‘ନାଟକ ଏଥର ତୁମେ’

କଳକାରଖାନାର ଧୂଆଁରେ
ମାଟିର ରଙ୍ଗ ବଦଳି ଯାଇଛି
କେବଳ ମାଟି ତ ନୁହେଁ
ମଣିଷ ମଧ୍ୟ ବେରଙ୍ଗ ଦେଖାଯାଉଛନ୍ତି
ସଂଘର୍ଷର ଏହି କାହାଣୀର
ୟେ ହେଉଛି ଶେଷ ଦୃଶ୍ୟ
ତା ପରେ…..
ହୁଏତ କିଛି ସହାନୁଭୂତି ଓ କିଛି
ଆଖିରେ ଲୁହ ଛଳଛଳ ହୋଇପାରେ
ଅବଶ୍ୟ କାହାପାଇଁ ବାଧ୍ୟ ବାଧକତା ନାହିଁ !

ମାଟିର ରଙ୍ଗ ବଦଳିଛି ତ, କ’ଣ ହେଲା
ମଣିଷ ରଙ୍ଗ ମଧ୍ୟ ବଦଳିଛି,
ଏଥିରେ ନୂଆଁ କ’ଣ ଅଛି ଯେ
ହଁ କିଏ ବିସ୍ଥାପିତ ହେଲା
କିଏ ସ୍ଥାପିତ ହେଲା
ଅନେକ ହିସାବ ଅଛି
ଅସଂଖ୍ୟ ନାୟକ ଓ ଖଳନାୟକ
ଏବେ ରହସ୍ୟମୟ ଭୂମିକାରେ
ଅଭିନନ୍ଦନ କରୁଛନ୍ତି
ମୁହଁରେ ରଙ୍ଗ ଲଗାଇ

ଶେଷ ଦୃଶ୍ୟ ମଞ୍ଚସ୍ଥ ହେବ
ମଞ୍ଚରେ ଲୋଟି ପଡ଼ିବ ଶରୀର ଟିଏ
ସେଇ ବିସ୍ଥାପିତର
ଏକଦା ଯିଏ ଭୂମର ମାଲିକ ଥିଲା
ଏଥର କାଙ୍ଗାଳ ବେଶରେ
ଧାଇଁ ଆସିବ ତାର ସ୍ତ୍ରୀ
ସ୍ବାମୀର ଛାତି ଉପରେ ମୁଣ୍ଡ ବାଡ଼େଇ
ଚିତ୍କାର କରିବ ଜନତାଙ୍କୁ ଦେଖି
ବାଳୁତ ଟିଏ କେବଳ ଆଁ କରି ଚାହଁ ରହିବ
ଭାଷି ଉଠିବ କଣ୍ଠଶିଳ୍ପୀଙ୍କ କରୁଣ ସ୍ବର
ମଞ୍ଚ ଧିରେ ଧିରେ କଳା ରଙ୍ଗ ଧାରଣ କରିବ
ସମାପ୍ତ ଘୋଷଣା ସହ

ଫେରିବେ ଦର୍ଶକ
ଅପେକ୍ଷା କରିବେ
ଆଉ ଏକ ରଙ୍ଗମଞ୍ଚକୁ
ନେପଥ୍ୟରୁ ଘୋଷଣା ହେଉଥିବ
ଦେଖିବାକୁ ଭୁଲନ୍ତୁ ନାହିଁ
ଆସନ୍ତା କାଲିର ସୁପର୍ ହିଟ୍ ନାଟକ
‘ଏଥର ତୁମେ’ ।।

ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର

Leave a Reply

Your email address will not be published. Required fields are marked *