ତୁମେ ଗଲାପରେ

ତୁମେ ଗଲାପରେ
ଲାଗେ….
ଏ ସହର ମିଛ
ମିଛ ସବୁ ସଖାସୋଦର
ଅଜଣା ଏ ରାସ୍ତା ଘାଟ
ଭୂଲିଯାଇଅଛି ଘରର ଠିକଣା
ଚାଲୁଅଛି ଅସରନ୍ତି ବାଟ।
ପାଦରେ ମୋ କଣ୍ଟା ଟେ ବାଜିଲେ
ରକ୍ତ ଝରୁ କି ନ ଝରୁ
ତୁମ ହୃଦୟକୁ ଢାଙ୍କି ଦେଉଥିଲେ
ଶତ ଶତ ଆଶଙ୍କାର ବାଦଲ
ବର୍ଷା ହୋଇ ନିଗିଡ଼ି ପଡୁଥିଲେ
ତୁମ ଆଖିର କଜ୍ଜଳ କୁ ଧୋଇ ।
ହାୟ
ଅତିକ୍ରାନ୍ତ ସମୟର ଧାରା
ବହମାନ ସ୍ରୋତରେ
କେମିତି ଭାସିଯାଇ ପାରିଲ
କୁଟାଖିଅଟିଏ ପରି ।
ନା ଆଉ ଦୁଃଖଯାକ କାହିଁକି
ତୁମ ସହ ବାଣ୍ଟିବି ଯେ
ତୁମେ ତ ଆକାଶର ତାରା.।
ତୁମେ ବରଂ ଭଲଥାଅ
ଜୁଳୁଜୁଳୁ ଦେଖୁଥାଅ
ହସୁଥାଅ ଅବା କାନ୍ଦୁଥାଅ
ଏକା ଏକା ବଞ୍ଚିବାକୁ
ଶିଖି ଗଲଣି ଯେ.।
ମୁଁ ଏକା ତୁମରି ସ୍ମୃତିକୁ ଆବୋରି
ବାଟ ଚାଲୁଚାଲୁ ଝୁଣ୍ଟୁଛି
ତୁମକୁ ଖୋଜୁଛି ତାରାଙ୍କ ମେଳରେ.।
ରାତି ରାତି ଉଜାଗର ରହି
ଭାବୁଛି __ତୁମେ ମତେ କେବେ
ଡାକିବ, ନିଜ ଛାତିରେ ଆଉଯାଇ ନେବ
ଆଉ ମୁଁ ଖୋଲିଦେବି ମୋ ଡାଏରୀର
ପ୍ଥଥମରୁ ଶେଷ ପୃଷ୍ଠା ଯାଏଁ.।
ମତେ ଶିଘ୍ର ଡାକିବନା
ମୁଁ ପାଇଯିବି ହଜେଇ ଦେଇଥିବା
ମୋ ଠିକଣା ।

ସାଗରୀକା ପାଣିଗ୍ରାହୀ

Leave a Reply

Your email address will not be published. Required fields are marked *