ଭୀଷଣ ଖରା, ଅସହ୍ୟ ଗରମ ସହ ଗୁଳୁଗୁଳି। ପାଣି ବୋତଲରୁ ଦି ଢୋକ ପିଇ ଦେଇ ମୁଣ୍ଡରୁ ଗାମୁଛାଟିକୁ ଖୋଲି ଦେଇ ଗଛ ତଳେ ଟିକିଏ ଗଡ଼ି ପଡ଼ିଲା ହରିଆ। ଦଲାଲ ଯଦି ଦେଖିଦିଏ ପୁଣି କେତେ କଟୁ କଥା ଶୁଣେଇବ ।ବେଳ ଆସି ମୁଣ୍ଡ ଉପରେ। ହଠାତ୍ ହରିଆ ଉଠି ପଡ଼ି ପୁଣି ଗଲା ଖଣିକୁ। ସେଠି ତା’ ଭଳି ଅନେକ ଓଡ଼ିଆ ଲୋକ କାମ କରନ୍ତି। ଅନେକ ସ୍ତ୍ରୀ ଲୋକ ମଧ୍ଯ କାମ କରନ୍ତି। ସପ୍ତାହକୁ ଥରେ ରବିବାର ଦିନ ଖଣି ମାଲିକ ଆସି କାମ ସବୁ ଠିକ୍ ଠିକ୍ ଚାଲିଛି କି ନାହିଁ ବୁଲି ଦେଖି ଯାଆନ୍ତି। ବାକି ଦିନ ତାଙ୍କର ବିଶ୍ଵସ୍ତ କର୍ମଚାରୀମାନେ କାମ ତଦାରଖ କରନ୍ତି, ମୂଲିଆମାନଙ୍କୁ ତାଙ୍କର ପାରିଶ୍ରମିକ ଦିଅନ୍ତି।
ହରିଆ ଦୀର୍ଘ ପାଞ୍ଚବର୍ଷ ହେଲା ଗାଁ ଛାଡ଼ି, ପରିବାର ଛାଡ଼ି , ଓଡ଼ିଶା ଛାଡ଼ି ଏଇ ବାହାର ରାଜ୍ୟରେ ପାଦ ପକେଇଛି। ଆସିବା ପରଠୁ ଥରେ ଗାଁକୁ ଯାଇଥିଲା, ତା’ ବୃଦ୍ଧା ମା’ଙ୍କ ମୃତ୍ୟୁ ବେଳେ। ତା’ ଆସିବା ପଥକୁ ଅନେଇ ବସିଥିବା ରୋଗୀଣା ମା’ ଜୀବିତ ଅବସ୍ଥାରେ ପୁଅର ମୁହଁ ଥରୁଟିଏ ଦେଖି ପାରିଲାନି। ତା’ ମୃତ୍ୟୁ ଖବର ପାଇ ପୁଅ ଆସିଲା ଯେ ହେଲେ ମା’ର ଶେଷ ଦର୍ଶନ ମଧ୍ଯ କରି ପାରିଲାନି। ଦୂରପଥ ଟ୍ରେନ୍ରେ ଆସିଲା ବେଳକୁ ଦୁଇଦିନ, ଗାଁ ଲୋକ କ’ଣ ଅପେକ୍ଷା କରିଥାନ୍ତେ ? ସେମାନେ ପୁଣି ଶବଦାହ କରି ସରିଲା ପରେ ଖିଆପିଆ କରିବେ ନା, ଦେବ କର୍ମ ଆରମ୍ଭ ହବ। ଏଣୁ ହରିଆ ପହଞ୍ଚିବା ପୂର୍ବରୁ ଗାଁ ଲୋକେ ତା’ ମା’ଙ୍କ ଶବ ସତ୍କାର କରିଦେଲେ। ଦଶ ଦିନର ଛୁଟି ନେଇ ଆସିଥିଲା, ମା’ର ଦ୍ୱାଦଶାହ କାର୍ଯ୍ୟ ସମାପନ କରି ପୁଣି ଫେରିଗଲା। ସେଦିନୁ ଯାଇଛି ଯେ ଯାଇଛି। ଘର କଥା, ଗାଁ କଥା ତା’ର ବହୁତ ମନେ ପଡ଼େ। ଆଖିରେ ନାଚି ଯାଏ ତା ସ୍ତ୍ରୀ’ର ସେ କରୁଣ ଚାହାଣୀ , ତା କୁନି ପୁଅର ଗୁଲୁଗୁଲିଆ ମୁହଁ କିନ୍ତୁ କରିବ କ’ଣ , ଯଉ ଜମି ଦି’ମାଣ ଥିଲା ସେଇଟା ବି ଗାଁ ମହାଜନ ପାଖରେ ବନ୍ଧା ପଡ଼ିଛି। ଗାଁରେ ସବୁଦିନ କାମ ମିଳେନି, କାମ ନ ମିଳିଲେ ମଜୁରୀ ନାଇଁ, ତା ପରିବାର ପୋଷିବ କେମିତି ? ହରିଆ ପାଠଶାଠ ପଢ଼ିନି, କେମିତି କେମିତି ନିଜ ଦସ୍ତଖତଟେ ଜାଣିଛି । ପାଠ ଦି ଅକ୍ଷର ପଢ଼ିଥିଲେ ହୁଏତ କିଛି କରି ଥାଆନ୍ତା ,ଏଇ ଗୋଟେ ତା’ ଜୀବନର ଅବସୋସ ।ଏଇଥି ପାଇଁ ସେ ବାହାର ପ୍ରଦେଶ ଯାଇଛି । ରୋଜଗାର କରିବ କିଛି ଟଙ୍କା ସଞ୍ଜୟ କରିବା ପରେ ଫେରିଆସି ତା ଜମି ଟିକକ ମହାଜନ ପାଖରୁ ମୁକୁଳେଇ ଆଣିବ ବୋଲି ତା ଆଶା।
ଖଣିରେ ଅନେକ ମୂଲିଆ , କୋଇଲା ପଥରକୁ ଟ୍ରକ୍ ଡାଲାରେ ଭର୍ତ୍ତି କରି ଅନ୍ୟ ସ୍ଥାନ ମାନଙ୍କରେ ପହଞ୍ଚାଇବା ,ବାହାରୁ ଆସୁଥିବା ଜିନିଷ ପତ୍ର ସବୁ ମୁଣ୍ଡରେ ମୁଣ୍ଡେଇ ପିଠିରେ ବୋଝେଇ ଗୋଦାମରେ ରଖିବା ଏମାନଙ୍କ କାମ। ଅକ୍ଲାନ୍ତ ପରିଶ୍ରମ, ଟିକିଏ ବିଶ୍ରାମ ନେଇଗଲେ ଦଲାଲ୍ ମାନଙ୍କର କେତେ ଗାଳି ଗୁଲଜ ଶୁଣିବାକୁ ହୁଏ। ଖଣିକାମ ବନ୍ଦ ହେଲେ କଉ ଇଟାଭାଟି ନହେଲେ ତ କଉ କାରଖାନାରେ ଦଲାଲ୍ ମାନେ ଏମାନଙ୍କୁ ନିୟୋଜିତ କରନ୍ତି। ଯେତେ କଷ୍ଟ ହେଲେ ହେଁ ଏମାନେ ଚୁପ୍ ରୁହନ୍ତି, ଆଖି ଲୁହକୁ ଓଠରେ ପିଇ, ମନର କୋହକୁ ମନରେ ମାରି ଦେଇ ପୁଣି କାମ କରନ୍ତି।କିଏ ଏଠି ତାଙ୍କର ଆପଣାର ଅଛି ଯେ ଦୁଃଖ ବୁଝିବ….! ଗତ ଥର ତା’ ସ୍ତ୍ରୀ କହୁଥିଲା” ତମେ କେତେ କଳା ପଡିଗଲଣି, କେତେ ଝଡ଼ି ଯାଇଛ ଦେଖିଲ..” । ତାକୁ ଥଟ୍ଟାରେ ଉଡେଇ ଦେଇ ହରିଆ କହିଲା “ଆଲୋ ସେଠି କ’ଣ ତୁ ଅଛୁ ଯେ ମୋ ଖିଆ ପିଆ ବୁଝିବୁ , ଦୁଃଖ ସୁଖ ବୁଝିବୁ…।” ତା ସ୍ତ୍ରୀ କହୁଥିଲା “ଶାଶୁ ତ ଚାଲି ଗଲେଣି ଏବେ ଆମ ମା’ ପୁଅ ଦୁହିଙ୍କୁ ତମ ସାଙ୍ଗରେ ନେଇକି ଯା ” । ହେଲେ ହରିଆ କେବେ ଚାହେଁନି ତା ସ୍ତ୍ରୀ କି ତା ପିଲା ଏଠାକୁ ଆସନ୍ତୁ ବୋଲି। ଏଇ ଯଉ ଦଲାଲମାନେ କାମ ତଦାରଖ କରନ୍ତି ତାଙ୍କର ସ୍ତ୍ରୀ ଲୋକଙ୍କ ପ୍ରତି ଥିବା ଖରାପ ଦୃଷ୍ଟିକୁ ସେ ପସନ୍ଦ କରେନି। ତା ନିଜ ଆଖିରେ ସେ ଦେଖୁଛି କେତେ ନୀରିହ ଝିଅପିଲା ଏମାନଙ୍କ ଲୋଲୁପ ଦୃଷ୍ଟିର ଶିକାର ହେଉଛନ୍ତି। ଯଉମାନେ ପରିବାର ନେଇକି ଆସିଛନ୍ତି ସ୍ବାମୀ ସ୍ତ୍ରୀ ଏଠି କାମ କଲା ବେଳେ ଏଇ ଦଲାଲ୍ ମାନେ ତାଙ୍କ ପିଲାମାନଙ୍କୁ ଆଉ କଉଠି ଅଳ୍ପ ମୂଲରେ ଖଟଉଛନ୍ତି । ଏଣୁ ହରିଆ ତା ସ୍ତ୍ରୀ ଓ ପିଲାକୁ ସାଙ୍ଗରେ ନେବାକୁ ଚାହିଁନି । ତା ସ୍ତ୍ରୀକୁ ସେ ପ୍ରବୋଧନ ଦେଇ ଆସିଥିଲା ଯେ ଏଥରକ ଆସିଲେ ଆଉ ଯିବନି , ସେ କିଛି ଟଙ୍କା ସଞ୍ଚୟ କରିଛି , ସେତକରେ ତା ଜମି ଖଣ୍ଡକ ମୁକୁଳେଇ ଆଣିବ । ନିଜ ଜମି ଚାଷ କରି ବାହାରେ ମୂଲ ଲାଗି ସେମାନେ ଚଳି ଯିବେ। ହେଲେ ଦେଖୁ ଦେଖୁ ତିନିବର୍ଷ ବିତି ଗଲାଣି । ସେ ଯାଇ ପାରୁନି। ଯେତେବେଳେ ସେ ଦଲାଲ ପାଖରେ ଘରକୁ ଯିବା କଥା କହିଛି ତାକୁ ସେ ରକ୍ତଶୋଷୀ ଦଲାଲଟା ଅନେକ କଟୁକଥା ଶୁଣେଇଛି । ଏଣୁ ହରିଆ ମନେ ମନେ ମନସ୍ଥ କରିଛି ଏଥରକ ଯେମିତି ହେଲେ ସେ ଗାଁକୁ ଫେରିଯିବ । ତେଣିକି ଦଲାଲ୍ ଯାହା କହୁଛି କହୁ।
ଏଇ କିଛିଦିନ ହବ ହରିଆର ଦେହଟା ଭଲ ରହୁନି। ବାରମ୍ବାର କାଶ ହଉଛି। କାମ ନାହିଁ ତ ମଜୁରୀ ନାଇଁ ଏଣୁ ଦେହ ଭଲ ନଥିଲେ ମଧ୍ଯ ସେ କାମକୁ ଯାଏ। ଦିନୁ ଦିନ ତା ସୁସ୍ଥ ସବଳ ଶରୀର କ୍ଷୀଣ ହେବାକୁ ଲାଗିଲା, କାଶ ବଢ଼ିବାକୁ ଲାଗିଲା। ଆଉ କାଳ ବିଳମ୍ବ ନକରି ହରିଆ ଡାକ୍ତରଙ୍କୁ ଦେଖେଇଥିଲା , କେତେ ଗୁଡିଏ ଟେଷ୍ଟ ହେଲା । ରିପୋର୍ଟ ଦେଖି ଡାକ୍ତର କହିଲେ ଯେ ତା ଶ୍ୱାସନଳୀରେ ଗୁଡ଼ାଏ ପଥରଗୁଣ୍ଡ ଜମି ଯାଇଛି, ତାକୁ ଯନ୍ତ୍ର ସାହାଯ୍ୟରେ କାଢ଼ିବାକୁ ହବ। ହେଲେ ହରିଆ ପାଖରେ ଏତେ ଟଙ୍କା ନାହିଁ ଯେ ସେ ତା’ ଚିକିତ୍ସା ଭଲ ଭାବରେ କରେଇ ପାରିବ, ଯଦି ତା ଚିକିତ୍ସାରେ ସବୁ ଟଙ୍କା ସାରିଦେବ ଘରକୁ କ’ଣ ଖାଲି ହାତରେ ଯିବ, ଜମି ମୁକୁଳା ହେବ କେମିତି, ପୁଅର ପାଠପଢା ହେବ କେମିତି ? ଏମିତି ଅନେକ ଭାବନା ଭିତରେ ସେ ତା ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରିପାରି ନାହିଁ। ବହୁତ ବାଧାବିଘ୍ନର ସମ୍ମୁଖିନ ହୋଇ ସେ ଆସି ପହଞ୍ଚି ଯାଇଛି ଓଡ଼ିଶା ମାଟିରେ। ଷ୍ଟେସନ୍ରୁ ଘରକୁ ଯିବାବେଳେ ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଛି ଓ ଅଚେତ ହୋଇପଡ଼ିଛି। ତାକୁ ଏଇ ଅବସ୍ଥାରେ କେତେଜଣ ସ୍ଥାନୀୟ ଲୋକ ପାଖ ଡାକ୍ତରଖାନାକୁ ନେଇ ଯାଇଛନ୍ତି , ସେଠି ହରିଆ ମୃତ ବୋଲି ଡାକ୍ତର ଘୋଷଣା କରିଛନ୍ତି। ଜୀବନ ଯୁଦ୍ଧରେ ହାରି ଯାଇଛି ହରିଆ।
ଏକ ଶବବହାକ ଗାଡ଼ିରେ ତା ଶବ ଯାଇ ପହଞ୍ଚିଛି ସେଇ ଅଖ୍ୟାତ ପଲ୍ଲୀରେ, ଯେଉଁଠି ସେ ଜନ୍ମ ହୋଇଥିଲା, ଦେଖିଥିଲା ଏକ ଉଜ୍ଜ୍ୱଳ ଭବିଷ୍ୟତର ସ୍ଵପ୍ନ। କିନ୍ତୁ ଦାରିଦ୍ର୍ୟତା ତା ଜୀବନର ସବୁ ସ୍ଵପ୍ନକୁ ଆଖିରୁ ଛଡ଼େଇ ନେଲା। ଗାଡ଼ିର ସାଇରନ୍ ଶୁଣି ତା କୁନି ପୁଅଟି ଘରୁ ଦୌଡ଼ିକି ବାହାରକୁ ଚାଲି ଆସିଛି ତା ପଛେ ପଛେ ତା ମା’ ମଧ୍ଯ ଧାଇଁ ଆସିଛି। କେତେଜଣ ହରିଆର ଶବକୁ ତା ଘର ଅଗଣାରେ ରଖିଦେଇ ଚାଲିଗଲେ। ଯାହାର ଫେରିବା ପଥକୁ ଅନେଇ ଅନେଇ ତିନିବର୍ଷ କାଳ ଜଗି ବସିଥିଲା ତା ଶବକୁ ଦେଖି ମାଳତୀ (ହରିଆର ସ୍ତ୍ରୀ)ସହ୍ୟ କରିବ କେମିତି ? ତା ବୁକୁଫଟା କ୍ରନ୍ଦନରେ ସମଗ୍ର ପଲ୍ଲୀର ଗଗନ ପବନ ପ୍ରକମ୍ପିତ ହୋଇଯାଇଛି ସତେ ଯେମିତି ଆକାଶଟା ତା ମୁଣ୍ଡ ଉପରେ ଛିଣ୍ଡି ପଡ଼ିଛି। ମିଶି ଯାଇଛି ହରିଆର ମୃତ ଶରୀର ତା ମା’ ମାଟିର କୋଳରେ।
ଓଡ଼ିଶା ଏକ ଗ୍ରାମ୍ୟବହୁଳ ରାଜ୍ୟ । ଏଠିକାର ଅନେକ ଅଧିବାସୀ ଗ୍ରାମାଞ୍ଚଳରେ ବସବାସ କରନ୍ତି। ଆମେ ଏକବିଂଶ ଶତାବ୍ଦୀରେ ପାଦ ଥାପି ସାରିଛେ, ବିଜ୍ଞାନର ଅଗ୍ରଗତି ସାଧିତ ହୋଇଛି , ଯନ୍ତ୍ର ସଭ୍ୟତାର ଚାଲିଛି ଜୟ ଯାତ୍ରା । ତଥାପି ଜୀବନ ବଞ୍ଚିବା ପାଇଁ ତିନୋଟି ମୌଳିକ ଆବଶ୍ୟକତା (ଖାଦ୍ୟ, ବସ୍ତ୍ର, ବାସଗୃହ)ର ଅଭାବରେ ଲୋକେ। ଏବେ ମଧ୍ୟ ଅନେକ ଗ୍ରାମାଞ୍ଚଳକୁ ରାସ୍ତା ନାହିଁ, ପାନୀୟ ଜଳ ଯୋଗାଣ ହୋଇପାରି ନାହିଁ, ବିଦ୍ୟୁତ ସଂଯୋଗ ହୋଇ ପାରି ନାହିଁ, ବିଦ୍ୟାଳୟ ନାହିଁ । ଏମାନଙ୍କ ପାଇଁ ଅନେକ ସରକାରୀ ଯୋଜନା ପ୍ରସ୍ତୁତ ହେଉଥିଲେ ହେଁ ତାହା କେବଳ କାଗଜ କଲମରେ ସିମୀତ । ଫଳତଃ ଦାରିଦ୍ରତାର ସୀମାରେଖା ତଳେ ଜୀବନ ନିର୍ବାହ କରୁଥିବା ଏହି ନିରକ୍ଷର ସରଳ , ନୀରିହ ଗ୍ରାମୀଣ ଜନତା ରୋଜଗାର ଆଶାରେ ଦାଦନ ଖଟିବାକୁ ଯାଉଛନ୍ତି ବାହାର ପ୍ରଦେଶକୁ । ସେମାନଙ୍କ ମଧ୍ୟରୁ କେତେ ଯେ ହରିଆଏମିତି ଅକାଳରେ ଝଡ଼ି ପଡୁଛନ୍ତି । ଏଥିପ୍ରତି ସରକାର ଏବଂ ଆମେ ଶିକ୍ଷିତ ଯୁବ ସମାଜ ସଚେତନ ଦୃଷ୍ଟି ଦେବା ଆବଶ୍ୟକ । ଯୁବଶକ୍ତି ରାଷ୍ଟ୍ରଶକ୍ତି । ଏଣୁ ଆମେ ଯଦି ଟିକିଏ ଦୃଷ୍ଟି ଦେବା ହୁଏତ ଏଇ ଦାଦନ ସମସ୍ୟାକୁ କିଛି ମାତ୍ରାରେ କମେଇ ଦିଆ ଯାଇପାରେ । ।
ବର୍ଷାରାଣୀ ନନ୍ଦ
ବରଗଡ଼