ଆସ ଆସ ତୁମେ ନବ ବରଷ ହେ
ଆଣି ମିଠା ମିଠା ପରଶ,
ବିଗତ ଦିନର ବିଷାଦ ଭୁଲେଇ
ଜଗତ କରାଅ ହରଷ।
ତୁମରି ସମୟେ ନହେଉ ଶୋଷଣ
ମଣିଷ ନହେଉ ପାଷାଣ,
ସବୁ ଶରୀରକୁ ଦାନା କନା ମିଳୁ
ନ ପଡୁ କାହାକୁ କଷଣ।
ଜନନୀ ଭଗିନୀ ସମ୍ମାନିତ ହେଉ
ଟଣା ନହେଉ ତା’ ବସନ,
କନ୍ୟା ଭୃଣ ହତ୍ୟା ମନୁ ମରିଯାଉ
ନାରୀ ପାଉ ଶ୍ରେଷ୍ଠ ଆସନ।
ପୂର୍ଣ୍ଣକର ତୁମେ ବାପୁଙ୍କ ସପନ
ରାମ ରାଜ୍ୟ ପରି ଶାସନ,
ବିଶ୍ବକୁ ଶୁଣାଅ ବିବେକାଙ୍କ ବାଣୀ
ଭାତୃଚାରା ହେଉ ସ୍ଥାପନ।
ଜ୍ଞାନ ବିଜ୍ଞାନରେ ହେଉ ଅଭିବୃଦ୍ଧି
ଜଗତ କଲ୍ୟାଣ କାରଣେ,
କ୍ରୀଡ଼ା ସାହିତ୍ୟ ଓ ଚିକିତ୍ସା ବିକାଶୁ
ପୃଥିବୀବାସୀଙ୍କ ତାରଣେ।
ଖୁସିର ଗଣ୍ଠିଲି ଭେଟି ଦେବାପାଇଁ
ଆଣିବ ହେଁ ନବ ବରଷ,
ଗତବର୍ଷ ପରି ଜମା ହେବ ନାହଁ
ସବୁ ମୁଖେ ଦେବ ହରଷ।
ଦୁଃଖ କଷ୍ଟ ରାଗ କୁହୁଡ଼ି ହୋଇଣ
ଧରା ଧାମୁ ଯାଉ ଉଭେଇ,
ଖୁସିର କମ୍ବଳେ ଘୋଡେ଼ଇ ରଖିବ
ଦାରୁଣ ଶୀତ ଠୁ ଦୂରେଇ।
ନବ ବର୍ଷ ତୁମେ ବିରାଜିତ ହୁଅ
କରୁଛି ତୁମକୁ ବରଣ,
ଏତିକି ମାଗୁଣି କରିବ ପୂରଣ
ପଖାଳୁଛି ତବ ଚରଣ।