ମୁଣ୍ଡ ଉପରେ ଜମାଟ ବାନ୍ଧୁଛି
ଅଜଣା ଆତଙ୍କର ମେଘ ।
ମେଘ ଉଦର ଚିରି ଖସିଆସୁଛି
କେଉଁ ଆଦିମ କାଳରୁ ସାଇତା ତମାମ ବଜ୍ର ସହ ଚଡଚଡ଼ି
କେଡେ ବିକଟାଳ ରଡ଼ିରେ ଅର୍ଥପୂର୍ଣ୍ଣ ଭାବେ କହିଚାଲିଛି
“ପ୍ରେମିକ ଆଉ କେବେ ଫେରିବନି “।
ଏ କରୁଣ ବାର୍ତ୍ତା ଏବେ
ଗୃହରୁ ଗୃହାନ୍ତର ଗ୍ରାମରୁ ଗ୍ରାମାନ୍ତର ସର୍ବବ୍ୟାପୀ ଘୁରିଚାଲିଛି ।
ଦେଖୁନ !
କେମିତି ମୋ ନିଜ ଦୁଇ ହାତରେ
ଦୁଇ କାନକୁ ଚାପି ଧରିଛି ।
ତୁମର ମନେଥିବ ନିଶ୍ଚୟ,
ମିଳନ ଅନ୍ତରାଳରେ କଳସ ଧରି ଯମୁନା ଗଲାବେଳେ
ମୋ ଫୁଙ୍ଗୁଳା ପାଦରେ ଲାଜକୁଳୀ କଣ୍ଟାର କେତେ ଯେ ଦନ୍ତାଘାତ ।
ଲଣ୍ଠନ ଆଲୁଅ ତେଜିଦେଇ
ମୁଁ ପାଗଳୀ ପରାଏ ଏବେ ମଧ୍ୟ ଦୌଡିଯାଏ
ପରିଚିତ କଣ୍ଟାର ଆତିଥେୟତା ଉଦ୍ଦେଶ୍ୟରେ ।
କେଜାଣି କେମିତି ?
ପ୍ରତି କ୍ଷତରେ ତୁମର ହିଁ ଅନାବିଳ ପ୍ରେମାସ୍ପର୍ଶ ପାଏ ।
ସେବେଠାରୁ ଗୋବର୍ଦ୍ଧନ ସେପାଖେ
ଅଟକି ଯାଇଛନ୍ତି ସୁର୍ଯ୍ୟ ।
ମଥାର କଳଙ୍କ ଟିକାରେ
ଲୁଚିଯାଇଛି ଚନ୍ଦ୍ର ।
ତେବେ ମୋ ପାଇଁ ଦିନ ଅବା ରାତି କଣ ?
ରାତି ଠାରୁ ଦିବସଗୁଡିକ ଆହୁରି ଅଧିକା ତମସାଚ୍ଛନ୍ନ ।
ମୋ ଅନ୍ତର୍ଆତ୍ମାରୁ ସଂଚରି ଆସୁଥିବା ବାୟୁ
ତୁମକୁ ମଧ୍ୟ ଛୁଉଁଥିବ ନିଶ୍ଚୟ ।
ତେବେ ମୋ ଶଙ୍କା ଦୂର କରି ଦେଖ ।
ପ୍ରେମିକ ନା ସମ୍ରାଟ ହେବା କଷ୍ଟକର ?
ଦଶ ଅଙ୍ଗୁଳିରେ ବଂଶୀବାଦନ ଠାରୁ
କେବଳ ମାତ୍ର ତର୍ଜନୀରେ ସୁଦର୍ଶନ ଧାରଣ
ଢେର ଗୁଣ ସହଜ ବ୍ୟାପାର ।
ନୁହେଁ କି ?
ବିଶ୍ରାମ ବୋଲି କେବେ ବି ଜାଣିନଥିବା
ମୋ କ୍ଲାନ୍ତ ଦୁଇଆଖିରୁ
କେବେଠାରୁ ଲିଭିସାରିଛି,
ଦିକଦିକ ଜଳୁଥିବା ଆଶାର ଅନ୍ତିମ ପ୍ରଦୀପ ।
ଭାବପୂର୍ଣ୍ଣ ଦୃଷ୍ଟିରେ ଚାରିଆଡେ ଚାହେଁ ତ
ସାରାପଲ୍ଲୀ ଦିଶିଯାଉଛି କେବଳ ତୁମମୟ ।