ଏଇ କିଛି ଦିନ ତଳର କଥା
ପୁରୁଣା ଫଟୋ ସବୁ ଉପରେ ନଜର ପଡିଗଲା,
ଆଉ ଫଟୋ ଦେଖି କ୍ଷଣିକ ପାଇଁ ମୁଁ ସ୍ତବ୍ଧ ହୋଇଗଲି l
କିଛି ମୁହୂର୍ତ ପାଇଁ ମୁଁ ନିଜକୁ ହଜେଇ ଦେଲି
ସେଇ ଫଟୋ ଗୁଡିକ ମେଳରେ,
ଆଉ ଗୋଟେ ଅବାସ୍ତବ ଦୁନିଆଁରେ ବାସ୍ତବତାକୁ ଆପଣେଇ ନେଲି l
ଅନେକ କଥା ହେଲା ମୋର ଫଟୋ ଗୁଡିକ ସହିତ
ହସଲୁହ, ମାନ ଆଉ ଅଭିମାନର l
ତଥାପି କିଛି କଥା ବାକି ରହିଗଲା
ରାଗରୁସା, ପ୍ରେମ ଆଉ ପ୍ରତାଡ଼ନାର l
ମୁଁ ଅନୁଭବ କରିପାରୁଥିଲି ଫଟୋରେ ଅଙ୍କା ଥିବା
ପ୍ରତ୍ୟେକଟି ଚେହେରାର ଉପସ୍ଥିତି କୁ,
ଯଉ ଚେହେରା ମାନଙ୍କ ମେଳରେ ମୁଁ
ଦିନେ ନିଜକୁ ହଜେଇ ଦେଇଥିଲି କର୍ମ ବ୍ୟସ୍ତତା ଭିତରେ l
ଅନୁଭବ କରିପାରୁଥିଲି ବାସ୍ତବତାର କଠୋର ପରିସ୍ଥିତିକୁ,
ଓ ସେଇ ଆତ୍ମୀୟ ମାନଙ୍କ ଭଲପାଇବାକୁ l
ଅନୁଭବ କରୁପାରୁଥିଲି ସେ ବେଳର ସମ୍ପର୍କରେ ନିବିଡ଼ତାକୁ,
ଓ ବର୍ତମାନର ଦୂରତା ମଧ୍ୟରେ ପାର୍ଥକ୍ୟକୁ l
ସେ ସମୟ ଆଉ ଆଜିର ବର୍ତମାନ ଭିତରେ ଅନେକ ପାର୍ଥକ୍ୟ
ସେ ଦିନର ଭଲପାଇବା ଆଉ ଆଜିର ଭଲପାଇବାରେ ଅନେକ ସାମଞ୍ଜସ୍ୟ l
ଆଜି ପ୍ରତ୍ୟେକଟି ଚେହେରା ଭିତରେ ଦୂରତାଟା ଯେତେ
ସେ ଦିନର ଭଲପାଇବାରେ ମଧ୍ୟ ଦୂରତା ସେତେ ବଢ଼ିବାରେ ଲାଗିଛି,
ସେ ଦିନର ସମ୍ପର୍କରେ ଥିଲା ଯେତିକି ନିବିଡ଼ତା
ଆଜି ସେଇ ସମ୍ପର୍କଟା ସେତେ ଫସ୍କା ଲାଗୁଛି l
ଜାଣିନି ମୁଁ ସେ ଦୂରତାର କାରଣ ଯେ କଣ ?
ସମ୍ପର୍କରେ ଏତେ ଦୂରତା କେବେଠୁ ?
ଏମିତି ଅନେକ ପ୍ରଶ୍ନ ଘେରରେ ମୁଁ ଛନ୍ଦି ହୋଇଗଲି
ଆଉ ଉତ୍ତର ପାଇବା ଆଶାରେ ଯେବେ ତୁମ ପଟେ ଚାହିଁଲି
ତମେ ନଥିଲ!
ଥିଲା ଗୋଟେ ଶୂନ୍ୟତାର ଦୂରତା
ତମ ଆଉ ମୋରି ଭିତରେ…………….