନାହିଁ କଣ ହୋଇଛି ଜାଣି ପାରୁ ନାହାନ୍ତି ସେ l ସବୁ ଦିନ ମନ ଭିତରେ ଚିନ୍ତା ରହିଲେ ଯାହା ହେବା କଥା ଗୋଟେ ହେଇଥିବ l ମନର ରୋଗକୁ ବଇଦ କାହିଁ ? ରାତି ଏଗାରଟା ବେଳକୁ ନିଲୁର ଫୋନ ଆସିଲା l ସରିତା ଆକୁଳ ହୋଇ କାହିଁକି ଫୋନ କରି ନଥିଲା ପଚାରି ବସିଲେ l ନିଲୁ ଯାହା କହିଲା ତାର ସାରାଂଶ ହେଲା
ଗୋଉ ଲୋ ! ମୁଁ ପୁରୁଣା ଘର ବଦଳାଇ ଗୋଟେ ବଡ଼ ନୂଆ ଘର ଭଡ଼ା ନେଇଛି l ଆସନ୍ତା ରବିବାର ଦିନ ଯାଇ ଦୁଇ ଦିନ ରହିବି l ଜିନିଷ ପତ୍ର ଯାହା କିଛି ସଜଡା ସଜଡ଼ି କରିବା କଥା କରି ଦେବୁ l ମୁଁ ତୋତେ ମୋ ସହିତ ଏଠିକି ନେଇ ଆସିବି l ସେଦିନ ତୋତେ ନେଇ ଗୋଟେ ଖରାପ ସ୍ବପ୍ନ ଦେଖିଲି ଲୋ ଗୋଉ l ବାପା ଗଲା ପରେ ତୋତେ ଏକୁଟିଆ ଛାଡିବା କଥା ନଥିଲା l ଏଥର ତୁ ମୋ ସହିତ ଚାଲି ଆସିବୁ l
ହେଲେ ନିଲୁ ଆଜି ତ ଶୁକ୍ରବାର ହେଲା l ଏତେ କମ ଦିନରେ ଏତେ କାମ କେମିତି ସବୁ ହେବ ରେ ?
ମୁଁ କିଛି ଶୁଣିବି ନାହିଁ l ମୁଁ ଯିବି ତୋତେ ନେଇକି ଆସିବି ହେଲା ? ଘର ବଦଳାଇବା ବଡ଼ କଷ୍ଟ ଲୋ ଗୋଉ l ହାଲିଆ ଲାଗୁଛି ହଉ ମୁଁ ଚାଲିଲି ଶୋଇବାକୁ l ତୁ ପ୍ରସ୍ତୁତ ହୋଇ ଯା l ଗୁଡ଼ ନାଇଟ ଗୋଉ !!!
— ସମାପ୍ତ –
ପଦ୍ମାଳୟା ପାଢ଼ୀ
ବ୍ରହ୍ମପୁର