ଦୁଇଟି ସମାଜ

ଦେଖିଛକି କିଏ ରାସ୍ତା କଡ଼ର ସେ ଭୋକିଲା ପିଲାର ମୁହଁ,
ତା ମନ ବେଦନା ଭୋକର ଜ୍ୱଳନା
ଲିଭାଇଛ କିଏ କୁହ |(୧)
ଛଳ ଛଳ ଆଖି ଚାହିଁ ରହିଥାଏ
କାହା ହାତ ଟେକା ଦାନ,
କ୍ଷୀଣ ଶରୀରଟା ଏପାଖ ସେପାଖ
କିବା ରାତି କିବା ଦିନ l(୨)
ଖରାରେ ଉତପ୍ତ ତାହାର ଶରୀର
ବରଷାରେ ଯାଏ ଭିଜି,
ଅସହ୍ୟ ଶୀତଟା କାମୁଡ଼ି ଗୋଡ଼ାଏ
ତାକୁ ପରା ଖୋଜି ଖୋଜି ।(୩)
ଜାଣି ନାହିଁ ସେଇ ବ୍ୟଞ୍ଜନର ନାମ
ଖାଲି ଗଣ୍ଡେ ତାକୁ ଲୋଡ଼ା,
ଆବର୍ଜନା ଘେରା କର୍ମ ଯେ ତାହାର
ଭାଗ୍ୟ ତାର ଦରପୋଡ଼ା ।(୪)
ନିରିଖି ଦେଖେ ସେ ସୁରୁଜ ଉଦୟ
ପୁଣି ଅସ୍ତଗାମୀ ବେଳ ,
ରାସ୍ତା ଦୁଇ ପାସେ ହାତ ପାତି ପାତି
ସରିଯାଏ ସବୁ ବେଳ ।(୫)
ଖେଳିବା ବୟସ କେବେ ଆସେ ପୁଣି
ଜାଣି ତ ନଥାଏ ସିଏ,
ଭୋକ ବୋଲି ଯେଉଁ ଦୁଇଟି ଅକ୍ଷର
ତା ମୁହଁରେ ଲେଖାଥାଏ ।(୬)
ଶୁଣିଛ କି କିଏ ତା ରୁଦ୍ଧ କଣ୍ଠରୁ
ବାବୁ ମା’ ଡାକ ଥରେ,
ପଦୁଟେ କଥା ତା କାହାଣୀ ଶୁଣାଏ
ହୃଦୟେ ବେଦନା ଭରେ ।(୭)
ମଣିଷଟେ ହୋଇ ଜନମିଛି ସିନା
ଗଣା ନୁହେଁ ମଣିଷରେ ,
ଶିକ୍ଷିତ ସମାଜ ଆଖି ପରା ତାକୁ
ଦେଖଇ ପଶୁ ରୂପରେ l(୮)
ନଖାଇ ଫିଙ୍ଗନ୍ତି ଅଳିଆ ଗଦାରେ
ଭୋକିଲା ମୁହେଁ ନ ଦେଇ ,
ଜିର୍ଣ୍ଣ କରିବାକୁ ଚେଷ୍ଟା କରିଥାନ୍ତି
ହଜମି ଔଷଧ ଖାଇ ।(୯)
ଚର୍ମ ସୁନ୍ଦରତା କିବା ଦରକାର
ସୁନ୍ଦର ମନଟେ ଲୋଡ଼ା,
ମନେ ଯଦି ନାହିଁ ଦୟାର ଭାବନା
କିସ ହେବ ଥିଲେ ଘୋଡା ।(୧୦)

ଅର୍ଚ୍ଚନା ଆଚାର୍ଯ୍ୟ
ପୁନେ, ମହାରାଷ୍ଟ୍ର
ଫୋନ୍ ନଂ-୯୧୭୮୨୯୫୧୯୪

Leave a Reply

Your email address will not be published. Required fields are marked *